୧ ଆସନ, ୧୪ ପ୍ରାର୍ଥୀ, ୨୪ରେ ଭୋଟ, ୨୮ରେ ଗଣତି! କିଏ ପିନ୍ଧିବ ବିଜୟ ଟୀକା ?

30

କନକ ବ୍ୟୁରୋ : ଦିନ ଯେତିକି ବଢୁଛି ବିଜେପୁର ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି ।ବିଜେପୁର ଗଡ ଜିତିବା ପାଇଁ ମୈଦାନକୁ ଓହ୍ଳାଇଛନ୍ତି ୧୪ ଜଣ ପ୍ରାର୍ଥୀ । ବିଜେପୁର ଉପନିର୍ବାଚନ ପାଇଁ ମୋଟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ପରେ ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି । ଏହି ତାଲିକାରେ ଅଛନ୍ତି ଉକ୍ରଳ ଭାରତ ପ୍ରାର୍ଥୀ ଜଗତରାମ ପୁଟେଲ, ଦୁଇ ସ୍ୱାଧୀନ ପ୍ରାର୍ଥୀ କମଳ ଦାସ ଏବଂ ଦିଗାମ୍ବର ସାହୁ । ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ମୋଟ ୭ ଜଣ ଦଳୀୟ ପ୍ରାର୍ଥୀ ଓ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜେପୁର ବାଜି ଲଢିବେ ବୋଲି ଜଣାପଡିଛି । ତେବେ ବିଜେପୁର ମଇଦାନରେ ଏତେ ସଂଖ୍ୟକ ପ୍ରାର୍ଥୀ ରହିବା ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । କାରଣ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନ ଲଢିବା ଦ୍ୱାରା ଭୋଟ ବିଭାଜନ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ବିଜେପୁର ଉବନିର୍ବାଚନରେ କିଏ ବାଜିମାତ କରିବା ତାହା ଏବେଠୁ କହିବା ମୁସ୍କିଲ । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ବିଜେପୁରରେ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନ ଲଢିବା ଦଳୀୟ ପ୍ରାର୍ଥୀଙ୍କ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇବ । ତେଣୁ ଗୋଟିଏ ଭୋଟ ଯେପରି ଅନ୍ୟ କ୍ୟାମ୍ପକୁ ନଯାଏ ସେଥିପାଇଁ ଏବେଠୁ ଗୋଟି ଚାଳନା ଆରମ୍ଭ କଲେଣି ପ୍ରମୁଖ ଦଳର ହେଭିୱେଟ ନେତା ।

bijepur (10)ବିଜେପୁର ବିଗ୍ ଫାଇଟ ପାଇଁ ନାମାଙ୍କନ ସରିଛି । ପ୍ରାର୍ଥୀପତ୍ର ଯାଞ୍ଚ ମଧ୍ୟ ସରିଛି । ଫାଇନାଲ ଫାଇଟ କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ୧୪ ଜଣ ପ୍ରାର୍ଥୀ । ତେଣୁ ଲଢେଇ ପୂରା ଜୋରଦାର ହେବ ବୋଲି ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା । କିନ୍ତୁ ବିଜେପୁର ଗଡ ଜିତିବା ପାଇଁ ରେସରେ ରହିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଯେହେତୁ ବିଜେପୁର ନିର୍ବାଚନ ଏବେ ପ୍ରତ୍ୟେକ ଦଳ ପାଇଁ ସମ୍ମାନର ଲଢେଇ ପାଲଟିଛି ତେଣୁ ଏହି ବାଜି ଜିତିବାବୁ ତିନି ପ୍ରମୁଖ ଦଳ ଜି ଜାନ ଲଗାଇଦେଇଛନ୍ତି । ବିଜେଡି ଓ ବିଜେପି ପାଇଁ ବିଜେପୁର ନିର୍ବାଚନ ସମ୍ମାନର ଲଢେଇ ପାଲଟିଥିବା ବେଳେ କଂଗ୍ରେସ ପାଇଁ ଗଡ ରକ୍ଷା କରିବା ପାଲଟିବ ସବୁଠାରୁ ବଡ ଚ୍ୟାଲେଞ୍ଜ । କିଏ ଜିତିବ ବିଜେପୁର ବାଜି । ଦୀର୍ଘବର୍ଷ ପରେ ବିଜେଡି ଏଠାରେ ଶଙ୍ଖନାଦ କରିବା ପାଇଁ ସୁଯୋଗ ପାଇଥିବା ବେଳେ ବିଜେପି ଗେରୁଆ ବାନା ଉଡାଇବାକୁ ଦୃଢ ସଂକଳ୍ପ ନେଇଛି । ସେହିଭଳି କଂଗ୍ରେସ ପାରମ୍ପରିକ ଗଡ ବଞ୍ଚାଇବା ପାଇଁ ଜି ଜାନ ଲଗାଇ ଦେବ ବୋଲି ଚର୍ଚ୍ଚା ହେଉଛି ।କାରଣ ବିଜେପୁର ନିର୍ବାଚନ ହିଁ ରାଜ୍ୟ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି । ତେଣୁ ଏହାକୁ କୌଣସି ଦଳ ହାଲକା ଭାବେ ଗ୍ରହଣ କରୁ ନାହାନ୍ତି । କିନ୍ତୁ ଏହି ତିନି ଦଳର ବିଜୟ ପଥରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ସ୍ୱାଧୀନ ଏବଂ ଅନ୍ୟ ଦଳର ପ୍ରାର୍ଥୀ । କାରଣ ଏମାନେ ହିଁ ଦଳୀୟ ପ୍ରାର୍ଥୀ ଭୋଟ ବ୍ୟାଙ୍କ ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଆଉ ଏମାନଙ୍କ ନିର୍ବାଚନ ଲଢିବା ଦଳୀୟ ପ୍ରାର୍ଥୀଙ୍କୁ ଭୟଭୀତ କରିବା ସହ ମନରେ ଛନକା ପୂରାଇଛି ।

ଏଭଳି ଅନୁମାନ ଏଥିପାଇଁ କରାଯାଉଛି କାରଣ ଯଦି ଆମେ ଗତ ନିର୍ବାଚନ କଥା ଦେଖିବା ତେବେ ବିଜେଡି ପରାଜୟର ମୁଖ୍ୟ କାରଣ ପାଲଟିଥିଲେ ସ୍ୱାଧୀନ ପ୍ରାର୍ଥୀ । ଏପରିକି ବିଜେପୁର ଆସନରେ ପୂର୍ବରୁ ଅନେକ ଥର ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି । ସ୍ୱାଧୀନ ପ୍ରାଥୀଙ୍କ ଭୋଟ ପାଇଁ ଦଳୀୟ ହେଭିୱେଟ ନେତାଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ଗତ ନିର୍ବାଚନରେ ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟ ମୋଟ ୪୫୮ ଖଣ୍ଟ ଭୋଟରେ ହାରିଥିଲେ । କିନ୍ତୁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡା ହୋଇ ୧୮୦୦୦ରୁ ଉଦ୍ଧ୍ୱର୍ ଭୋଟ ହାତେଇଥିଲେ ଅଶୋକ ପ୍ରାଣିଗ୍ରାହୀ । ଯାହା ବିଜେଡିକୁ ବିଜେପୁରରେ ବ୍ୟାକଫୁଟକୁ ଟାଣି ଆଣିଥିଲା । ତେଣୁ ବିଜେପୁର ମହାମୁକାବିଲାରେ ଗେମ ଚେଞ୍ଜର ଭୂମିକାରେ ନଜର ଆସିବେ ସ୍ୱାଧୀନ ପ୍ରାର୍ଥୀ ।

bijepurଚଳିତ ବିଜେପୁର ନିର୍ବାଚନ ରାଜ୍ୟର ପ୍ରମୁଖ ତିନୋଟି ଦଳ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ । କାରଣ କେଉଁ ଦଳ କାହାଠାରୁ କମ ନୁହନ୍ତି । ୧୪ ବର୍ଷ ପରେ ବିଜେଡି ବିଜେପୁର ଗଡ ଜିତିବାକୁ ଆଶା କରିଛି । ଆଉ ଏହି ବିଜୟକୁ ସୁନିଶ୍ଚିତ କରିବା ପାଇଁ ବିଜେଡିର ହେଭିୱେଟ ନେତା ପ୍ରାଣପ୍ରଣେ ଚେଷ୍ଟା ଚଳାଇଛନ୍ତି । ସ୍ୱର୍ଗତଃ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ କଂଗ୍ରେସରୁ ଆଣି ବିଜେଡି ପ୍ରାର୍ଥୀ କରିବା ସହ ଖେଳିଛି ଅନୁକମ୍ପାର କାର୍ଡ । କିନ୍ତୁ ବିଜେଡିର ବିଜେପୁର ଦଖଲ ଅଭିଯାନରେ ବାଧକ ସୃଷ୍ଟି କରିପାରନ୍ତି ଦଳରେ ଥିବା ଅସନ୍ତୁଷ୍ଟ କର୍ମୀ । କଂଗ୍ରେସ କ୍ୟାମ୍ପରୁ ରୀତା ସାହୁଙ୍କୁ ଆଣି ଦଳୀୟ ପ୍ରାର୍ଥୀ କରିବା ବିଜେଡିକୁ ମହଙ୍ଗା ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଦଳରେ ଥିବା ଅସନ୍ତୁଷ୍ଟ କର୍ମୀ ଯଦି ଭିତିରିଆ ଅନ୍ୟ କ୍ୟାମ୍ପ ସହ ଯୋଗସୁତ୍ର ସ୍ଥାପନ କରନ୍ତି ତେବେ କଥା ସରିଲା । ତେଣୁ ଏଭଳି ସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ବେଶ ଯତ୍ନବାନ ହୋଇଛି ବିଜେଡି ।

bijepurସେହିଭଳି ବିଜେପୁର ଆସନ ଜିତିବା ପାଇଁ ବିଜେପି ସବୁପ୍ରକାର କସରତ ଆରମ୍ଭ କରିଛି ।କାରଣ ଏହି ସମ୍ମାନରେ ଲଢେଇରେ ପରାଜିତ ହେଲେ ମିଶନ ୧୨୦କୁ ଏବେଠୁ ଗୋଟିଏ ବଡ ଝଟକା ଲାଗିବ । ତେଣୁ ଏକ ସ୍ୱତନ୍ତ୍ର ରଣନୀତି ସହ ମହାମୁକାବିଲାକୁ ଓହ୍ଲାଇଛି ପଦ୍ମଦଳ । ସବୁଠାରୁ ବଡ କଥା ହେଲା ପଞ୍ଚାୟତ ନିର୍ବାଚନ ପରେ ଦଳ ପାଖରେ ଏବେ ପୂର୍ବପେକ୍ଷା ଅଧିକ କର୍ମୀ ରହିଛନ୍ତି । ତେଣୁ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେପୁରରେ ଏବେ ଦଳ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ଅଶୋକ ପାଣିଗ୍ରାହୀଙ୍କ ନିଜସ୍ୱ ଭୋଟ ବ୍ୟାଙ୍କକୁ ପୁଞ୍ଜି କରି ଦଳ ମଇଦାନକୁ ଓହ୍ଲାଇଛି । ପୂର୍ବରୁ ଅଶୋକ ସ୍ୱାଧୀନ ଭାବେ ନିର୍ବାଚନ ଲଢି ୧୮୦୦୦ ଭୋଟ ହାତେଇଥିଲେ ଯାହା ଦଳକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । କିନ୍ତୁ ଦଳ ପାଇଁ ଚଳିତ ନିର୍ବାଚନରେ ଏକ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି । ଅଶୋକଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି କିଛି ପୁରୁଣା କର୍ମୀ । ଏପରିିକି ଜିଲ୍ଲା ସଭାପତି ନାରାୟଣ ପଦ୍ମ ଛାଡି ଶଙ୍ଖ ଧରିଥିବା ବେଳେ ଅଶୋକଙ୍କୁ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର । ଅଶୋକଙ୍କୁ ବିରୋଧରେ ରଣହୁଙ୍କାର ଦେଇ ପ୍ରମୋଦ ସ୍ୱାଧୀନ ପ୍ରାର୍ଥୀ ଭାବେ ଯୁଦ୍ଧ ପଡିଆକୁ ଓହ୍ଲାଇଛନ୍ତି । ଏହାଦ୍ୱାରା ଦଳର ଭୋଟବ୍ୟାଙ୍କ ବିଭାଜନର ଅଧିକ ସମ୍ଭାବନା ରହିଛି । ତେଣୁ ଏହାକୁ ଦଳ କିପରି ମୁକାବିଲା କରି ବିଜେପୁର ଗଡ ଜିତିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

bijepurସେହିଭଳି କଂଗ୍ରେସର ଏହା ପାରମ୍ପରିକ ଗଡ ଭାବେ ଜଣାଶୁଣା । ତେଣୁ କଂଗ୍ରେସର କିଛି ପକେଟ ଭୋଟ ରହିଛି । ଯାହା ଦଳର ବିଜୟ ଆଶାକୁ ବଢାଇଛି ।ଏହାଛଡା କୁଲତା ସଂପ୍ରଦାୟରୁ ପ୍ରଣୟ ପ୍ରଥମ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ନାମରେ ଭୋଟ ବାକ୍ସରେ ଅଧିକାଂଶ ଭୋଟ ପଡିବ ବୋଲି ଚର୍ଚ୍ଚା ହେଉଛି । ଏସବୁ ବ୍ୟତୀତ ଗାଈସିଲଟ ବ୍ଲକରୁ ପ୍ରଥମଥର ପାଇଁ କେହି ପ୍ରାର୍ଥୀ ହେଉଥିବାରୁ ଏହା କଂଗ୍ରେସ ପାଇଁ ବଡ ଫ୍ୟାକ୍ଟର ଭାବେ ଉଭା ହେବ । କିନ୍ତୁ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିବ ଗୋଷ୍ଠି କନ୍ଦଳ । ପ୍ରାର୍ଥୀ ଚୟନକୁ ନେଇ ଯେଉଁଭଳି ଭାବେ ଗୋଷ୍ଠୀକନ୍ଦଳ ଲାଗି ରହିଥିଲା ଯଦି ତାହାର ପୁନରାବୃତ୍ତି ନର୍ବିାଚନ ଭୋଟ ବାକ୍ସରେ ଦେଖିବାକୁ ମିଳେ ତେବେ କଂଗ୍ରେସ ଗଡ ହରାଇବ । ତେବେ ଏସବୁକୁ ଦୃଷ୍ଟିରେ ରଖିଲେ ତିନି ଦଳ ମଧ୍ୟରେ କଡା ଟକ୍କର ହେବ ଏହା ନିଃସନ୍ଦେହ । କିନ୍ତୁ କିଏ ଜିତିବ ତାହା କହିବା ମୁସ୍କିଲ । ଏଭଳି ସ୍ଥିତିରେ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରମୁଖ ଭୂମିକା ରହିବ । କାରଣ ଯେ କୌଣସି ପ୍ରାର୍ଥୀଙ୍କ ବିଜୟରେ ଏହି ମାନେ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ତେବେ ଏସବୁ ଭିତରେ ଦେଖିବା ବାକି ରହିଲା ବିଜେପୁର ନିର୍ବାଚନକୁ ସ୍ୱାଧୀନ ପ୍ରାଥୀ କିଭଳି ପ୍ରଭାବିତ କରୁଛନ୍ତି ।