ସୁରକ୍ଷିତ ଅଛି ତ ସେତୁ !! ଅସୁରକ୍ଷିତ ଅବସ୍ଥାରେ ସୋନପୁର ତେଲନଦୀ ସେତୁ, କେତେବେଳେ କଣ ହେବ ତାହାକୁ ନେଇ ପ୍ରକାଶ ପାଇଲା ଆଶଙ୍କା

147

କନକ ବ୍ୟୁରୋ : ସୋନପୁର ତେଲନଦୀ ସେତୁ ନିର୍ମାଣ ପରେ ପୂର୍ବ ଓଡିଶା ସହିତ ପଶ୍ଚିମ ଓଡ଼ିଶାର ଦୂରତା କମିବା ସହିତ ବ୍ୟବସାୟିକ ଅଭିବୃଦ୍ଧି ଘଟିଥିଲା। ଏବେ କିନ୍ତୁ ଏହି ତେଲନଦୀକୁ ଦେଖିଲେ ସାଧାରଣରେ ଏହାର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରୁଛନ୍ତି। ବହୁ ଦିନ ହେବ ସୋନପୁର ତେଲନଦୀ ସେତୁ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।

ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ସଂଯୋଗ କରିବା ପାଇଁ ୭୦ ଦଶକରେ ଏହି ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା। ଏହି ସେତୁ ନିର୍ମାଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୦ ଜୁନ ୧୯୭୦ରେ ଶୁଭ ଦେଇଥିଲେ। ୨୧୦୪ ଫୁଟ ବିଶିଷ୍ଟ ଏହି ସେତୁ ସେହି ସମୟରେ ୩୧.୮୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ୨ ଡିସେମ୍ବରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୩ ମାର୍ଚ୍ଚ ୧୯୭୩ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ସେତୁକୁ ତତ୍କାଳୀନ ରାଜ୍ୟପା‌ଳ ବିଡି ଜଟ୍ଟି ୧୧ ନଭେମ୍ବର ୧୯୭୩ରେ ଉଦ୍‌ଘାଟନ କରିଥିଲେ। ସୋନପୁର ତେଲନଦୀ ସେତୁ ନିର୍ମାଣ କେବଳ ସୋନପୁର ନୁହେଁ ବଲାଙ୍ଗୀର, କଳାହାଣ୍ଡି,ନୂଆପଡା ଆଦି ଅନ୍ୟାନ୍ୟ ଅଞ୍ଚଳର ପୂର୍ବ ଓଡ଼ିଶାକୁ ଦୂରତା କମିଥିଲା ଏବଂ ପୂର୍ବ ଓଡ଼ିଶାକୁ ସଂଯୋଗର ମା‌ଧ୍ୟମ ପାଲଟିଥିଲା ତଥା ପୂର୍ବ ଓଡ଼ିଶାକୁ ଦୂରତା ହ୍ରାସ ପାଇଥିଲା।‌

ଏଥି ମଧ୍ୟରେ ୪୬ ବର୍ଷ ବିତିଯାଇଛି କିନ୍ତୁ ସେତୁଟି ବିଭିନ୍ନ କାରଣରୁ ଅବହେଳାର ଶିକାର ପାଲଟିଛି। ସେତୁ ଉପରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହିତ ସଙ୍କୋଚନ ପ୍ରସାରଣ ପାଇଁ ଥିବା ଯନ୍ତ୍ରପାତି ଚୋରି ହେବା ଫଳରେ ସେତୁର ସୁରକ୍ଷା ନେଇ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସେତୁର ଉଭୟ ପାର୍ଶ୍ବରେ ଗର୍ତ୍ତ ସୃଷ୍ଟି ହେଉଛି। ବିଭାଗ ଖାଲି ମରାମତି କରି ଦେଇ ଚୁପ୍‌ ବସୁଛି ବିଭାଗ। ଏହି ମରାମତି ମାତ୍ର ଦିନ କେଇଟା ରହୁଛି ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ମରମତି ନାଁରେ କେବଳ ଠିକାଦାର ପୋଷା ଛଡ଼ା ଅନ୍ୟ କିଛି ନୁହେଁ। ଏହରା ସ୍ଥାୟୀ ସମାଧାନ ପାଇଁ ଜନ ସାଧାରଣ ଦାବି କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଖୋର୍ଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ମାନ୍ୟତା ପାଇଲା ପରେ ଏହି ସେତୁ ଜାତୀୟ ରାଜପଥ ବିଭାଗକୁ ଯାଇଛି। ତେବେ ଜାତୀୟ ରାଜପଥ ବିଭାଗ ଏହାର ସ୍ଥାୟୀତ୍ବ ନେଇ ଯତ୍ନବାନ ନଥିବା ସାଧାରଣରେ ଅଭିଯୋଗ ହେଉଛି। ଏହାର ସ୍ଥାୟୀ ମରାମତି ଦାବି କରାଯାଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ କର୍ଣ୍ଣପାତ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି।

ଆଗରୁ ସେତେ ଭାରୀ ଯାନ ଯାଉନଥିଲା, ଏବେ ଏହି ସେତୁ ଉପରେ ଅଧିକ ଭାରି ଯାନ ଯାଉଛି ଯାହାକି ସେତୁ ସୁରକ୍ଷା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସେପଟେ ସେତୁର ଉଭୟ ପାର୍ଶ୍ବରେ ବେଆଇନ ଭାବରେ କେବୁଲ ତାର ବିଛାଯାଇ କଂକ୍ରିଟ କରାଯାଇଥିବାରୁ ସେତୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହି ସେତୁ ନିର୍ମାଣ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ‌ରେ ଆର୍ଥିକ ଅଭିବୃଦ୍ଧି ଘଟିଛି। ଏଭଳି ଏକ ସେତୁର ସୁରକ୍ଷା ନେଇ ଯେତିକି ଧ୍ୟ‌ାନ ଦେବାର କଥା ଦିଆଯାଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଏଣୁ ଏହି ସେତୁର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।