ଚଳିତ ବର୍ଷ ଦେଶରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କଲା ପୂର୍ବାନୁମାନ

ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ

143

କନକ ବ୍ୟୁରୋ : ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଦେଶର ଏକମାତ୍ର ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ମଧ୍ୟ ଅଳ୍ପ କିଛି ମାତ୍ରାରେ ରହିଛି ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ସ୍କାଏମେଟର ଏହି ପୂର୍ବାନୁମାନ ଭାରତୀୟ କୃଷକଙ୍କ ସମେତ ଅର୍ଥନୀତି ପାଇଁ ଖୁସି ଖବର ଆଣିଛି।

ମୌସୁମୀ ବର୍ଷା ସ୍ୱାଭାବିକ ରହିଲେ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ବି ଅଧିକ ରହିବ। ଦେଶରେ ଜୁନରୁ ମୌସୁମୀ ଋତୁ ଆରମ୍ଭ ହୋଇଥାଏ। ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ହୋଇଥାଏ। ଗତ ୫୦ ବର୍ଷ ମଧ୍ୟରେ ଦେଶରେ ମୌସୁମୀ ଋତୁରେ ହୋଇଥିବା ହାରାହାରି ବର୍ଷାକୁ ହିସାବକୁ ନେଇ ନିଅଣ୍ଟିଆ, ସ୍ୱାଭାବିକ ଏବଂ ଅଧିକ ବର୍ଷା ଆକଳନ କରାଯାଇଥାଏ। ଦେଶରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ ମୌସୁମୀ ବର୍ଷା ସ୍ୱାଭାବିକ ବୋଲି କୁହାଯାଇଥାଏ। ପ୍ରତିବର୍ଷ ଦେଶରେ ହେଉଥିବା ମୋଟ ବର୍ଷାର ପ୍ରାୟ ୭୦ ପ୍ରତିଶତ ମୌସୁମୀ ଯୋଗୁ ହୋଇଥାଏ। ସ୍କାଏମେଟ୍ ବ୍ୟତୀତ ସରକାରଙ୍କ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ମୌସୁମୀ ବର୍ଷା ନେଇ ପୂର୍ବାନୁମାନ ପ୍ରକାଶ କରିଥାଏ।