ପାକ୍‌ଠାରୁ ସୁରକ୍ଷା ପ୍ରତିଶ୍ରୁତି ଦାବି କଲା ଭାରତ

29

କନକ ବ୍ୟୁରୋ : ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ପତ୍ନୀ ଓ ମା’ ପାକିସ୍ତାନ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିବାରୁ ଉଭୟଙ୍କୁ ସେଠାରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଭାରତ ଦାବି କରିଛି। ପାକିସ୍ତାନରେ କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ କୌଣସି ପ୍ରକାର ସମସ୍ୟାରେ ନ ପକାଇବା, କୁଳଭୂଷଣ ମାମଲାରେ କୌଣସି ଜେରା ନ କରିବା ଏବଂ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେବା ଜରୁରୀ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି। କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କ ସହ ଜଣେ ଭାରତୀୟ ଦୂତାବାସ ଅଧିକାରୀ ମଧ୍ୟ ସାକ୍ଷାତ ସମୟରେ ଉପସ୍ଥିତ ରହିବେ ବୋଲି ଭାରତ ଆଜି ପାକିସ୍ତାନକୁ ଜଣାଇଦେଇଛି।

କୁଳଭୂଷଣଙ୍କୁ ଭାରତୀୟ ଦୂତାବାସ ସହ ଯୋଗାଯୋଗ ପାଇଁ କୌଣସି ସୁଯୋଗ ଦେଉନଥିବା ପାକିସ୍ତାନ ଏବେ ପତ୍ନୀ ଓ ମା’ଙ୍କୁ ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେବାକୁ ରାଜି ହୋଇଛି। କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍‌ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି। ଭାରତ ଏ ବାବଦରେ ନିଜର ଦଲିଲ ଆଇସିଜେରେ ଉପସ୍ଥାପନ କରିସାରିଛି ଏବଂ ଡିସେମ୍ବରରେ ଦ୍ୱିତୀୟ ପର୍ୟ୍ୟାୟ ଶୁଣାଣି ଆରମ୍ଭ ହେବ। ଏହା ପୂର୍ବରୁ ପାକିସ୍ତାନ କିଛି ନୂଆ ଚାଲ୍‌ ଖେଳୁଥିବା ଭାରତ ଆଶଙ୍କା କରୁଛି।