କ୍ରିକେଟରେ କେଁ ପୁରାଇଲା ଓସିଏ ! ନଭେମ୍ବରରେ ବାରବାଟୀରେ ହୋଇପାରିବନି ଟି-୨୦ ମ୍ୟାଚ୍

39

କନକ ବ୍ୟୁରୋ : ବାରବାଟୀରେ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ୍ ଟି-୨୦ ମ୍ୟାଚ୍ । କାହିଁକି ନା ମ୍ୟାଚ୍ ଆୟୋଜନ କରିପାରିବ ନାହିଁ ବୋଲି ବିସିସିଆଇକୁ ଜଣାଇଛି ଓସିଏ । ଆଉ ମ୍ୟାଚ୍ ବାତିଲ୍ ପାଇଁ ବାହାନା କରିଛି ବାଲିଯାତ୍ରାକୁ । ବାଲିଯାତ୍ରା ଥିବାରୁ ମ୍ୟାଚ୍ ପରିଚାଳନାରେ ସମସ୍ୟା ହେବାର ଆଶଙ୍କା ଦେଖାଇ ଭାରତ-ନ୍ୟୁଜିଲାଣ୍ଡ ବଦଳରେ ଭାରତ-ଶ୍ରୀଲଙ୍କା ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇକୁ ପ୍ରସ୍ତାବ ଦେଇଛି ଓସିଏ ।

ପୂର୍ବରୁ ବାଲିଯାତ୍ରାର ଠିକ୍ ପୂର୍ବରୁ ଏବଂ ଠିକ୍ ପରେ ବାରବାଟୀରେ ଅନୁଷ୍ଠିତ ହୋଇଛି ଅର୍ନ୍ତଜାତୀୟ ମ୍ୟାଚ୍ । ଏମିତିକି ବାଲିଯାତ୍ରା ସମୟରେ ବି ବାରବାଟୀରେ ଗ୍ରାଉଣ୍ଡରେ ମ୍ୟାଚ୍ ହେବାର ନଜିର ରହିଛି । ହେଲେ ଏବେ କ’ଣ ହେଲା, ଯେ କଟକରେ ମ୍ୟାଚ୍ କରିବାକୁ ମନା କଲା ଓସିଏ । ଆସନ୍ତା ନଭେମ୍ବର ୪ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଆୟୋଜନ କରିବାକୁ ଓସିଏ ମନା କରିଦେଇଛି । ଏନେଇ ବିସିସିଆଇକୁ ନିଜର ଅକ୍ଷମତା ପ୍ରକାଶ କରିଛି ।

ଯେଉଁ ଦିନ ମ୍ୟାଚ୍ ପାଇଁ ଓସିଏକୁ ସୁଯୋଗ ଦେଇଛି ବିସିସିଆଇ, ଠିକ୍ ସେହିଦିନ ଅର୍ଥାତ୍ ନଭେମ୍ବର ୪ ତାରିଖରେ ଆରମ୍ଭ ହେଉଛି କଟକ ବାଲିଯାତ୍ରା । ଆଉ ପରିଚାଳନା ଏବଂ ସୁରକ୍ଷାକୁ ଆଳ କରି ମ୍ୟାଚ୍ କରିବାକୁ ମନା କରିଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ।

ଏଠି ପ୍ରଶ୍ନ ଉଠୁଛି  : 

-ସୁରକ୍ଷା ପରିଚଳନା ନେଇ କମିଶନରେଟ୍ ପୁଲିସ୍ ସହ କଥା ହୋଇଥିଲା କି ଓସିଏ ?

-ସୁରକ୍ଷା ଯୋଗାଇବାରେ ସମସ୍ୟା ହେବା ନେଇ କହିଥିଲା କି କମିଶନରେଟ୍ ପୁଲିସ?

ମ୍ୟାଚ୍ ସମୟରେ ସୁରକ୍ଷା ଦାୟିତ୍ୱ ପୁଲିସର । ପୁଲିସ୍ ଯେତେବେଳେ ମ୍ୟାଚ୍ ଆୟୋଜନ ପାଇଁ କୌଣସି ସମସ୍ୟା ଥିବା ପ୍ରକାଶ କରିନି, ଓସିଏ କେମିତି ଏକତରଫା ନିଷ୍ପତି ନେଲା ।

ମ୍ୟାଚ୍ ବାତିଲ୍ ପଛରେ ରହିଛି ଷଡ଼ଯନ୍ତ୍ର ?

ପତିଆରାର ଲଢ଼େଇ ପାଇଁ ବଳି ପଡୁଛି କି ମ୍ୟାଚ୍ ?

ବାରବାଟୀରେ ମ୍ୟାଚ୍ ଆୟୋଜନ କରିବାକୁ ହେଲେ ଓସିଏର ପୁନର୍ଗଠନ ହେବା ନିହାତି ଜରୁରୀ । ତେଣୁ ଯଦି ନଭେମ୍ବରରେ ମ୍ୟାଚ୍ ହୁଏ, ଏହା ପୂର୍ବରୁ ଓସିଏ ନିର୍ବାଚନ କରିବାକୁ ପଡ଼ିବ । ତାହା ପୁଣି ଲୋଧା କମିଟିର ସୁପାରିଶ ଆଧାରରେ । ଆଉ ବୋଧେ ଏଇଥି ପାଇଁ ଓସିଏର ଅସ୍ଥାୟୀ କମିଟି ମ୍ୟାଚ୍ ଆୟୋଜନ କରିବାକୁ ମନା କରିଦେଇଛି ।