କାଲିଠୁ ଦିନିକିଆ ଟକ୍କର ! ଜାଣନ୍ତୁ ଅଷ୍ଟ୍ରେଲିଆ ମାଟିରେ କେମିତି ଅଛି ଟିମ୍ ଇଣ୍ଡିଆର ରେକର୍ଡ ।

215

ଟେଷ୍ଟ ସିରିଜରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଶନିବାର ଠାରୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ । ଦିନିକିଆ ଫର୍ମାଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଜବରଦସ୍ତ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବା ଏତେଟା ସହଜ ହେବ ନାହିଁ, କାରଣ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଛୋଟ ଫର୍ମାଟ କ୍ରିକେଟରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ଏହି ପଡିଆରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ର ଦୁଇ ଥର ପରାସ୍ତ କରିଛି ।

ସେପଟେ କିନ୍ତୁ ଟେଷ୍ଟ ସିରିଜରେ କଙ୍ଗାରୁ ଦଳକୁ ୨-୧ ହରାଇଥିବାରୁ ବିରାଟ ବ୍ରିଗେଡର ମନୋବଳ ଦୃଢ ରହିଛି । ଏହି ଐତିହାସିକ ବିଜୟ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଉପସ୍ଥିତି କାଲି ମ୍ୟାଚରେ ଭାରତ ପାଇଁ ଲାଭଦାୟକ ହୋଇପାରେ । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍ ୧୨୮ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଯେଉଁଥିରୁ ଅଷ୍ଟ୍ରେଲିଆ ୭୩ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଭାରତ ୪୫ଟି ମ୍ୟାଚରେ ବାଜି ମାରିଛି । ତେବେ ଭାରତ ପାଇଁ ସବୁଠାରୁ ବଡ କଥା ହେଉଛି, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିଥିବା ଶେଷ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହୋଇଛି ଟିମ୍ ଇଣ୍ଡିଆ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହା ହେଉଛି ଦଶମ ଦ୍ୱିପାକ୍ଷିକ ଦିନିକିଆ ସିରିଜ । ଏପର୍ଯ୍ୟନ୍ତ ଖେଳାଯାଇଥିବା ୯ଟି ଦିନିକିଆ ସିରିଜରୁ ଅଷ୍ଟ୍ରେଲିଆ ୫ ଏବଂ ଭାରତ ୪ଟି ସିରିଜରେ ବିଜୟ ହୋଇଛନ୍ତି । ତେବେ ସିଡନୀ ଗ୍ରାଉଣ୍ଡ କଥା ଯଦି ଦେଖାଯାଏ, ତେବେ ଏଠାରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ୧୬ଟି ମ୍ୟାଚ୍ ମଧ୍ୟରୁ ମାତ୍ର ୨ଟି ମ୍ୟାଚରେ ଭାରତ ବିଜୟ ହାସଲ କରିପାରିଛି । ସେପଟେ ଘରୋଇ ମାଟିରେ ଭାରତ ବିପକ୍ଷରେ ଦିନିକିଆ ମ୍ୟାଚରେ କଙ୍ଗାରୁ ଦଳର ପ୍ରଦର୍ଶନ ଭଲ ରହିଛି ।