ସମ୍ବଲପୁର ବୁର୍ଲା ପାୱାର କେନାଲରେ ଅଘଟଣ ! ମା’ ଆଖି ଆଗରେ ବୁଡିଗଲା ୫ ବର୍ଷର ପୁଅ

83

କନକ ବ୍ୟୁରୋ : ସମ୍ବଲପୁର ବୁର୍ଲା ପାୱାର କେନାଲରେ ଅଘଟଣ । କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଗଲା ୫ ବର୍ଷର ଶିଶୁ ପୁତ୍ର । ରାଉରକେଲାରୁ ସମ୍ବଲପୁରକୁ ଜଣେ ସଂପର୍କୀୟଙ୍କ ବାହାଘରକୁ ଆସିିଥିବା ବେଳେ ଘଟିଛି ଏଭଳି ଏକ ଅଘଟଣ ।

ମା’ର ଆଖି ଆଗରେ ଉବୁଟୁବୁ ହେଉଥାଏ କୁନି ପିଲା । ପାୱାର କେନାଲର ଖିପ୍ର ସୁଅରେ ଚାହୁଁ ଚାହୁଁ ଭାସିଯାଉଥାଏ । ପିଲାଟିକୁ ବଂଚାଇବା ପାଇଁ କୂଳ ରଡି ଛାଡୁଥାଏ ମା’ । ନେହୁରା ହେଉଥାଏ, ଆକୁଳ ନିବେଦନ କରୁଥାଏ । ହେଲେ ଆଗକୁ କେହି ଆସୁନଥାନ୍ତି । ମାତ୍ର କେଇ ମିନିଟ ଭିତରେ ସବୁ କିଛି ସରିଗଲା । ଆଖି ଆଗରେ ବୁଡିଗଲା ୫ବର୍ଷର ପୁଅ ।

ଆଉ ଏବେ ପୁଅକୁ ବାହୁନି ହୋଇ କାନ୍ଦୁଛି ପୁରା ପରିବାର । ରାଉରକେଲା ଗଙ୍ଗାଧରପାଲିର ବିରେନ୍ଦ୍ର ସାଙ୍କ ପତ୍ନୀ, କୁନି ପୁଅ ଅରମାନ୍ ସାଙ୍କୁ ସାଥିରେ ସମ୍ବଲପୁରକୁ ଆସିଥିଲେ ସଂପର୍କୀୟଙ୍କ ଜଣେ ବାହାଘରକୁ । ଆଉ ଗାଧୋଇବାକୁ ଯାଇଥିବା ବେଳେ ଘଟିଲା ଏହି ଘଟଣା । ଯାହା ମା କୋଳରୁ ପୁଅକୁ ଛଡ଼ାଇ ନେଲା ।

ପୁଅକୁ ଗାଧୋଇ ଦେଇ କୁଳରେ ବସାଇ ନିଜେ ଗାଧୋଇବା ପାଇଁ ପାଣିକୁ ଓହ୍ଲାଇଥିଲେ ମା’ ଗୁଡ଼ି ସା । ହଠାତ୍ ପଛକୁ ଅନାଇଲା ବେଳକୁ ଆଉ ପୁଅ କୁଳରେ ନାହିଁ । ଅରମାନ ପାଣିରେ ଭାସି ଯାଉଥିବା ଶୁଣି, ରୁଣ୍ଡ ହୋଇଗଲେ ସ୍ଥାନୀୟ ଲୋକ । ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଲା ବେଳକୁ ଆଉ କିଛି ନଥିଲା । ଶେଷରେ ଅରମାନଙ୍କ ମୃତଦେହ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଯୁବକ ।

ହସଖୁସିରେ ବାହାଘରକୁ ଆସିଥିବା ମା’ ମୁହଁରୁ ଏବେ ସବୁ ଦିନ ପାଇଁ ହସ ଶୁଖି ଯାଇଛି । ଆଉ ଏହି ଘଟଣା ଏବେ ସମଗ୍ର ଅଚଂଳରେ ଶୋକର ଛାୟା ଖେଳିଯାଇଛି ।