ପିଲାଠୁ ବୁଢ଼ା ଏକାଠି ହେଲେ । ଯେଉଁଠି ଜୁଇ ଜଳେ , ସେଇଠି ଦୀପ ଜାଳିଲେ । ଦୀପାବଳିର ନିଆରା ଉଦାହରଣ ସୃଷ୍ଟି କଲେ ଡିଙ୍ଗର ଗ୍ରାମବାସୀ ।

568

କନକ ବ୍ୟୁରୋ: ଦୀପାବଳି କହିଲେ ଆଜିର ସମାଜ ଆତସବାଜିର ଉତ୍ସବ ବୋଲି ମନେ କରନ୍ତି । ଆଉ ବିଭିନ୍ନ ସ୍ଥାନରେ ଦାମୀ ଦାମୀ ବାଣ ଫୁଟାଇବା ପାଇଁ ସତେ ଯେମିତି ପ୍ରତିଯୋଗିତା ଲାଗିଥିବା ଦେଖିବାକୁ ମିଳେ । ହେଲେ ଯେଉଁଠି ଜୁଇ ଜଳେ ସେଠି ଦୀପାବଳିର ଆୟୋଜନ ହେଉଥିବା କେବେ ଦେଖିଛନ୍ତି କି? ତେବେ ଏଭଳି କିଛି ନିଆରା ଦୀପାବଳି ଉତ୍ସବ ପାଳନର ପରାମ୍ପରା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଡିଙ୍ଗର ଗାଁରେ ।

ଛିଣ୍ଡା ମଶିଣା, ଭଙ୍ଗା ହାଣ୍ଡି, ଦରପୋଡ଼ା କାଠ, ଖଣ୍ଡିଆ ଲୁଗା ସାଙ୍ଗକୁ ବାଉଁଶର ଶୁନଶାନ୍ ଇଲାକା ହେଉଛି ଶ୍ମଶାନ । ସଂଜବେଳେ ସେଇ ବାଟ ଦେଇ ଚାଲିଗଲା ବେଳେ ଡରଲାଗେ । କିନ୍ତୁ ଗାଁର ସମସ୍ତଙ୍କର ବଡ଼ ଆବେଗିକ ସଂପର୍କ ଥାଏ ଏଇ ମଶାଣି ସହିତ। ଜୀବନଯାତ୍ରାର ଅନ୍ତିମ ସୋପାନ ଏଇ ମଣାଣି ଭୂଇଁରେ। ଦିକିଦିକି ଜଳୁଥିବା ଜୁଇଟିଏ ଦେଖିଲେ ଆପେ ହାତ ଯୋଡ଼ିହୋଇଆସେ । ସେଇ ମଶାଣିରେ ଦୀପାବଳୀ ଉତ୍ସବ ପାଳନର ଏକ ଅନନ୍ୟ ପରମ୍ପରାର ବାର୍ତ୍ତା ଦେଇଛନ୍ତି ଡିଙ୍ଗର ଗ୍ରାମବାସୀ ।

ଦୀପାବଳୀରେ ପୟାଶ୍ରାଦ୍ଧ ଓ ପୂର୍ବ ପୁରୁଷଙ୍କୁ ଆବାହନ କରି କାଉଁରିଆ ଜାଳି ବଡ଼ ବଡ଼ୁଆଙ୍କୁ ଆଲୁଅ ଦେଖାଇବାର ପରମ୍ପରା ଅନେକ ସ୍ଥାନରେ ଅଛି ହେଲେ ଡଙ୍ଗର ଗ୍ରାମବାସୀ ଏହାକୁ ଅଭିନବ ଉପାୟରେ ପାଳୁଛନ୍ତି । ଗତ ତିନିବର୍ଷ ହେବ ମଶାଣି ପରିସରରେ ବିଭିନ୍ନ ବୃକ୍ଷଲତା ଲଗାଇବାର ଏକ ସୁନ୍ଦର ଉଦ୍ୟମ ଆରମ୍ଭ କରିଥିଲେ ସ୍ଥାନୀୟ ଯୁବକ ବିଶ୍ୱନାଥ ମାର୍ଥା, ବିମ୍ବାଧର ମହାରଣା ଓ ସାଥୀମାନେ । ଏ ବର୍ଷ କିନ୍ତୁ ଗ୍ରାମବାସୀମାନେ ଏକାଠି ହୋଇ ଦୀପାବଳୀ ସନ୍ଧ୍ୟାରେ ଏହି ଶ୍ମଶାନରେ ପିତୃପୁରୁଷ ଓ ଦେଶର ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ସାମୂହିକ ଦୀପ ଦାନ କରିଥିଲେ।

କେଉଁ କେଉଁ ମଶାଣିରେ ସିମେଣ୍ଟର ଚାରିଟା ଖୁଣ୍ଟ ଉପରେ ଛାତଟିଏ ପକାଇ ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଇଁ ବ୍ୟବସ୍ଥା ହୋଇଛି । ଆଉ କେଉଁଠି ମଶାଣିକୁ ସୁନ୍ଦର କରିବା ପାଇଁ ସ୍ଥାନୀୟ ଲୋକେ ଫୁଲଗଛ ଲଗାଉଛନ୍ତି । କିନ୍ତୁ ଡିଙ୍ଗର ଗ୍ରାମବାସୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୀପାବଳିରେ ଏକ ଭାଇଚାରାର ବାର୍ତ୍ତା ଦେଇଛନ୍ତି । ସମାଜସେବୀ ଲଳିତ ମୋହନ ନାଗଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ, ପ୍ରଧ୍ୟାପକ ରବୀନ୍ଦ୍ରନାଥ ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚ ଶିବ ପ୍ରସାଦ ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ । ସୁବଠାରୁ ବଡ଼ କଥା ହେଲା, କୌଣସି ସରକାରୀ ବା ରାଜନୈତିକ ନେତାଙ୍କ ସାହାଯ୍ୟ ନ ନେଇ ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏଭଳି ମହତ ଉଦ୍ୟମର ଭୁରିଭୁରି ପ୍ରଶଂସା କରିଛନ୍ତି ସଭିଏଁ ।