ତେଲେଙ୍ଗାନା ପୋଲିସର ମହାନତା । ମା’ ପରୀକ୍ଷା ଦେଉଥିବା ସମୟରେ ଛୋଟ ପିଲାଟି କାନ୍ଦିବାକୁ ଲାଗିଲା ଆଉ ଡ୍ୟୁଟିରେ ଥିବା ପୋଲିସ ଚାକିରୀକୁ ଖାତିର ନକରି ପିଲାକୁ କୋଳେଇ ନେଲେ, ଭାଇରାଲ ହେଲା ଫଟୋ

37

କନକ ବ୍ୟୁରୋ : ମାଆଠାରୁ କିଛି ସମୟ ପାଇଁ ଦୂରେଇ ଯିବା ପରେ ଶିଶୁଟି କାନ୍ଦିବାକୁ ଆରମ୍ଭ କରିଥିଲା। ବୁଝେଇବାକୁ ପାଖରେ କେହି ନଥିଲେ। ସେପଟେ ନିଜ କ୍ୟାରିୟର୍ ପାଇଁ ଅପାର ସ୍ବପ୍ନ ଦେଖୁଥିବା ମାଆ ପରୀକ୍ଷା କେନ୍ଦ୍ରରେ ବସି ନିରୁପାୟ ହୋଇପଡ଼ିଥିଲେ। ଏହି ସମୟରେ ତେଲେଙ୍ଗାନା ପୁଲିସ ହେଡ୍ କନେଷ୍ଟବଳ ମୁଜୀବୁର୍ ରେହମାନ୍ ନିଜ ସୀମା ସରହଦ ଡେଇଁ କର୍ତ୍ତବ୍ୟକୁ ସାମାନ୍ୟ ଆଡ଼େଇଦେଇ ଶିଶୁଟିକୁ ନିଜ ଛାତିରେ ଲଗାଇଥିଲେ। ପିଲାଟିକୁ କୋଳରେ ଧରି ବୁଝାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଶେଷରେ ପିଲାଟି ଚୁପ୍ ହୋଇ ଖେଳିବାକୁ ଲାଗିଥିଲା। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ତେଲେଙ୍ଗାନାର ମହବୁବନଗର ଜିଲ୍ଲାରେ ରବିବାର ଏହି ଘଟଣା ଘଟିଛି।

 

ମୁଜୀବୁରଙ୍କ ଏଭଳି ମହନୀୟ କାର୍ଯ୍ୟ ଦେଖିବା ପରେ ତେଲେଙ୍ଗାନା ମହବୁବନଗର ଜିଲ୍ଲା ପୁଲିସ ମୁଖ୍ୟ ଆଇପିଏସ୍ ଅଧିକାରୀ ରେମା ରାଜେଶ୍ବରୀ ବେଶ୍ ପ୍ରଭାବିତ ହୋଇଥିଲେ। କର୍ତ୍ତବ୍ୟକୁ କିଛି ସମୟ ପାଇଁ ଭୁଲିଯାଇଥିବା ମୁଜୀବୁରଙ୍କୁ ତାଗିଦ୍ କରିବା ପରିବର୍ତ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହାପରେ ଫଟୋକୁ ସେ ଟ୍ବିଟରରେ ପୋଷ୍ଟ କରିଦେଇଥିଲେ। ସୋସିଆଲ୍ ମିଡିଆରେ ଅେନକ ଲୋକ ମୁଜୀବୁରଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଫଳରେ ଏହା ଭାଇରାଲ୍ ହେବାରେ ଲାଗିଛି।

 

ରବିବାର ଛୁଟି ଥିଲା ବେଳେ ମହବୁବନଗର ବଏଜ୍ ଜୁନିୟର କଲେଜରେ ଏସସିଟିପିସି ପ୍ରିଲିମିନାରି ପରୀକ୍ଷା ଚାଲିଥିଲା। ପୁଲିସ ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେବେ ପରୀକ୍ଷାରେ ଶିଶୁଟିର ମାଆ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ। କ୍ୟାରିୟର ଆଶାରେ ସେ ନିଜ ପିଲାକୁ ଧରି ପରୀକ୍ଷା କେନ୍ଦ୍ର ଆସିଥିଲେ। ତେବେ ପରୀକ୍ଷା ପୂବର୍ରୁ ପିଲାଟିକୁ ବାହାରେ ଛାଡ଼ି ଚାଲିଯାଇଥିଲେ। ପରୀକ୍ଷା ପାଇଁ ନିୟୋଜିତ ଥିବା ତେଲେଙ୍ଗାନା ପୁଲିସ କନେଷ୍ଟବଳ ମୁଜୀବୁର ପରୀକ୍ଷା ଶେଷ ପର୍ଯ୍ୟନ୍ତ ପିଲାଟିକୁ ରଖିଥିଲେ।