ବିମୁଦ୍ରାୟନକୁ ପୁରିଲା ଦୁଇ ବର୍ଷ ! ଦେଶ ବ୍ୟାପୀ ଚର୍ଚ୍ଚା, ମୋଦିଙ୍କ ନିଷ୍ପତ୍ତି ଦେଶକୁ କ’ଣ ଦେଲା ଫାଇଦା ?

147

କନକ ବ୍ୟୁରୋ : ବିମୁଦ୍ରାୟନକୁ ପୁରିଲା ୨ ବର୍ଷ । ଦେଶ ବ୍ୟାପୀ ଚର୍ଚ୍ଚା, ଏତେବଡ ନିଷ୍ପତିରୁ  ଦେଶକୁ କଣ ଫାଇଦା ମିଳିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଅର୍ଥନୀତିକୁ ସଂଗଠିତ କରିବାରେ ସହାୟକ ହୋଇଛି । କଳାଧନ ଜମାକାରୀ ଟିକସ ପରିସରକୁ ଆସିଛନ୍ତି । ହେଲେ ବିରୋଧୀଙ୍କ ଅଭିଯୋଗ, ମୋଦି ସରକାରଙ୍କ ଅଦୁରଦର୍ଶୀ ନିଷ୍ପତି ଯୋଗୁ ସାଧାରଣ ଲୋକ ହଇରାଣ ହୋଇଛନ୍ତି, ଦେଶର ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଛି ।

ବିମୁଦ୍ରାୟନକୁ ପୂରିଲା ଦୁଇବର୍ଷ । ଅର୍ଥନୀତିକୁ ମିଳିଲା କି ଫାଇଦା? ୮ ନଭେମ୍ବର ୨୦୧୬ । ଠିକ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାୟନ ଘୋଷଣା କରିଥିଲେ । ମୋଦିଙ୍କ ଘୋଷଣା ସହ ଅଚଳ ହୋଇଗଲା ବଜାରରେ ସଚଳ ଥିବା ସମସ୍ତ ହଜାରେ ଓ ପାଂଚଶହ ଟଙ୍କିଆ ନୋଟ୍ । କେନ୍ଦ୍ରରେ ମୋଦି ସରକାରଙ୍କ ଏହି ଐତିହାସିକ ଘୋଷଣାକୁ ଦୁଇବର୍ଷ ପୂରିବା ପରେ ସମସ୍ତଙ୍କ ଭିତରେ ସେହି ଗୋଟିଏ ଚର୍ଚ୍ଚା ଯେ, ଏତେବଡ ପଦକ୍ଷେପରୁ ଦେଶକୁ କି ଫାଇଦା ମିଳିଲା? ଯେଉଁ ଉଦ୍ଦେଶ୍ୟରେ ବଡ ନୋଟ୍କୁ ଅଚଳ କରାଯାଇଥିଲା ସେହି ଲକ୍ଷ୍ୟ ପୂରଣ ହେଲା କି? ବିମୁଦ୍ରାୟନ ଫଳରେ ଦେଶର ଅର୍ଥନୀତି ସଂଗଠିତ ହୋଇପାରିଥିବା ଫେସବୁକରେ ଏକ ବ୍ଲଗ ଲେଖି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

କିଛିଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ବାର୍ଷିକ ସାଧାରଣ ରିପୋର୍ଟରେ କହିଥିଲା ଯେ, ବିମୁଦ୍ରାୟନରେ ଅଚଳ କରାଯାଇଥିବା ସମସ୍ତ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୯.୩୦% ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଆସିଛି । ଏଥିରୁ ଅନୁମାନ କରାଯାଉଛି କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ମୋଦି ସରକାରଙ୍କ ଏହି ବଡ ପଦକ୍ଷେପ ଫେଲ ମାରିଛି ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ବିମୁଦ୍ରାୟନର ଉଦ୍ଦେଶ୍ୟ ଥିଲା ବ୍ୟବସ୍ଥା ବାହାରେ ଥିବା ଟଙ୍କାକୁ ଟିକସ ପରିସରଭୁକ୍ତ କରିବା ।

– ମେ ୨୦୧୪ ବେଳକୁ ଟିକସଦାତାଙ୍କ ସଂଖ୍ୟା ୩.୮ କୋଟି ଥିଲା

– ବର୍ତ୍ତମାନ ଟିକସଦାତାଙ୍କ ସଂଖ୍ୟା ୬.୮୬ କୋଟିକୁ ବୃଦ୍ଧି ପାଇଛି

– ଦେଶରେ ଡିଜିଟାଲ ପେମେଂଟ କାରବାର ବୃଦ୍ଧି ପାଇଛି

– ବ୍ୟାଙ୍କ ଜମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଯଥେଷ୍ଟ ବଢିଛି

ବିମୁଦ୍ରାୟନକୁ ନେଇ ମୁହାଁମୁହିଁ । ଜେଟଲୀ ବନାମ ମନମୋହନ୍ । ଦୁଇବର୍ଷ ହେଲା ନଭେମ୍ବର ୮ ତାରିଖକୁ କଳାଧନ ନିରୋଧୀ ଦିବସ ଭାବେ ପାଳନ କରୁଛନ୍ତି କେନ୍ଦ୍ରରେ ବିଜେପି ସରକାର । ହେଲେ ବିରୋଧୀ ଏହାକୁ ଅର୍ଥନୈତିକ ଜରୁରୀ ପରିସ୍ଥିତି କହି କଳା ଦିବସ ଭାବେ ସମାଲୋଚନା କରିଆସୁଛନ୍ତି । ବିମୁଦ୍ରାୟନର ଦୁଇବର୍ଷ ପୂର୍ତ୍ତିରେ ଏକ ବିବୃତି ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।

‘୨୦୧୬ ନଭେମ୍ବରରେ ଘୋଷଣା ହୋଇଥିବା ବିମୁଦ୍ରାୟନ ନିଷ୍ପତ୍ତି ବିଜେପି ସରକାରଙ୍କ ରୁଗ୍ଣ ମାନସିକତା ଓ ଅଦୂରଦର୍ଶୀ ପଦକ୍ଷେପ ଥିଲା । ବିମୁଦ୍ରାୟନ ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଯେଉଁ ସଂକଟ ଆସିଛି ତାହା ଏବେ ସମସ୍ତଙ୍କ ସାମ୍ନାରେ ଅଛି । ବିମୁଦ୍ରାୟନ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଛି । କୁହାଯାଏ ସମୟ ସବୁ କ୍ଷତ ଭରି ଦେଇଥାଏ, କିନ୍ତୁ ନୋଟବନ୍ଦୀର ଜଖମ ଦିନକୁ ଦିନ ଆହୁରି ଗଭୀର ହେବାରେ ଲାଗିଛି ।’

କୁହାଯାଉଛି ବିମୁଦ୍ରାୟନ ପ୍ରଭାବରେ ଭାରତୀୟ ଅର୍ଥନୀତି ଦୋହଲି ଯାଇଛି । ଦେଶର ଜିଡିପି ଅଭିବୃଦ୍ଧି ୧.୫ ପ୍ରତିଶ୍ରତ ହ୍ରାସ ପାଇଛି । ଶକ୍ତି ଓ ଭିତ୍ତିଭୂମି ଭଳି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । କଳାଧନ, ଜାଲ ନୋଟ୍ ଓ ଆତଙ୍କବାଦକୁ ସଂପୂର୍ଣ୍ଣ ରୋକିବା ସମ୍ଭବ ହୋଇନାହିଁ । ନୂଆ ନୋଟ୍ ଛାପିବା ଲାଗି ଯେଉଁ ୮ ହଜାର କୋଟି ଖର୍ଚ୍ଚ ହେଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।