ଆପଣ ଏବେ ୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି କି ? ବଜେଟରୁ ଆପଣଙ୍କୁ ମିଳିବନି କୌଣସି ଲାଭ, ଜାଣନ୍ତୁ କିଭଳି ।

341

କନକ ବ୍ୟୁରୋ: ଆୟକର ଛାଡ଼ ସୀମା ବୃଦ୍ଧି କରି ମଧ୍ୟବିତଙ୍କ ମୁହଁରେ ହସ ଫୁଟାଇ ଦେଇଛନ୍ତି ମୋଦୀ ସରକାର । ଅର୍ଥାତ୍ ଆଗରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡୁନଥିଲା, ଏଣିକି ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଯଦି ଆପଣ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତେବେ ଆଦୌ ଆୟକର ଦେବାକୁ ପଡ଼ିବ ନାହିଁ । ଏହା ଛଡ଼ା ପ୍ରୋଭିଡେଂଟ୍ ଫଣ୍ଡ, ଜୀବନ ବୀମା ଭଳି ଟିକସ ମୁକ୍ତ ନିବେଶ ଜରିଆରେ ମଧ୍ୟ ୧.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ପାଇବେ । ତେଣୁ ବାର୍ଷିକ ୬ ଲକ୍ଷ ୫୦ ହଜାର ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ । ଏଥିରେ ପ୍ରାୟ ୩ କୋଟି ଆୟକରଦାତା ଫାଇଦା ପାଇବେ ବୋଲି ଦାବି କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ।

ତେବେ ବିଶେଷଜ୍ଞଙ୍କ ମତରେ ଯେଉଁମାନେ ୫ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି, କିନ୍ତୁ କୌଣସି ଟିକସ ମୁକ୍ତ ନିବେଶ କରୁନାହାନ୍ତି, ସେମାନଙ୍କ ପାଇଁ ଏହି ବଜେଟ୍ ବିଶେଷ କିଛି ଲାଭ ଦେବ ନାହିଁ । କଥାକୁ ଭଲ ଭାବରେ ବୁଝିବାକୁ ହେଲେ ଏହି ଉଦାହରଣକୁ ବୁଝନ୍ତୁ ।

ମନେକରନ୍ତୁ, ଆପଣଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କା । ୮୦ (ସି) ଅନୁଯାୟୀ କୌଣସି ନିବେଶ ଆପଣ କରୁନାହନ୍ତି ।

ପୂର୍ବ ସ୍ଲାବ ଅନୁଯାୟୀ ଆପଣଙ୍କୁ ଦେବାକୁ ପଡ଼ିବ-

୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ ଟିକସ ହାରରେ ଆପଣଙ୍କୁ ଦେବାକୁ ହେବ ୧୨,୫୦୦ ଟଙ୍କା ।

ସେହିପରି ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ଅର୍ଥାତ୍ ବଳକା ୧ ଲକ୍ଷ ଟଙ୍କା ପାଇଁ ୨୦ ପ୍ରତିଶତ ହାରରେ ୨୦ ହଜାର ଟଙ୍କା ଟିକସ ଦେବାକୁ ହେବ । ତେଣୁ ୬ ଲକ୍ଷ ଟଙ୍କା ରୋଜଗାର ହୋଇଥିଲେ, ପୂର୍ବଭଳି ଦେବାକୁ ପଡ଼ିବ ମୋଟ ୩୨, ୫୦୦ ଟଙ୍କା ଆୟକର ।

ବିଶେଷଜ୍ଞଙ୍କ ମତରେ ୫ ଲକ୍ଷରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିବନାହିଁ । କାରଣ ଇନ୍କମ୍ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତନ କରାଯାଇନାହିଁ । ତେଣୁ ଏହି ବ୍ୟବସ୍ଥା ଅଡୁଆ ସ୍ଥିତି ସୃଷ୍ଟି କରିଛି । ତେବେ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍କୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର ।