ଗତକାଲି ରାତିରୁ ୧୯ଟି ସାମଗ୍ରୀ ଉପରେ ବଢିଲା ସୀମା ଶୁକ୍ଳ । ଏସି, ଫ୍ରିଜ୍, ୱାସିଂ ମେସିନ୍ ସମେତ ୧୫ ଜିନିଷର ବଢିଲା ଦାମ

50

କନକ ବ୍ୟୁରୋ : ସାରା ଦେଶରେ ଖାଉଟିମାନଙ୍କ ଉପରେ ପଡିଛି ମହାଙ୍ଗା ମାଡ । ସାଧାରଣ ଭାବରେ ପୂଜା ବଜାରରେ ଲୋକମାନେ ଅନେକ ସାମଗ୍ରୀ କିଣିବାକୁ ଇଚ୍ଛା କରନ୍ତି । ହେଲେ ପୂଜା ପୂର୍ବରୁ ହିଁ ଦେଶରେ ମହାଙ୍ଗା ମାଡ ହୋଇଛି । କେନ୍ଦ୍ର ସରକାର ଗତକାଲି ରାତିରୁ ୧୯ଟି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇ ଦେଇଛନ୍ତି। ଏହାର ପ୍ରଭାବରେ ଏହି ସମସ୍ତ ସାମଗ୍ରୀର ଦାମ୍ ବଢ଼ିବ।

 

ଏୟାର କଣ୍ଡିସନର, ରଫ୍ରିଜରେଟର୍, ୱାସିଂ ମେସିନ୍, ସ୍ପିକର୍, ରେଡିଆଲ୍ କାର୍ ଟାୟାର୍, ଗହଣା ସାମଗ୍ରୀ, କିଚେନ୍ ଓ ଟେବୁଲ୍ ଓୟାର୍, ସୁଟକେସ ଓ କେତେକ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ସରକାର ଗତକାଲି ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି। ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଗତକାଲି ରାତିରୁ ଲାଗୁ କରାଯିବା ପରେ ଏସି, ରେଫ୍ରିଜରେଟର ଓ ୧୦ କିଲୋରୁ କମ୍ କ୍ଷମତା ବିଶିଷ୍ଟ ୱାସିଂ ମେସିନ୍ ଉପରେ ଆମଦାନି ଶୁଳ୍କ ପରିମାଣ ଦୁଇ ଗୁଣବଢ଼ାଇ ୨୦% କରାଯାଇଛି। ଜେଟ୍ ଇନ୍ଧନ ଆମଦାନି ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ଫଳରେ ବିମାନ ଯାତ୍ରା ମହଙ୍ଗା ହେବ। ଏହି ସବୁ ସାମଗ୍ରୀ ଆମଦାନିରେ ଗତବର୍ଷ ୮୬ ହଜାର କୋଟି ଟଙ୍କା ଖର୍ଚ ହୋଇଥିଲା। ଚଳିତ ବର୍ଷ ଆମଦାନି ଓ ରପ୍ତାନି ମଧ୍ୟରେ ଅନ୍ତର ବହୁତ ବଢ଼ିଯାଇଛି ଯାହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଅଣ ଦରକାରୀ ସାମଗ୍ରୀଗୁଡ଼ିକର ଆମଦାନି ଉପରେ କଟକଣା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ସାମଗ୍ରୀ ଗୁଡିକ ଆଜିଠାରୁ ମହଙ୍ଗା ହେଲା

 

ଏସି, ଫ୍ରିଜ୍, ୱାସିଂ ମେସିନ୍, ଫ୍ରିଜ୍ ଓ ଏସିର କଂପ୍ରେସର, ସ୍ପିକର୍, ଜୋତା, ରେଡିଆଲ୍ କାର୍ ଟାୟାର, ଅଣ ଶିଳ୍ପ ହୀରା, ହୀରା (ସେମି ପ୍ରୋସେସଡ୍), ଲ୍ୟାବରେ ପ୍ରସ୍ତୁତ ହୀରା, କଟା ଓ ପଲିସ୍ ହୋଇଥିବା ରତ୍ନପଥର, ଗହଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ, ପ୍ଲାଷ୍ଟିକରେ ତିଆରି ବାଥ୍, ସାୱର୍ ଓ ୱାସ୍ ବେସିନ୍, ପ୍ଲାଷ୍ଟିକ୍ ଡବା ଓ ବାତଲ, ଟେବୁଲ୍ ଓୟାର, କିଚେନ୍ ଓୟାର ଓ ଅନ୍ୟାନ୍ୟ ପ୍ଲାଷ୍ଟିକରେ ପ୍ରସ୍ତୁତ ଘରକରଣା ସାମଗ୍ରୀ, ପ୍ଲାଷ୍ଟିକରୁ ପ୍ରସ୍ତୁତ ଅଫିସ୍ ଷ୍ଟେସନାରି ଓ ଫର୍ଣ୍ଣିଚର ଫିଟିଙ୍ଗସ, ଟ୍ରଙ୍କ ସୁଟକେସ, ଏକଜ୍ୟୁକେଟିଭ କେସ, ବ୍ରିଫକେସ, ଟ୍ରାଭେଲ ବ୍ୟାଗ ସମେତ ଅନ୍ୟାନ୍ୟ ବ୍ୟାଗ ଓ ବିମାନ ଇନ୍ଧନ।

 

ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୭୨ ଟଙ୍କାରୁ ଅଧିକ ସ୍ତରରେ ରହିଥିବାରୁ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ବେଲଗାମ ହୋଇପଡ଼ିଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ସିଏଡିର ଅବଦାନ ୨.୪% ଭଳିସ୍ତରରେ ପହଞ୍ଚିଯାଇଛି। ଏହି ସଦ୍ୟତମ ପଦକ୍ଷେପ ଜରିଆରେ ସିଏଡି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଡଲାର ତୁଳନାରେ ଟଙ୍କାକୁ ଶକ୍ତିଶାଳୀ କରିବା ପାଇଁ କିଛି ଦିନ ତଳେ ସରକାର ପାଞ୍ଚ ସୂତ୍ରୀ ପଦକ୍ଷେପ ଘୋଷଣା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ପଦକ୍ଷେପ ଥିଲା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ଉପରେ କଟକଣା ଲଗାଇବା।