ଆଜିଠୁ ଟେଷ୍ଟ ମୁକାବିଲା ! ବାଙ୍ଗାଲୋରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ ।

30

ଆଜିଠାରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ଟେଷ୍ଟ ଆରମ୍ଭ ହେବ । ଭାରତ ଏବେ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ଦଳ ରହିଥିଲେ ମଧ୍ୟ ଆଫଗାନିସ୍ତାନକୁ ହାଲୁକା ଭାବେ ନେବନାହିଁ ବୋଲି ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ପାଇଥିବା ଆଜିଙ୍କ୍ୟ ରାହାଣେ କହିଛନ୍ତି । ଏହି ଟେଷ୍ଟରେ ବିଶେଷକରି ଭ୍ରମଣକାରୀ ଦଳର ଦୁଇ ସ୍ପିନର ରସିଦ୍ ଖାନ୍ ଏବଂ ମୁଜିବୁର୍ ରହମନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହି ଦୁଇ ଜଣଙ୍କ ସହିତ ଅମୀର ହମଜା ଏବଂ ମହମ୍ମଦ ନବି ମଧ୍ୟ ବୋଲିଂରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି । ଭ୍ରମଣକାରୀ ଦଳର ଅଧିନାୟକ ଅସଗର ସ୍ତାନିକଜାଇ ମଧ୍ୟ ଭାରତକୁ ଚେତାବନୀ ଛାଡ଼ି ସାରିଛନ୍ତି । ଭାରତଠୁ ତାଙ୍କ ଦଳରେ ଶ୍ରେଷ୍ଠ ସ୍ପିନର ରହିଥିବା ସ୍ତାନିକଜାଇ ଭାବି ସାରିଛନ୍ତି । ଏହା ହିଁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମକୁ ଭୁଶୁଡ଼ାଇବାରେ ସମର୍ଥ ହେବ ବୋଲି ଆଫଗାନିସ୍ତାନ ଅଧିନାୟକ ଆଶା ରଖିଛନ୍ତି ।

ଏହା ପୂର୍ବରୁ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଆଫଗାନିସ୍ତାନ ଭାରତ ଆସିଛି । ଦିନିକିଆରେ ମୋଟ ୧୮ ମ୍ୟାଚ୍ ଖେଳି ସାରିଥିବା ଆଫଗାନିସ୍ତାନ ମାତ୍ର ୫ ଟି ମ୍ୟାଚରେ ହାରିଛି । ତେବେ ଟେଷ୍ଟ ହେଉଛି ଏକ ଭିନ୍ନ ଫର୍ମାଟ୍ । ଆଫଗାନିସ୍ତାନ ଏହି ଫର୍ମାଟରେ ପ୍ରଥମ ପରୀକ୍ଷା ଦେବ । ଏହା ପୁଣି ବିଶ୍ୱର ଶ୍ରେଷ୍ଠ ଦଳ ସହ । ତେଣୁ ଟେଷ୍ଟ ପଦାର୍ପଣରେ ଏତେ ବଡ଼ ପରୀକ୍ଷାକୁ ଆଫଗାନିସ୍ତାନ କିପରି ସମ୍ମୁଖୀନ ହେବ ତାହା ଉପରେ ମଧ୍ୟ ବିଶ୍ୱ କ୍ରିକେଟର ନଜର ରହିବ । ପୁଣି ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ମୁଖ୍ୟତଃ ଦ୍ରୁତ ବୋଲରଙ୍କୁ ସୁହାଇବ । ଏପରି ସ୍ଥିତିରେ ଭାରତକୁ ଘାଇଲା କରିବା ସହଜ ହେବନି ବୋଲି ଭ୍ରମଣକାରୀ ଦଳର ପ୍ରଶିକ୍ଷକ ଫିଲ୍ ସିମନସ କହିଛନ୍ତି । ଅନ୍ୟପକ୍ଷରେ କୋହଲିଙ୍କ ସହିତ ତିନି ପ୍ରମୁଖ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ଆକ୍ରମଣ ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କ ଉପରେ ନିର୍ଭର କରିବ । ଅଲରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଦେଜା ମଧ୍ୟ ଆଫଗାନିସ୍ତାନ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇବେ । ବ୍ୟାଟିଂରେ ଶିଖର ଧାଓ୍ଵନ୍, ମୁରଲୀ ବିଜୟ, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ଓ୍ଵିକେଟ୍ ରକ୍ଷକ ଦୀନେଶ କାର୍ତିକଙ୍କ ସହିତ ଅଧିନାୟକ ରାହାଣେଙ୍କ ଉପରେ ସବୁକିଛି ନିର୍ଭର କରିବ । ଘରୋଇ ପରିବେଶରେ ଭାରତ ୨୦୧୩ ରୁ ୨୬ ଟେଷ୍ଟ ଖେଳିଥିଲା ବେଳେ ମାତ୍ର ୬ଟିରେ ବିଜୟରୁ ବଞ୍ଚିତ ହୋଇଛି । ଏହି ୬ ମ୍ୟାଚ୍ ମଧ୍ୟରୁ ଗୋଟିଏରେ ହାରିଥିଲା ବେଳେ ୫ଟି ଅମୀମାଂସିତ ରହିଥିଲା । ବେଙ୍ଗାଲୁରୁରେ ବର୍ଷାର ଆଶଙ୍କା ରହିଛି । ପଡ଼ିଆର କିଛି ସ୍ଥାନ ମଧ୍ୟ ହାଲକା ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ପିଚରେ ସବୁଜ ଘାସ ରହିଛି । ଆରମ୍ଭରୁ ଆର୍ଦତା ରହିବା ଆଶା ଥିଲା ବେଳେ ତୃତୀୟ ଦିବସରୁ ହିଁ ବଲ୍ ଘୁରିବ ବୋଲି କ୍ୟୁରେଟର୍ କହିଛନ୍ତି ।

ସମ୍ଭାବ୍ୟ ଦଳ (ଭାରତ): ମୁରଲୀ ବିଜୟ/ଶିଖର ଧାଓ୍ଵନ୍, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରହାଣେ (ଅଧିନାୟକ), କରୁଣ ନାୟାର, ଦୀନେଶ କାର୍ତିକ (ଓ୍ଵିକେଟରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, ଈଶାନ୍ତ ଶର୍ମା ଓ ଉମେଶ ଯାଦବ।

ଆଫଗାନିସ୍ତାନ: ମହମ୍ମଦ ସାହଜଦ୍, ଜାଭେଦ୍ ଅହମଦି, ରହମତ୍ ସାହା, ଅସଗୀ ସ୍ତାନିକଜାଇ (ଅଧିନାୟକ), ନାଜିର ଜମଲ୍ /ହାସମତୁଲ୍ଲା ସାହିଦି, ମହମ୍ମଦ ନବି, ଅଫସର ଜଜାଇ (ଓ୍ଵିକେଟରକ୍ଷକ), ରସିଦ୍ ଖାନ୍, ଅମୀର ହମଜା/ଜାହିର ଖାନ୍, ୟାମିନ୍ ଅହମଜାଇ, ଓ୍ଵାଫାଦାର/ମୁଜିବ୍ ଉର୍ ରହମନ୍।