‘ଭାରତ ବିଚାର’ ଚିନ୍ତାଧାରା ସଙ୍କଟରେ । ସୁରକ୍ଷା ପାଇଁ ଉଦ୍ୟମ ଲୋଡା : ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

35

ଭାରତ ବିଚାର ସଂକଳ୍ପ ଏବେ ସଙ୍କଟରେ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଆଜି ଏକାଠି ହୋଇ ଏହି ଭାରତ ବିଚାର ସଂକଳ୍ପକୁ ବଜାୟ ରଖିବା ପାଇଁ ଉଦ୍ୟମ କରିବା ଉଚିତ ବୋଲି ସାଂସଦ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଆଜି ସମ୍ବାଦଭବନ ପରିସରରେ ଅନୁଷ୍ଠିତ ୭୨ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ସ୍ୱାଧୀନତାର ଅର୍ଥ ବୁଝାଇବାକୁ ଯାଇ କହିଥିଲେ ଯେ ଆମେ ସ୍ୱାଧୀନ ବୋଲି ସେତେବେଳେ ଜାଣିବା, ଯେତେବେଳେ ଜଣେ ମହିଳା ରାତି ୧୨ଟରେ ବିନା କୌଣସି ଭୟ, ସଙ୍କୋଚରେ ରାସ୍ତାରେ ଯାତାୟତ କରି ପାରିବ । ମାତ୍ର ଆଜି ଦିନ ବେଳା ମଧ୍ୟ ଦେଶର ଝିଅ ସୁରକ୍ଷିତ ନୁହେଁ । ତେଣୁ ଏବେ ସମସ୍ତଙ୍କୁ ଏକାଠି ହୋଇ ଭାରତ ବିଚାରକୁ ସୁରକ୍ଷିତ କରିବା ଦିଗରେ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଉତ୍ସବରେ ସମ୍ବାଦ, ଆମ ଓଡ଼ିଶା, କନକ ନ୍ୟୁଜ୍, କନକ ଡିଜିଟାଲ ଟିମ୍, ରେଡିଓ ଚକୋଲେଟ୍, ସମ୍ବାଦ ଡଟ୍ ଇନ୍ ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସେହିପରି ଆମ ଓଡ଼ିଶା ପରିସରରେ ମଧ୍ୟ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସାଂସଦ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇଥିଲେ ।