କ’ଣ ଏହି ଇ-ସିଗାରେଟ୍ ? କାହିଁକି ସରକାରଙ୍କ ବ୍ୟାନ୍ ତାଲିକାରେ ଆସିଲା ଇ-ସିଗାରେଟ୍ ?

1,270

କେନ୍ଦ୍ର ସରକାର ଇ-ସିଗାରେଟ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହାର ଉତ୍ପାଦନ ଠାରୁ ଆରମ୍ଭ କରି ବିକ୍ରି ପର‌୍ୟ୍ୟନ୍ତ ସବୁ କିଛି ନିଷିଦ୍ଧ କରାଯାଇଛି। ଏହି ନିଷ୍ପତ୍ତି ପଛର ପ୍ରମୁଖ କାରଣ ହେଉଛି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଇ-ସିଗାରେଟ୍ ପକାଉଥିବା ଖରାପ ପ୍ରଭାବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଇ-ସିଗାରେଟ୍କୁ ନିଷିଦ୍ଧ କରିଛନ୍ତି। ଏହାର କିଛି ଦିନ ପରେ ଭାରତରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି କମ୍ ବୟସ ପିଲା ଓ ଯୁବପିଢ଼ି ଇ-ସିଗାରେଟ୍ ପ୍ରତି ଅଧିକ ଆକର୍ଷିତ ହେଉଥିଲେ। ଇ-ସିଗାରେଟ୍ ପିଇବାକୁ ଷ୍ଟାଇଲ୍ ଭାବେ ଦେଖୁଥିଲେ। ଇ-ସିଗାରେଟ୍କୁ ନେଇ ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ତରଫରୁ ଏକ ଶ୍ବେତପତ୍ର ଜାରି କରାଯିବା ପରେ ସରକାର ଏହି ଉପକରଣକୁ ନିଷିଦ୍ଧ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।

ଇ-ସିଗାରେଟ୍ କ’ଣ ?

ଇ-ସିଗାରେଟ୍ ବା ଇଲେକ୍ଟ୍ରୋନିକ୍ ସିଗାରେଟ୍କୁ ବିଜ୍ଞାନ ଭାଷାରେ କୁହାଯାଉଛି ଇଲେକ୍ଟ୍ରୋନିକ୍ ନିକୋଟିନ୍ ଡେଲିଭରି ସିଷ୍ଟମ୍। ଏହା ଏକ ବ୍ୟାଟେରି ଚାଳିତ ଉପକରଣ। ବିଡ଼ି, ସିଗାରେଟ୍ କିମ୍ବା ସିଗାରର ବିକଳ୍ପ ଭାବେ ଇ-ସିଗାରେଟ୍କୁ ବ୍ୟବହାର କରାଯାଉଥିଲା। ଏହା ତମାଖୁ କିମ୍ବା ସିଗାରେଟ୍ର ସ୍ବାଦ ପ୍ରଦାନ କରୁଥିଲା। କିନ୍ତୁ ବାସ୍ତବରେ ଏହା ଭିତରେ କୌଣସି ଧୁଆଁ ସୃଷ୍ଟି ହୁଏ ନାହିଁ। ଇ-ସିଗାରେଟ୍କୁ ଏକ ଟ୍ୟୁବ୍ ଭଳି ପ୍ରସ୍ତୁତ କରାଯାଇଥାଏ ଏବଂ ଏହାର ବାହାର ରୂପକୁ ସିଗାରେଟ୍ ଭଳି ତିଆରି କରାଯାଇଥାଏ। ଇ-ସିଗାରେଟ୍ରେ ଯେଉଁ ତରଳ ପଦାର୍ଥ ବ୍ୟବହାର କରାଯାଏ ତାହା ବିଭିନ୍ନ ସ୍ବାଦରେ ମିଳୁଛି। ନିକୋଟିନ୍ ଓ ବିନା ନିକୋଟିନ୍ର ତରଳ ପଦାର୍ଥ ମଧ୍ୟ ବଜାରରେ ମିଳୁଛି ଯାହାକୁ ଇ-ସିଗାରେଟ୍ରେ ବ୍ୟବହାର କରାଯାଏ। କେତେକ ଇ-ସିଗାରେଟ୍ରେ ଅତ୍ୟନ୍ତ କ୍ଷତିକାରକ ଫର୍ମାଲ୍ଡିହାଇଡ୍ ରହିଥାଏ। ୨୦୦୩ରେ ଚୀନ୍ର ହୋନ୍ ଲିକ୍ ନାମକ ଜଣେ ବ୍ୟକ୍ତି ଇ-ସିଗାରେଟ୍ ବିକଶିତ କରିଥିଲେ। ୨୦୦୪ରେ ତାହା ବଜାରରେ ଉପଲବ୍ଧ ହୋଇଥିଲା। ୨୦୦୫-୦୬ରେ ତାଙ୍କ କଂପାନି ଗୋଲ୍ଡେନ୍ ଡ୍ରାଗନ୍ ଇ-ସିଗାରେଟ୍କୁ ବିଦେଶରେ ବିକ୍ରି କରିବା ଆରମ୍ଭ କରିଥିଲା।

ସ୍ବାସ୍ଥ୍ୟ ପାଇଁ ବହୁତ ଖରାପ : 

ଯୁବପିଢ଼ିଙ୍କ ଭିତରେ ଏକ ଧାରଣା ଥିଲା ଯେ ଇ-ସିଗାରେଟ୍ ହାନିକାରକ ନୁହେଁ। କିନ୍ତୁ ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଉତ୍ପାଦ ସେବନ ଦ୍ବାରା ସ୍ବାସ୍ଥ୍ୟ ଉପରେ ଯେଉଁ ସବୁ ଖରାପ ପ୍ରଭାବ ପଡ଼ିଥାଏ, ଇ-ସିଗାରେଟ୍ ବ୍ୟବହାର କଲେ ସେହି ସବୁ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ବିଶେଷ କରି ଯୁବପିଢ଼ିଙ୍କ ଠାରେ ହୃତପିଣ୍ଡ ଜନିତ ରୋଗ ବୃଦ୍ଧିର ଏହା ହେଉଛି ପ୍ରମୁଖ କାରଣ। ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଏହା ଟାଇମ୍ ବମ୍ ଭଳି କାମ କରୁଥିଲା। ଆଇସିଏମ୍ଆର୍ ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ଏହା ଲୋକମାନଙ୍କ ଡିଏନ୍ଏକୁ କ୍ଷତିଗ୍ରସ୍ତ କରିଥାଏ। ଇ-ସିଗାରେଟ୍ ଦ୍ବାରା ନିଶ୍ବାସପ୍ରଶ୍ବାସ ଜନିତ ରୋଗ ଏବଂ ହୃଦରୋଗ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଇ-ସିଗାରେଟ ସେବନ କରୁଥିବା ଗର୍ଭବତୀ ମହିଳାମାନଙ୍କ ଭୃଣର ଠିକ୍ ଭାବେ ବିକାଶ ହୋଇପାରେ ନାହିଁ। ଇ-ସିଗାରେଟ୍ ସେବନ ଦ୍ବାରା ହୃଦଘାତର ଆଶଙ୍କା ୫୬% ବଢ଼ିଯାଏ। ଲମ୍ବା ସମୟ ଏହାକୁ ସେବନ କଲେ ବ୍ଲଡ୍ କ୍ଲଟ୍ ବା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦିଏ।

ଇ-ସିଗାରେଟର ବିଭିନ୍ନ ଅଂଶ : 

ଏହାର ଅଗ୍ରଭାଗରେ ରହିଥାଏ ଏକ ଏଲ୍ଇଡି ଇଣ୍ଡିକେଟର୍ , ତା’ ପାଖରେ ଏକ ଲମ୍ବା ଲିଥିଅମ୍ -ଆୟନ ବ୍ୟାଟେରି ଯାହାକୁ ୟୁଏସ୍ବି ପୋର୍ଟ ଜରିଆରେ ଚାର୍ଜ କରାଯାଇଥାଏ।

ବ୍ୟାଟେରିର ତଳ ଭାଗରେ ରହିଥାଏ ଏକ ମାଇକ୍ରୋପ୍ରୋସେସର ଯାହା ଆଟୋମାଇଜର୍ ଏବଂ ଆଲୋକକୁ ନିୟନ୍ତ୍ରଣ କରିବା କାମ କରେ।

ମାଇକ୍ରୋ ପ୍ରୋସେସର ପଛରେ ରହିଥାଏ ଆଟୋମାଇଜର୍ ଯାହା କାଟ୍ରିଜ୍ରେ ଥିବା ତରଳ ପଦାର୍ଥକୁ ଉତ୍ତପ୍ତ କରିଥାଏ।

ଆଟୋମାଇଜର୍ ତଳେ ରହିଛି ହିଟିଂ କଏଲ୍ ଶେଷରେ ମୁହଁରେ ପ୍ରବେଶ କରାଇବାକୁ ଥିବା ମାଉଥ୍‌ପିସ୍ ମୁହଁ ଲଗାଇ ତାହାକୁ ଶୋଷିଲେ ଇ-ସିଗାରେଟ୍ ସକ୍ରିୟ ହୋଇଯାଏ।

ଅଗ୍ରଭାଗରେ ଥିବା ଏଲ୍ଇଡି ଲାଇଟ୍ ଜଣାଏ ତରଳ ପଦାର୍ଥ ବାଷ୍ପରେ ପରିଣତ ହୋଇଗଲା।