୧୦୦ ବର୍ଷର ଭୋଟର ! ସ୍ୱାଧୀନ ଭାରତର ପ୍ରଥମ ମତଦାତା ଦେଲେ ଭୋଟ, ରେଡ କାର୍ପେଟ ପକାଇ ସ୍ୱାଗତ କଲେ ନିର୍ବାଚନ ଅଧିକାରୀ

132

ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ପୂରା ଦେଶର ନଜର ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ରହିଛି । ହିମାଚଳ ପ୍ରଦେଶର ଶାସନ ଭାର କାହା ହାତକୁ ଯିବ ସେନେଇ ଏବେ ସସପେନ୍ସ ଜାରି ରହିଛି । ଗୋଟିଏ ପଟେ ଗଡ ବଞ୍ଚାଇବାକୁ କଂଗ୍ରେସ ପୂରା ଦମ ଲଗାଇ ଦେଇଥିବା ବେଳେ ବିଜେପି ମଧ୍ୟ କଂଗ୍ରେସକୁ କଡା ଟକ୍କ୍ର ଦେବାକୁ ଯାଉଛି । ଏଥିପାଇଁ ଦଳ ସମସ୍ତ ହେଭିୱେଟ ନେତାଙ୍କୁ ନିର୍ବାଚନୀ ପ୍ରଚାରରେ ଲଗାଇଦେଇଛି । ତେବେ ଏସବୁ ଭିତରେ ସମସ୍ତଙ୍କର ନଜର ରହିଛି ଜଣେ ଶତାୟୁ ବ୍ୟକ୍ତିଙ୍କ ଉପରେ । ଯାହାଙ୍କ ପାଇଁ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି । ଏପରିକି ଭୋଟକେନ୍ଦ୍ରକୁ ତାଙ୍କୁ ପାଛୋଟି ନେବା ପାଇଁ ରେଡ କାର୍ପେଟ ବିଛାଯାଇଛି । କେବଳ ଜଣେ ମତଦାତାଙ୍କ ପାଇଁ ଏଭଳି ଭବ୍ୟ ସମ୍ବର୍ଦ୍ଧନା କଣ ପାଇଁ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ଆସନ୍ତୁ ଜାଣିବା ସେହି ମତଦାତାଙ୍କ ବିଷୟରେ କିଛି ଅଜଣା କଥା ।

Ever-Voterହିମାଚଳ ପ୍ରଦେଶର ଶ୍ୟାମ ଶରଣ ନେଗି । ବୟସ ୧୦୧ ଛୁଇଁଲାଣି । କିନ୍ତୁ ଏବେ ମଧ୍ୟ ଭୋଟ ଦେବାକୁ ତାଙ୍କ ମନରେ ପ୍ରବଳ ଉତ୍ସାହ ରହିଛି । ଆଉ ଏହାକୁ ସାକାର କରିବା ପାଇଁ ସରକାର ମଧ୍ୟ ଅଣ୍ଟା ଭିଡିଛନ୍ତି । ତାଙ୍କ ପାଇଁ ମତଦାନ କେନ୍ଦ୍ରରେ ରେଡ କାର୍ପେଟ ବିଛାଯାଇଛି । ଏପରିକି ତାଙ୍କୁ ମତଦାନ କେନ୍ଦ୍ରକୁ ସରକାରୀ ଅଧିକାରୀ ମାନେ ପାଛୋଟି ନେଇଛନ୍ତି । ଏହାପଛରେ ମଧ୍ୟ ଏକ ବଡ କାରଣ ରହିଛି । କାରଣ ନେଗି ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମତଦାତା । ମତଦାନ କେନ୍ଦ୍ରରେ ତାଙ୍କୁ ପାରମ୍ପରିକ ଶୈଳୀରେ ସ୍ୱାଗତ କରିଛନ୍ତି ସରକାରୀ ବାବୁ ମାନେ ।

ହିମାଚଳ ପ୍ରଦେଶର ସବୁଠାରୁ ଅଧିକ ବୟସ ମତଦାତା ଭାବେ ଭୋଟ ଦେଇ ନେଗି ରେକର୍ଡ କରିଛନ୍ତି । ଦୀର୍ଘ ୬୬ ବର୍ଷ ପୂର୍ବରୁ ନିର୍ବାଚନରେ ମତଦାନ କରି ଇତିହାସ ରଚିଥିଲେ ନେଗି । ସ୍ୱାଧୀନ ଭାରତର ପ୍ରଥମ ମତଦାତା ନେଗି ୧୯୫୧ରେ ପ୍ରଥମ ଥର ପାଇଁ ମତଦାନ କରିଥିଲେ । ୧୯୫୨ରେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ବରଫପାତକୁ ଦୃଷ୍ଟିରେ ରଖି ୧୯୫୧ରେ ହିମାଚଳ ପ୍ରଦେଶରେ ଆଗୁଆ ନିର୍ବାଚନ କରାଯାଇଥିଲା । ଏହାପରେ ହୋଇଥିବା ପ୍ରତ୍ୟେକ ନିର୍ବାଚନରେ ସେ ମତଦାନ କରିଛନ୍ତି । ଜବାହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ମୋଦିଙ୍କ ପର୍ଯ୍ୟନ୍ତ ସବୁ ସରକାର ପାଇଁ ଭୋଟ କରିଛନ୍ତି ନେଗି । ଏବେ ପର୍ଯ୍ୟନ୍ତ ୧୬ ଲୋକସଭା ଓ ୧୪ ବିଧାନସଭା ନିର୍ବାଚନରେ ମତଦାନ କରିସାରିଛନ୍ତି ନେଗି ।

shyam 2ବୟସ ସିନା ଶହେ ପାର କରିଛି କିନ୍ତୁ ମତଦାନ କରିବା ପାଇଁ ମନ ଭିତରେ ସେହି ଉତ୍ସାହ ଭରି ରହିଛି । ଖାସ ଏହି ପାଇଁ ଚଳିତଥର ମତଦାନ କରିବା ପାଇଁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ବୟସାଧିକ କାରଣରୁ ମତଦାନ କେନ୍ଦ୍ରରେ ତାଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଉପସ୍ଥିତ ରହିଛନ୍ତି । ତେବେ ଏସବୁ ଭିତରେ ଅନ୍ୟ ମତଦାତାଙ୍କ ପାଇଁ କିଛି ସନ୍ଦେଶ ଦେଇଛନ୍ତି ବର୍ଷିଆନ ମତଦାତା ନେଗି । କୌଣସି ମତଦାତା ଭୋଟ ଦେବାରୁ ବିରତ ନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏକ ସ୍ୱଚ୍ଛ ସରକାର ବାଛିବା ପାଇଁ ସମସ୍ତେ ଭୋଟ ଦେବା ନିତାନ୍ତ ଆବଶ୍ୟକ ।

ପେଶାରେ ଶିକ୍ଷକ ଥିବା ନେଗିଙ୍କ ଉପରେ ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ଗୁଗୁଲ ମଧ୍ୟ ଏକ ଭିଡିଓ ପ୍ରସ୍ତୁତ କରିଛି । ଯାହା ତାଙ୍କ ଲୋକପ୍ରିୟତାକୁ ଦର୍ଶାଉଥିଲା । ଏହାଛଡା ନିବାର୍ଚନ କମିଶନ ମଧ୍ୟ ତାଙ୍କୁ ହିମାଚଳ ପ୍ରଦେଶ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ହିନ୍ଦୀ ଚଳଚ୍ଚିତ୍ର ସନମ ରେ ମଧ୍ୟ ଅଭିନୟ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।