ହାୱଡା-ଯୋଧପୁର ଏକ୍ସପ୍ରେସରେ ଅଘଟଣ! ଇଜ୍ଜତ ବଂଚାଇବାକୁ ଟ୍ରେନରୁ ଡେଇଁଲେ ମହିଳା ! ଗରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

29

କନକ ବ୍ୟୁରୋ : ନିଜ ଇଜ୍ଜତକୁ ବଂଚାଇବାକୁ ଟ୍ରେନରୁ ଡେଇଁଲେ ମହିଳା । ଉତ୍ତରପ୍ରଦେଶର କାନପୁରରେ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ସେ ଟ୍ରେନରୁ ଡେଇଁ ପଡିଥିଲେ । ୪୦ ବର୍ଷୀୟ ମହିଳା ନିଜ ୧୫ ବର୍ଷର ଝିଅ ସହ ହାଓଡା-ଯୋଧପୁର ଏକ୍ସପ୍ରେସରେ କଲିକତାରୁ ଦିଲୀ ଯାଉଥିଲେ । ଏହି ସମୟରେ ୧୫ ଜଣ ଯୁବକ ମହିଳାଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିଲେ । ଏହାକୁ ନେଇ ମହିଳା ଜଣକ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ୩ ଜଣ ବଦମାସଙ୍କୁ ଗିରଫ କରିଥିଲା ।

ତେବେ କିଛିସମୟ ପରେ ଏହି ଯୁବକମାନେ ପୁଣି ଫେରିଆସି ମା-ଝିଅଙ୍କୁ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାସହ ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହାପରେ ମା ଓ ଝିଅ ଟ୍ରେନରୁ ଡେଇଁ ପଡିଥିଲେ । ଟ୍ରେନରୁ ଡେଇଁ ପଡିବା ଫଳରେ ମହିଳା ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି । ଏବେ ଏମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ ଏହି ମାମଲାର ଛାନଭିନ ଚଳାଇଛି ।