ଭାରତରେ ଜାତିଗୁଡିକ ମଧ୍ୟରେ ରହିଛି ଆର୍ଥିକ ଅସମାନତା : ୧୦% ଉଚ୍ଚ ଜାତିଙ୍କ ପାଖରେ ରହିଛି ୬୦% ସମ୍ପତ୍ତି 

116

ଦେଶର ଉଚ୍ଚ ଜାତିର ଲୋକଙ୍କ ଆର୍ଥିକ ସ୍ଥିତି ସମ୍ପର୍କରେ ରୋଚକ ତଥ୍ୟ ପଦାକୁ ଆସିଛି। ଉଚ୍ଚ ଜାତିର ପରିବାର ଗୁଡ଼ିକର ବାର୍ଷିକ ଆୟର ହାରାହାରି ବୃଦ୍ଧି ଜାତୀୟ ଆୟ ତୁଳନାରେ ୪୭% ଅଧିକ ବଢ଼ିଛି। କିନ୍ତୁ ବିଡମ୍ବନାର ବିଷୟ ହେଉଛି ଏହି ଉଚ୍ଚ ଜାତିର ପରିବାର ଗୁଡ଼ିକ ମଧ୍ୟରୁ ୧୦% ପରିବାର ହାତରେ ୬୦% ସମ୍ପତ୍ତି ରହିଛି। ୨୦୧୨ ମସିହାରେ ଦେଶରେ ଏହି ଚିତ୍ର ରହିଥିଲା ବୋଲି ବିଶ୍ୱ ଅର୍ଥନୈତିକ ବୈଷମ୍ୟ ସମ୍ପର୍କିତ ଏକ ତଥ୍ୟାବଳୀରୁ ଏହା ଜଣାଯାଇଛି।

ପୁଣି ୨୦୦୨ରୁ ୨୦୧୨ ସୁଦ୍ଧା ଗୋଟିଏ ଦଶନ୍ଧି ମଧ୍ୟରେ ଏହି ଉଚ୍ଚଜାତିର ସବୁଠୁ ଧନୀ ୧% ଲୋକଙ୍କ ସମ୍ପତ୍ତିରେ ପ୍ରାୟ ୧୬% ବୃଦ୍ଧି ଘଟି ଏହା ୨୯.୪% ରେ ପହଞ୍ଚିଛି । ୨୦୧୮ ନଭେମ୍ବରରେ ଏହି ତଥ୍ୟ ‘ସମ୍ପତ୍ତି ଅସମାନତା, ଭାରତରେ ଶ୍ରେଣୀ ଏବଂ ଜାତି, ୧୯୬୧-୨୦୧୨’ ଶୀର୍ଷକ ସନ୍ଦର୍ଭରେ ପ୍ରକାଶ ପାଇଛି।

କେନ୍ଦ୍ର ସରକାର ନିକଟରେ ଦେଶର ସାଧାରଣ ବର୍ଗର ଗରୀବ ଲୋକଙ୍କ ପାଇଁ ଚାକିରୀ ଓ ପାଠପଢ଼ାରେ ୧୦% ରକ୍ଷଣ ଆଇନ ପ୍ରଣୟନ କରିବା ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରିପ୍ରେକ୍ଷୀରେ ଏହି ରିପୋର୍ଟର ଗୁରୁତ୍ୱ ବଢ଼ି ଯାଇଛି। ଜାତି ଓ ଜାତି ମଧ୍ୟରେ ଏବଂ ଏପରିକି ଉଚ୍ଚ ଜାତି ମଧ୍ୟରେ ରହିଥିବା ବଡ଼ ଧରଣର ଆର୍ଥିକ ବୈଷମ୍ୟ ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଆହୁରି ଗମ୍ଭୀରତାର ବିଷୟ ହେଲା ଉଚ୍ଚ ଜାତି ଭିତରେ ଏବଂ ଜାତି ଓ ଜାତି ମଧ୍ୟରେ କେବଳ ଅର୍ଥନୈତିକ ବୈଷମ୍ୟ ବୃଦ୍ଧି ପାଇନାହିଁ, ୨୦୧୬ ସୁଦ୍ଧା ଗତ ୩୬ ବର୍ଷ ମଧ୍ୟରେ ୧୦% ଶୀର୍ଷ ଧନୀ ଲୋକଙ୍କ ସମ୍ପତ୍ତି ୨୪% ବୃଦ୍ଧି ଘଟି ୫୫% ପହଞ୍ଚି ଯାଇଛି ବୋଲି ଇଣ୍ଡିଆ ସ୍ପେଣ୍ଡ୍ ପକ୍ଷରୁ ଚଳିତମାସ ୨ ତାରିଖରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ଜାତି ଜାତି ମଧ୍ୟରେ ବଢୁଛି ବୈଷମ୍ୟ :  ଦେଶରେ ପରିବାର ଗୁଡ଼ିକର ହାରାହାରି ଜାତୀୟ ଆୟ ତୁଳନାରେ ଏସସି, ଏସଟି ଓ ଓବିସି ପରିବାରର ଆୟ କମ୍ ବଢ଼ୁଛି। ଏହି ସନ୍ଦର୍ଭରେ ଦର୍ଶାଯାଇଛି, ପରିବାର ଗୁଡ଼ିକର ଜାତୀୟ ଆୟ ୧,୧୩,୨୨୨ ଟଙ୍କା ଥିବାବେଳେ ଏସସି, ଏସଟି ଓ ଓବିସି ପରିବାର ଗୁଡ଼ିକର ବାର୍ଷିକ ଆୟ ଯଥେଷ୍ଟ କମ୍ ରହିଛି। ଏସସି ପରିବାର ଗୁଡ଼ିକ ୨୧% ଏବଂ ଏସଟି ପରିବାର ଗୁଡ଼ିକ ୩୪% କମ୍ ଆୟ କରିଛନ୍ତି। ତେବେ ଜାତୀୟ ଆୟ ତୁଳନାରେ ଓବିସି ପରିବାର ଗୁଡ଼ିକର ହାରାହାରି ଆୟ ପ୍ରାୟ ୮% ଅର୍ଥାତ୍ ୯୧୨୩ ଟଙ୍କା କମ୍ ରହିଛି। ଉଚ୍ଚଜାତିର ଲୋକଙ୍କ ମଧ୍ୟରୁ ବ୍ରାହ୍ମଣ ମାନେ ଜାତୀୟ ଆୟ ତୁଳନାରେ ୪୮% ଅଧିକ ଏବଂ ବ୍ରାହ୍ମଣ ବ୍ୟତୀତ ଅନ୍ୟ ଆଗୁଆ ଜାତିର ଲୋକମାନେ ୪୫% ଅଧିକ ଆୟ କରିଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଉଚ୍ଚ ଜାତିର ଲୋକଙ୍କ ମଧ୍ୟରେ ସମ୍ପତ୍ତି ବୈଷମ୍ୟ ସବୁଠୁ ଅଧିକ ଥିବାବେଳେ ଏସସି ବର୍ଗର ଲୋକଙ୍କ ମଧ୍ୟରେ ଏହି ବୈଷମ୍ୟ ସବୁଠୁ କମ୍ ରହିଛି। ଦେଶର ଶୀର୍ଷ ୧୦ ପ୍ରତିଶତ ଧନୀଙ୍କ ହାତରେ ୫୫% ସମ୍ପତ୍ତି ଥିବାରୁ ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ଆର୍ଥିକ ବୈଷମ୍ୟ ଦେଶର ପରିଚୟ ହାସଲ କରିଛି। ୧୯୮୦ରେ ଏହି ୧୦% ଲୋକଙ୍କ ହାତରେ ୩୧% ସମ୍ପତ୍ତି ଥିବାବେଳେ ଏହା ୫୫%କୁ ବୃଦ୍ଧି ପାଇଛି।

ଜାତୀୟ ଆୟ ତୁଳନାରେ ମୁସଲମାନଙ୍କ ଆୟ କମ୍ : ଜାତୀୟ ଆୟ ତୁଳନାରେ ମୁସଲମାନମାନଙ୍କ ଆୟ କମ୍ ରହିଛି। ତେବେ ଏସସି, ଏସଟି ଏବଂ ଓବିସି ବର୍ଗର ଲୋକଙ୍କ ତୁଳନାରେ ମୁସଲମାନ ଲୋକଙ୍କ ଆୟ ଭଲ ରହିଛି। ଜାତୀୟ ଆୟ ତୁଳନାରେ ମୁସଲମାନ ଲୋକଙ୍କ ଆୟ ୭% କମ୍ ରହିଛି। କିନ୍ତୁ ଅନ୍ୟାନ୍ୟ ( ଅଣ ହିନ୍ଦୁ, ଅଣ ମୁସଲିମ୍ ଗୋଷ୍ଠୀ ଏବଂ ଏସସି, ଏସଟି ଓ ଓବିସି ବର୍ଗରେ ଆସୁ ନଥିବା) ଲୋକମାନେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଯଦିଓ ଦେଶର ଲୋକସଂଖ୍ୟାରେ ସେମାନଙ୍କ ଅଂଶ ମାତ୍ର ୧.୫% ରହିଛି ତେବେ ଜାତୀୟ ଆୟ ତୁଳନାରେ ସେମାନଙ୍କ ଆୟ ଦୁଇ ଗୁଣ ଅଧିକ ଅର୍ଥାତ୍ ୨,୪୨,୭୦୮ ଟଙ୍କା ରହିଛି।

ଜନସଂଖ୍ୟା ତୁଳନାରେ ଏସସି, ଏସଟିଙ୍କ ଆୟ କମ: ୨୦୧୨ରେ ଦେଶର ମୋଟ ଜନସଂଖ୍ୟାରେ ଯଦିଓ ଏସସି, ଏସଟିଙ୍କ ସଂଖ୍ୟା ପ୍ରାୟ ୧୮ରୁ ୨୦% ହେବ କିନ୍ତୁ ସଂଖ୍ୟା ତୁଳନାରେ ଏମାନଙ୍କ ନିକଟରେ ୧୧% କମ୍ ସମ୍ପତ୍ତି ରହିଛି। ସେହିଭଳି ଏସଟିଙ୍କ ସଂଖ୍ୟା ୯% ହୋଇଥିବାବେଳେ ସଂଖ୍ୟା ତୁଳନାରେ ଏମାନଙ୍କ ନିକଟରେ ୨% କମ୍ ସମ୍ପତ୍ତି ରହିଛି। ଓବିସିମାନେ ୨୦୦୨ ମସିହାରେ ୩୨% ସମ୍ପତ୍ତିର ଅଧିକାରୀ ହୋଇଥିବାବେଳେ ୨୦୧୨ରେ ଏଥିରେ ଅଳ୍ପ ବୃଦ୍ଧି ଘଟିଛି । ଫଳରେ ଏମାନଙ୍କ ସଂଖ୍ୟା ତୁଳନାରେ ସମ୍ପତ୍ତିର ପାର୍ଥକ୍ୟ ୭.୮%ରୁ ୧୦.୨%କୁ ବୃଦ୍ଧି ପାଇଛି । ଉଚ୍ଚଜାତିର ଲୋକଙ୍କ ସମ୍ପତ୍ତି ୩୯%ରୁ ୪୧%କୁ ବୃଦ୍ଧି ଘଟିଛି।