ଅଭିଭାଷଣ ସମୟରେ ଲାଲ୍ କିଲ୍ଲାରୁ କାମର ହିସାବ ଦେବା ସହ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖାଇଲେ ମୋଦି : ଆଗାମୀ ନିର୍ବାଚନ ପାଇଁ ରଣନୀତି ନୁହେଁ ତ . . . . .

87

କନକ ବ୍ୟୁରୋ : ୭୨ତମ ସ୍ୱାଧୀନତା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମ ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି ଓ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ମୋଦି ଦେଶବାସୀଙ୍କ ମମ୍ବୋଧିତ କରି କହିଛନ୍ତି ଏବେ ପରିବର୍ତ୍ତନର ସମୟ । ଦେଶରେ ଅନେକ ପରିବର୍ତ୍ତନ ହେବାର ଅଛି । ସେ କହିଛନ୍ତି ଆମେ ଯଦି ୨୦୧୩ ବେଗରେ ଯାଇଥାଆନ୍ତେ, ଅନେକ କାମ ଶେଷ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯାଇଥାଆନ୍ତା ।

source : Zee News – India.com

ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ବିଷୟରେ କୁହାଯାଉଛି ମୁଁ ଧୈର୍ଯ୍ୟହୀନ । ତେବେ ଏକଥା ସତ । କାରଣ ଦେଶ ଆଗକୁ ବଢ଼ୁଛି । ଆମକୁ ତାଳ ଦେଇ ଆଗକୁ ବଢ଼ିବା ପାଇଁ ପଡ଼ିବ । ଆମ ପିଲାଙ୍କ ବିକାଶରେ ବାଧା ସୃଷ୍ଟି କରୁଥିବା କୁପୋଷଣରୁ ଦେଶକୁ ମୁକ୍ତ କରିବା ପାଇଁ ପଡ଼ିବ । ଏଥିପାଇଁ ମୁଁ ଅଧିକ ବ୍ୟାକୁଳ । ଦେଶରୁ ରୋଗବ୍ୟାଧୀ ହଟାଇବା ପାଇଁ ମୁଁ ବ୍ୟଗ୍ର । ଆଉ ଲୋକଙ୍କ ଜୀବନଶୈଳୀ ସୁଧାରିବା ପାଇଁ ମୁଁ ବ୍ୟଗ୍ର । ଦେଶ ଆଉରି ଆଗକୁ ବଢ଼ୁ ଓ ଦେଶ ଅଧିିକ ବିକଶିତ ହେଉ ବୋଲି ମୁଁ ବ୍ୟଗ୍ର ।

ଆଜି ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ମୋଦି ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୨୫ରୁ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବ । ଏଥିରେ ଉପକୃତ ହେବେ ଦେଶର ୧୦ କୋଟି ପରିବାର । ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ ।

modi speech

ଭାରତୀୟ ସେନାରେ ପୁରୁଷଙ୍କ ପରି ମହିଳାଙ୍କୁ ସମାନ ଅଧିକାର ମିଳିବା ବୋଲି ଘୋଷଣା କରିଛନ୍ତି ମୋଦି । ଏହାସହ ମୋଦି କହିଛନ୍ତି ୨୦୨୨ ପର୍ୟ୍ୟନ୍ତ, ଯେବେ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୁରା ହେବ, ସେବେ କିମ୍ବା ତା’ପୂର୍ବରୁ ଦେଶର କେହି ବି ଯୁବକ/ଯୁବତୀ ମହାକାଶରେ ତ୍ରିରଙ୍ଗା ଉଡ଼ାଇବେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏବେ ସର୍ଟ ସର୍ଭିସ କମିଶନରେ ମହିଳାଙ୍କୁ ସ୍ଥାୟୀ ରୂପରେ ପ୍ରବେଶ ମିଳିବ । ପୂର୍ବରୁ ପୁରୁଷମାନେ ହିଁ ଏହାର ଲାଭ ଉଠାଇପାରୁଥିଲେ । ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ନେଇ ମୋଦି କହିଛନ୍ତି, ଦେଶରେ କିଛି ରାକ୍ଷସ ପ୍ରବୃତିର ଲୋକ ଖରାପ କାମ କରୁଛନ୍ତି । ଏବେ ସମୟ ଆସିଛି, ସମାଜକୁ ଏପରି ଅପରାଧରୁ ମୁକ୍ତ କରିବା ପାଇଁ ପଡ଼ିବ । ବିଗତ ଦିନରେ ମଧ୍ୟପ୍ରଦେଶରେ ଦୁଷ୍କର୍ମ ଅପରାଧୀକୁ ମାତ୍ର ୫ ଦିନରେ ହିଁ ଫାଶୀ ର ଦଣ୍ଡାଦେଶ ଦିଆଯାଇଛି । ତିନି ତଲାକ ବିଷୟରେ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ତିନି ତଳାକ ପରି ଏକ ପରମ୍ପରା ଯୋଗୁଁ ମୁସଲମାନ ଭଉଣୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଆଉ ଏଥିପାଇଁ ସଂସଦରେ ବିଲ ଆଗତ କରାଯାଇଛି । ତେବେ କିଛି ଲୋକ ଏବେ ବି ପାସ୍ ହେବାକୁ ଦେଉନାହାନ୍ତି ।

image courtesy – www.livehindustan.com

ଏହା ବ୍ୟତୀତ ମୋଦି କହିଛନ୍ତି ସମଗ୍ର ବିଶ୍ୱ ଭାରତକୁ ୬ଷ୍ଠ ବୃହତ୍ ଅର୍ଥନୀତି କହୁଥିବା ବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ଆଜି ଦେଶରେ ଆତ୍ମ-ବିଶ୍ୱାସ ଭରପୂର। ସ୍ୱପ୍ନ ଓ କଠିନ ପରିଶ୍ରମ ଦ୍ୱାରା ଦେଶ ଉଚ୍ଚ ସୋପାନକୁ ଉଠି ପାରୁଛି । ଆଜିର ସୂର୍ୟ୍ୟ ନୂତନ ଉଚ୍ଛ୍ୱାସରେ ନୂତନ ଚେତନା ଆଣିଛି । ଭାରତୀର ସଶସ୍ତ୍ର ବଳ, ପାରାମିଲିଟାରି ଏବଂ ପୁଲିସବାଲାଙ୍କ ନିଃସ୍ୱାର୍ଥ ସେବାକୁ ପ୍ରଶଂସା କରିଛନ୍ତି । ସଂସଦର ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆମ ସମ୍ବିଧାନ ସମାଜର ସବୁ ବର୍ଗର କଲ୍ୟାଣ ନିମନ୍ତେ ଏକ ମାର୍ଗଦର୍ଶୀକା । ଦେଶର ଅନେକ ଭାଗରେ ଭଲ ମୌସୁମୀ ବର୍ଷା ହୋଇଥିଲେ ବି କେତେକ ଅଞ୍ଚଳରେ ବନ୍ୟା ପ୍ରାଦୁର୍ଭାବ ଦେଖା ଦେଇଥିବା କଥା ସେ କହିଛନ୍ତି । ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୩ ପର୍ଯ୍ୟନ୍ତ ୪ କୋଟି ଲୋକ ଟାକ୍ସ ପଇଠ କରୁଛନ୍ତି । ଆଉ ଆଜି ସାଢ଼େ ୩ କୋଟି ଲୋକ ଟାକ୍ସ ପଇଠ କରୁଛନ୍ତି । ଆଜି ଦେଶରେ ବଂଶବାଦ ଉପରେ ଫୁଲଷ୍ଟପ ଲାଗିଛି । ୩ ଲକ୍ଷ ସନ୍ଦିଗ୍ଧ କମ୍ପାନୀରେ ତାଲା ଲାଗିଛି । ଏହାସହ ମୋଦି କହିଛନ୍ତି ଯେଉଁମାନେ ଜନ୍ମ ହୋଇନାହାନ୍ତି ତାଙ୍କ ନାମରେ ୬ କୋଟି ନକଲି ଉପଭୋକ୍ତା ୯୦ ହଜାର କୋଟି ଟଙ୍କା ନେଇଯାଉଛନ୍ତି । ତେବେ ଆମେ ନକଲି ଉପଭୋକ୍ତାଙ୍କୁ ଚିହ୍ନଟ କରି ଅସଲି ଲାଭାର୍ଥୀଙ୍କ ପର୍ଯ୍ୟନ୍ତ ଟଙ୍କା ପହଞ୍ଚାଇବାରେ ସଫଳ ହୋଇଛୁ ।

Source:Time

ଏହାସହ ମୋଦି କହିଛନ୍ତି ୨୦୧୩ର ଗତି ସହ ଚାଲିଥିଲେ ଶତ ପ୍ରତିଶତ ଶୌଚାଳୟ ନିର୍ମାଣ କରିବା ପାଇଁ ଅନେକ ବର୍ଷ ଲାଗିଥାନ୍ତା । ଗ୍ରାମରେ ବିଜୁଳି ପହଁଚାଇବା ପାଇଁ ଆହୁରି ଏକ ଦଶକ ଲାଗିଥାନ୍ତା । ଯେଉଁ ଗତିରେ ୨୦୧୨ରେ ଗ୍ୟାସ୍ କନେକ୍ସନ ଦିଆ ଯାଉଥିଲା, ଯଦି ସେହି ଗତି ଏବେ ରହିଥାନ୍ତା ତେବେ ପ୍ରତି ଘରକୁ ଗ୍ୟାସ ପହଁଚାଇବା ପାଇଁ ୧୦୦ ବର୍ଷ ଲାଗି ଯାଇଥାନ୍ତା ।

କୃଷକଙ୍କୁ ଦେଢ ଗୁଣା ଏମଏସପି ଦେବା ପାଇଁ ଫାଇଲ ବହୁତ ବର୍ଷ ଧରି ଲଟକି ରହିଥିଲା । କିନ୍ତୁ ଆମେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତି ନେଇଥିଲୁ । ଆଜି ଆମର ପୂରା ଧ୍ୟାନ କୃଷିକ୍ଷେତ୍ରରେ ଆଧୁନିକତା ଆଣିବା ଉପରେ ରହିଛି । ସମସ୍ତ ଲୋକ ଜିଏସଟି ଚାହୁଁଥିଲେ । କିନ୍ତୁ ନିଷ୍ପତି ନେଇ ପାରୁ ନଥିଲେ । ଆଜି ଦେଶରେ ଜିଏସଟି ଲାଗୁ ହୋଇଛି । ବ୍ୟବସାୟୀଙ୍କ ମନରେ ଏକ ନୂଆ ବିଶ୍ୱାସ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ଅସୁବିଧା ଭୋଗିଥିବା ବ୍ୟବସାୟୀମାନେ ଜିଏସଟିକୁ ବର୍ତମାନ ଆଲିଙ୍ଗନ କରିଛନ୍ତି । ବର୍ତ୍ତମାନ ମନରେ ବହୁତ ଉତ୍ସାହ ଏବଂ ଆଶା ରହିଛି । ଦେଶ ପାଇଁ କିଛି କରିବାକୁ ଦ୍ରୁଢ ଇଚ୍ଛାଶକ୍ତି ଅଛି । ବେନାମୀ ସମ୍ପତି ନିୟମ ଲାଗୁ ହୋଇ ସାରିଛି । ଆମେ କଠିନ ନିଷ୍ପତି ନେବା ପାଇଁ ସମର୍ଥ ରଖୁଛୁ ଯାହା ଦେଶହିତ ପାଇଁ ଆବଶ୍ୟକ ଅଟେ ।

କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଏବେ ପୁରା ପ୍ରୟାସ କରୁଛୁ ବୋଲି କହିଛନ୍ତି ମୋଦି । କୃଷି କ୍ଷେତ୍ରରେ ଆଧୁନିକତା ଆଣିବା ସହ ଆମ ଦେଶ ଅନ୍ନ ଭଣ୍ଡାରରେ ଭରି ହୋଇଯାଇଛି । ଦେଶର କୃଷକ ଓ ବୈଜ୍ଞାନିକମାନଙ୍କ ଧନ୍ୟବାଦ ଜଣାଇଛନ୍ତି । ମୋଦି କହିଛନ୍ତି ଦେଶ ପାଇଁ ଗୌରବର ବିଷୟ ହେଲା ବୈଜ୍ଞାନିକମାନେ ଏକ ସହ ୧୦୦ ସାଟେଲାଇଟ୍ ଲଂଚ କରିଛନ୍ତି । ଭାରତ ପରିବର୍ତ୍ତନ ପଥେ ଆଗେଇ ଚାଲିଛି । ଆଜି ଗାଁ ଗାଁରେ ଡିଜିଟାଲ ଇଣ୍ଡିଆକୁ ନେଇ ଆଗକୁ ବଢ଼ୁଛି ।