Budget 2019 : ମୋଦି ସରକାରଙ୍କ ଶେଷ ବଜେଟରେ ମଧ୍ୟବିତ୍ତ ପରିବାରକୁ ଉପହାର

1,069

କନକ ବ୍ୟୁରୋ : ଆଜିର ବଜେଟ୍ ଥିଲା ମଧ୍ୟବିତ୍ତ ପରିବାର ବର୍ଗଙ୍କ ପାଇଁ । ସରକାର ଆଜି ବଜେଟରେ ମଧ୍ୟବିତ୍ତ ପରିବାରକୁ ଖୁସି କରି ଦେଇଛନ୍ତି । ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି । ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣାମାନ କରିଛନ୍ତି । ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗର ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି । ପରେ ପରେ ମଧ୍ୟମ ବର୍ଗ, ପେନସନଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ସରକାର । ବିଶେଷ କରି ଆୟକର ସ୍ଲାବ୍ର ପରିବର୍ତ୍ତନ କରି କେନ୍ଦ୍ର ସରକାର ଆଗାମୀ ନିର୍ବାଚନ ପାଇଁ ମଧ୍ୟମବର୍ଗଙ୍କ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିଛନ୍ତି ।

ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିଲା । ସେହିଭଳି ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୈାଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି । ଅର୍ଥାତ୍ ଯଦି ଆପଣ ସାଢେ ୬ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟ କରୁଛନ୍ତି ଏବଂ ଏଥିରେ ଆପଣ ନିବେଶ ମଧ୍ୟ କରୁଛନ୍ତି, ତେବେ ଆପଣଙ୍କୁ କୈାଣସି ଆୟକର ଦେବାକୁ ପଡିବ ନାହିଁ ।ଦେଶରେ ପାଖାପାଖି ୩ କୋଟି ମଧ୍ୟବିତ୍ତ ପରିବାର ଯେଉଁମାନେ ଆୟକର ପରିଧି ଭିତରକୁ ଆସୁଥିଲେ, ସେମାନେ ଏଥିରୁ ଉପକୃତ ହେବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ବର୍ତ୍ତମାନ ଆୟକର ଛାଡ଼ ସୀମା ୨.୫ ଲକ୍ଷ ପର୍ଯ୍ୟନ୍ତ ରହିଛି । ଯାହାକୁ ଏବେ ବଢ଼ାଇ ଦିଆଯାଇଛି । ଏହି ଘୋଷଣା ପୂର୍ବରୁ ଟାକ୍ସ ସ୍ଲାବରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ୁନଥିଲା । ଅନ୍ୟପଟେ ୨,୫ ଲକ୍ଷରୁ ୫ ଲକ୍ଷ ଉପରେ ଆୟକର ୫ ପ୍ରତିଶତ ଥିଲା । ୫ରୁ ୧୦ ଲକ୍ଷ ଉପରେ ୨୦ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟାକ୍ସ ଥିଲା ।

ଏହାପୂର୍ବରୁ ପ୍ରଣବ ମୁଖାର୍ଜୀ ୨୦୧୨ରେ ଆୟକର ରିହାତି ସୀମା ୧.୮ ଲକ୍ଷରୁ ବଢ଼ାଇ ୨ ଲକ୍ଷ କରିଥିଲେ । ଆଉ ତା’ପରେ ୨୦୧୪ରେ ଆୟକର ଛାଡ଼ ସୀମା ୨ ଲକ୍ଷରୁ ବୃଦ୍ଧି ହୋଇ ୨.୫ ଲକ୍ଷ କରାଯାଇଥିଲା । ଆୟକର ସୀମା ଓ ସେକ୍ସନ ୮୦ ଅନୁସାରେ ୨୦୧୪ରେ ବୃଦ୍ଧି କରାଯାଇଛି । ବିଗତ ୫ ବର୍ଷରେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା ।