ଭାରତ-ଆଫଗାନିସ୍ତାନ ମ୍ୟାଚ ଟାଇ । ଏସିଆ ମହାଦେଶର ଏହା ଥିଲା ସବୁଠାରୁ ରୋମାଞ୍ଚକର ମ୍ୟାଚ

99

କନକ ବ୍ୟୁରୋ : ଏସିଆ କପରେ ମଙ୍ଗଳବାର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ତଥା ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଗୁରୁତ୍ୱହୀନ ମ୍ୟାଚ୍ ହୋଇଥିଲେ ବି ଏହା ସବୁଠୁ ଅଧିକ ମନୋରଂଜନ ଯୋଗାଇଥିଲା। ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚ୍କୁ ‘ଟାଇ’ରେ ଶେଷ କରି ସନ୍ତୁଷ୍ଟ ରହିଲେ। ବାଂଲାଦେଶ ଓ ପାକିସ୍ତାନ ନିକଟରୁ ଶେଷ ଓଭରରେ ହାରିଥିବା ଆଫଗାନିସ୍ତାନ ଶେଷରେ ନିଜ୍ ହକ୍କୁ ‘ଟାଇ’ରେ ଶେଷ କରି ସାନ୍ତ୍ୱନାର ସହ ଅଭିଯାନ ଶେଷ କଲା। ଆକର୍ଷଣୀୟ ଶତକ ପାଇଁ ସାହଜାଦ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ଖେଳାଯିବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚର ବିଜେତା ଶୁକ୍ରବାର ଭାରତକୁ ଫାଇନାଲରେ ଭେଟିବ।

 

୨୫୩ ରନ୍କୁ ପିଛା କରିଥିବା ଭାରତ ପାଇଁ ଅମ୍ବାତି ରାୟୁଡୁ (୫୭, ୪୯ ବଲ୍, ୪ ଚୌକା, ୪ ଛକା) ଏବଂ ଲୋକେଶ ରାହୁଲ (୬୦, ୬୬ ବଲ୍, ୫ ଚୌକା, ୧ ଛକା) ପ୍ରଥମ ଓ୍ଵିକେଟ୍ ପାଇଁ ୧୭ ଓଭରରେ ୧୧୦ ରନ୍ ଉଠାଇଥିଲେ। ୩ ନମ୍ବର ଦୀନେଶ କାର୍ତିକ (୪୪, ୬୬ ବଲ, ୪ ଚୌକା) କିନ୍ତୁ ଅର୍ଧଶତକରୁ ବଞ୍ଚିତ ରହିଥିଲେ। ମହେନ୍ଦ୍ର ସିଂହ ଧୋନି, ମନୀଷ ପାଣ୍ଡେ, କେଦାର ଯାଦବଙ୍କ ବିଫଳତା ଦଳକୁ ସଙ୍କଟରେ ପକାଇଥିଲା। ତିନି ତିନିଟି ରନ୍ ଆଉଟ୍ ଭାରତକୁ ଅଡୁଆରେ ପକାଇଥିଲା। ଶେଷ ଓଭରରେ ଭାରତକୁ ୭ ରନ୍ ଆବଶ୍ୟକ ପଡ଼ିଥିଲା। ରସିଦ୍ ଖାନ୍ (୦, ୪, ୧, ୧, ଓ୍ଵିକେଟ୍) ରବୀନ୍ଦ୍ର ଜାଦେଜାଙ୍କୁ ଆଉଟ୍ କରି ମ୍ୟାଚ୍କୁ ଟାଇ କରି ଦେଇଥିଲେ।

 

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫାଗାନିସ୍ତାନ ପାଇଁ ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମହମ୍ମଦ ସାହଜାଦ୍ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ୬୫ ରନ୍ ସଂଗ୍ରହ କରିଥିବା ଆଫଗାନିସ୍ତାନ ଭାରତୀୟ ସ୍ପିନରଙ୍କ ଆଗମନ ପରେ ନିୟମିତ ଓ୍ଵିକେଟ୍ ହରାଇ ଚାଲିଥିଲା। ହଠାତ୍ ଏହି ଉତ୍ସାହୀ ଦଳ ୮୨ ରନରେ ୪ ଓ୍ଵିକେଟ୍ ହରାଇ ଦେଇଥିଲା। ସାହଜାଦ୍ କିନ୍ତୁ ଗୋଟିଏ ପାର୍ଶ୍ୱରେ ନିଜ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ। ଗୁଲବଦିନ୍ (୧୫)ଙ୍କୁ ସାଥୀ କରି ସାହଜାଦ୍ ୫୦ ରନ୍ ଯୋଡ଼ିଥିଲେ। ନିମ୍ନକ୍ରମରେ ମହମ୍ମଦ ନବି (୬୪, ୫୬ ବଲ, ୩ ଚୌକା, ୪ ଛକା)ଙ୍କ ଅର୍ଧଶତକ ଦଳକୁ ୨୫୦ ରନରେ ପହଞ୍ଚାଇଥିଲା। କେଦାର ଯାଦବଙ୍କ ଶିକାର ହେବା ପୂର୍ବରୁ ଦଳର ଦୁଇ ତୃତୀୟାଂଶ ରନ୍ (୧୨୪/୧୮୦) ରନ୍ ସଂଗ୍ରହ କରିଥିଲେ। ବାଉଣ୍ଡରି ଉପରେ ବିଶେଷ ନିର୍ଭର କରିଥିବା ସାହଜାଦ୍ ୧୧ ଚୌକା ଓ ୭ ଛକା ମାରିଥିଲେ। ଆଫଗାନିସ୍ତାନ ପାଳିରୁ ଆସିଥିବା ୧୧ ଛକା ସାହଜାଦ (୭) ଓ ନବି (୪) ମାରିଥିଲେ। ଭାରତର ସମସ୍ତ ୬ ବୋଲର ଅନ୍ୟୁନ ଗୋଟିଏ ଲେଖାଏଁ ଛକାର ଶିକାର ହୋଇଥିବା ବେଳେ ସିଦ୍ଧାର୍ଥ କୌଲ୍ ସର୍ବାଧିକ ୩ଟି ବରଣ କରିଥିଲେ। ରବୀନ୍ଦ୍ର ଜାଦେଜା (୧୦-୧-୪୬-୩) କିନ୍ତୁ ସଫଳତମ ବୋଲର ରହିଥିଲେ।

ଭାରତ ୫ ପରିବର୍ତନ ସହ ଏହି ମ୍ୟାଚ୍ ଖେଳିଥିଲା। ଫାଇନାଲ୍ ପୂର୍ବରୁ ବିଶ୍ରାମ ପାଇବା ସହ ସଂରକ୍ଷିତ ଖେଳାଳିଙ୍କ ପାଇଁ ବାଟ ଖୋଲିଥିଲେ ରୋହିତ ଶର୍ମା, ଶିଖର ଧାଓ୍ଵନ, ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମରା ଏବଂ ୟୁଜବେନ୍ଦ୍ର ଚହଲ। ଏମାନଙ୍କ ବଦଳରେ ଲୋକେଶ ରାହୁଲ, ମନୀଷ ପାଣ୍ଡେ, ସିଦ୍ଧାର୍ଧ କୌଲ, ଦୀପକ ଚହର, ଖଲିଲ୍ ଅହମ୍ମଦଙ୍କୁ ସୁଯୋଗ ମିଳିଥିଲା। ଦୀପକ ଚହରଙ୍କ ଅର୍ନ୍ତଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ ହୋଇଥିଲା।