ସାବଧାନ ଚୀନ ଓ ପାକିସ୍ତାନ ! ଶତ୍ରୁଙ୍କୁ ବିନାଶ କରିବାର ଅଭେଦ୍ୟ ରଣନୀତି ପ୍ରସ୍ତୁତ କଲା ଭାରତ, ଏପ୍ରିଲ ୮ରୁ ଆରମ୍ଭ ହେବ ଏକ୍ସରସାଇଜ୍ ‘ଗଗନ ଶକ୍ତି’

44

କନକ ବ୍ୟୁରୋ : ଆସନ୍ତାକାଲି ୮ ତାରିଖରୁ ଭାରତୀୟ ବାୟୁସେନା ଆରମ୍ଭ କରିବ ସର୍ବବୃହତ ଯୁଦ୍ଧ ପ୍ରସ୍ତୁତି । ସମରାଭ୍ୟାସର ନାଁ ଗଗନଶକ୍ତି ରଖାଯାଇଥିବା ବେଳେ ପାକିସ୍ତାନ, ଚୀନ ପରି ଚ୍ୟାଲେଂଜକୁ ପ୍ରତିହତ କରିବା ଦିଗରେ ଏହା ବାୟୁସେନା ପାଇଁ ବିଶେଷ ଲାଭଦାୟକ । ଚୀନ, ପାକିସ୍ତାନକୁ ଦୃଷ୍ଟିରେ ରଖି ଯୁଦ୍ଧାଭ୍ୟାସର ମୁଖ୍ୟ ଫୋକସ୍ ଉତର ପୂର୍ବ ଓ ପୂର୍ବୀୟ କ୍ଷେତ୍ର ଉପରେ ରହିବ ।

ଆସନ୍ତାକାଲିରୁ ଆରମ୍ଭ ହେବ ଗଗନ ଶକ୍ତି ଏକ୍ସରସାଇଜ୍ । ଯୁଦ୍ଧାଭ୍ୟାସରେ ସାମିଲ୍ ହେବ ବାୟୁସେନାର ଭାରତର ଅନେକ ଅତ୍ୟାଧୁନିକ ଲଢୁଆ ବିମାନ । ସମରାଭ୍ୟାସରେ ୧୫ ହଜାର ଯବାନ ସାମିଲ୍ ହେଉଥିବା ବେଳେ ଏଥିପାଇଁ ଯବାନଙ୍କୁ ତିନି ଭାଗରେ ବିଭକ୍ତ କରାଯିବ ।

୧. ବ୍ଲୁ ଫୋର୍ସ – ଭାରତୀୟ ସେନାକୁ ପ୍ରତିନିଧିତ୍ୱ କରିବ । ଏହି ପର୍ଯ୍ୟାୟରେ ଥିବା ଯବାନ ଶତ୍ରୁ ପକ୍ଷ ଉପରେ ଜୋରଦାର୍ ଆକ୍ରମଣ କରିବେ ।
୨. ରେଡ୍ ଫୋର୍ସ – ଶତ୍ରୁ ପକ୍ଷକୁ ପ୍ରତିନିଧିତ୍ୱ କରିବ । ଶତ୍ରୁ ତରଫରୁ ଭାରତୀୟ ସେନାକୁ ଭିନ୍ନ ଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଚେଷ୍ଟା କରିବେ ।
୩. ହ୍ୱାଇଟ୍ ଫୋର୍ସ – ନିରପେକ୍ଷ କିମ୍ବା ରେଫରୀ ଦାୟିତ୍ୱ ତୁଲାଇବେ । ବ୍ଲୁ ଫୋର୍ସ ରେଡ୍ ଫୋର୍ସ ଆକ୍ରମଣର କିଭଳି ଜବାବ୍ ଦେଲା ତାହାର ତଦାରଖ କରିବେ ।

୧୫ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ସୁଖୋଇ ୩୦, ମିଗ୍ ୨୧, ଜାଗୁଆର, ମିରାଜ୍ ପରି ୫୦୦ରୁ ଅଧିକ ଲଢ଼ୁଆ ଫାଇଟର ଜେଟ୍ ସାମିଲ୍ ହେବେ । ତେବେ ପ୍ରଥମ ଥର ପାଇଁ ଭାରତ ପ୍ରସ୍ତୁତ ତେଜସ୍ ବିମାନ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିବ । ଯୁଦ୍ଧସ୍ଥିତି ଉପୁଜିଲେ ଭାରତ କେତେ ଦୁର ମୁକାବିଲା ପାଇଁ ପ୍ରସ୍ତୁତ ଏହି ସମରାଭ୍ୟାସରୁ ଆକଳନ କରିବ ବାୟୁସେନା ।

ଆକାଶରେ ଲକ୍ଷ୍ୟଭେଦ କରିବାର କୌଶଳ ବ୍ୟତୀତ ଅତ୍ୟାଧୁନିକ ଯୁଦ୍ଧ ସଂଚାଳନା ଗଗନଶକ୍ତି ଯୁଦ୍ଧାଭ୍ୟାସର ମୁଳ ଉଦ୍ଦେଶ୍ୟ ରହିବ । ସମୁହ ଯୁଦ୍ଧାଭ୍ୟାସ, ସୈନିକ ସମ୍ବନ୍ଧ ଓ ସହଯୋଗ ବୃଦ୍ଧି, ଏୟାର ଡିଫେନ୍ସ ଦିଗରେ ମଧ୍ୟ ଏହା ହେବ ବିଶେଷ ଉପଯୋଗୀ । ପଡ଼ୋଶୀ ଚୀନ ଓ ପାକିସ୍ତାନ ଦେଉଥିବା ଆହ୍ୱାନକୁ ଦୃଷ୍ଟିରେରଖି ଗଗନଶକ୍ତି ହେବ ସେନାପାଇଁ ପ୍ରବେଶିକା ପରୀକ୍ଷାପରି । ୨୧ ଏପ୍ରିଲ ପର୍ଯ୍ୟନ୍ତ ଗଗନଶକ୍ତି ଏକ୍ସରସାଇଜ୍ ଚାଲିବ ବାୟୁସେନାର ଏହି ସର୍ବବୃହତ ଯୁଦ୍ଧାଭ୍ୟାସ ।