ଭଗବାନ ଭରସାରେ କେଜ୍ରିଓ୍ଵାଲ ! ଲାଭଜନକ ପଦ ମାମଲା ଘୋଷଣା ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, କହିଲେ ସତ୍ୟର ବିଜୟ ହେବ

44

କନକ ବ୍ୟୁରୋ : ଲାଭଜନକ ପଦ ମାମଲାରେ ଆପର ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏହି ବିବାଦରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସେ କହିଛନ୍ତି, ଇତିହାସ ସାକ୍ଷୀ ଅଛି । ସତ୍ୟର ଜୟ ହେବ । ଅଫିସ ଅଫ୍ ପ୍ରଫିଟ ଅର୍ଥାତ୍ ଲାଭଜନକ ପଦବୀରେ ରହିବା ଅଭିଯୋଗ କରି ଏହି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ଯଦି ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦିଅନ୍ତି ତେବେ ଦିଲ୍ଲୀର ୨୦ଟି ନିର୍ବାଚନ ମଣ୍ଡଳୀରେ ପୁଣିଥରେ ନିର୍ବାଚନ ହେବ ।

arvind-kejriwal_ସୂଚନାଯୋଗ୍ୟ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି ସରକାରକୁ ବଡ଼ ଧରଣର ଝଟକା ଲାଗିଛି । ଆପର ୨୦ ଜଣ ବିଧାୟକ ଲାଭଜନକ ପଦ ପଦବୀରେ ଥିବା ମାମଲାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ସେମାନଙ୍କ ସଦସ୍ୟତା ରଦ୍ଦ ପାଇଁ  ରାଷ୍ଟ୍ରପତିଙ୍କୁ ସୁପାରିସ୍ କରିଛନ୍ତି । ଏହି ବିଧାୟକମାନେ ବିଭିନ୍ନ ସଂସଦୀୟ ସଚିବ ପରି ଲାଭଜନକ ପଦବୀରେ ରହିଥିବାରୁ ସେମାନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଇଥିବା ଚିଠିରେ ଅନୁରୋଧ କରିଥିବା ଜଣାଯାଇଛି । ତେବେ ସିଇସି ତାଙ୍କ ଚିଠିରେ ପ୍ରକୃତରେ କ’ଣ ସୁପାରିସ କରିଛନ୍ତି, ସେ ସମ୍ପର୍କରେ କିଛି ଟିପ୍ପଣୀ କରିବାକୁ ସେ ମନାକରିଦେଇଛନ୍ତି ।

ସୂଚନାଥାଉ କି, ଆପର ଏହି ବିଧାୟକମାନେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ସଂସଦୀୟ ସଚିବ ପଦବୀରେ ନିଯୁକ୍ତ ଥିଲେ । ତେବେ ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ଉପଭୋଗ କରିଛନ୍ତି ବୋଲି ଦିଲ୍ଲୀର ଆଇନଜୀବୀ ପ୍ରଶାନ୍ତ ପଟେଲ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ସେମାନେ ବିଧାୟକ ଏବଂ ସଂସଦୀୟ ସଚିବ ଭାବେ ଉଭୟ ପଦବୀ ପାଇଁ ଭତ୍ତା ସମେତ ଅନ୍ୟାନ୍ୟ ଫାଇଦା ହାତେଇଥିବାରୁ ସେମାନଙ୍କ ବିଧାୟକ ପଦବୀ ରଦ୍ଦ କରିବାକୁ ଆବେଦନକାରୀ ଦାବି କରିଥିଲେ ।

ସେହିପରି କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଅନୁରୂପ କାରଣ ଦର୍ଶାଇ ଆପର ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସିଇସିଙ୍କୁ ଦାବି ଜଣାଇଥିଲା । ପରେ ସଂପୃକ୍ତ ବିଧାୟକମାନଙ୍କ ଠାରୁ ସିଇସି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ତେବେ ସେମାନଙ୍କ ବିରୋଧରେ ହୋଇଥିବା ଲାଭଜନକ ପଦବୀ ହାତେଇବା ମାମଲା ହଟେଇନେବାକୁ ସେମାନେ ସିଇସିଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏପରି ସଙ୍ଗିନ ମାମଲା ସେହିପରି ଚାଲୁରହିବ ବୋଲି ସିଇସି ସ୍ପଷ୍ଟ କରିଥିଲେ ।

ଅପରପକ୍ଷେ, ସଂପୃକ୍ତ ବିଧାୟକମାନେ ରହିଥିବା ସଂସଦୀୟ ସଚିବ ପଦବିଗୁଡ଼ିକୁ ଲାଭଜନକ ପଦବୀkejriwal ତାଲିକାରୁ ବାଦ୍ କରିବା ପାଇଁ ଆପ୍ ସରକାର ୨୦୧୫ ମାର୍ଚ୍ଚରେ ଏକ ସଂଶୋଧିତ ବିଧେୟକ ଆଣି ତାହାର ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ । ମାତ୍ର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଥିରେ ସମ୍ମତ ହୋଇନଥିଲେ । ଅପରପକ୍ଷେ, ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ବିନା ଆପ୍ ସରକାର ସୃଷ୍ଟି କରିଥିବା ସେହି ସବୁ ସ୍ୱତନ୍ତ୍ର ପଦବିଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟ ୨୦୧୬ ସେପ୍ଟେମ୍ବରରେ ବେଆଇନ ଘୋଷଣା କରିବା ସହ ରଦ୍ଦ କରିଦେଇଥିଲେ । ତେବେ ଯେତିକି ସମୟ ହେଉ ପଛକେ, ସଂପୃକ୍ତ ବିଧାୟକମାନେ ଲାଭଜନକ ପଦବି ହାତେଇଥିବାରୁ ପରିଣାମ ସ୍ୱରୂପ ସେମାନଙ୍କୁ ନିଜ ବିଧାୟକ ପଦ ହରାଇବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

ଲାଭଜନକ ପଦବୀ ହାସଲ ମାମଲାରେ ନିର୍ବାଚନ ଆୟୋଗଙ୍କ ପରେ ଆଜି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆପ୍ ବିଧାୟକମାନଙ୍କୁ ନିରାଶ କରିଛନ୍ତି । ଅଭିଯୁକ୍ତ ବିଧାୟକମାନଙ୍କୁ ମାନ୍ୟବର ଅଦାଲତ ଅନ୍ତରୀଣ ସୁରକ୍ଷା ଦେବାକୁ ରୋକଠୋକ ମନା କରିଦେଇଛନ୍ତି । ସେପଟେ ସୋମବାର ଏନେଇ ନିର୍ବାଚନ କମିଶନ କୋର୍ଟରେ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉ କି, ସଂପୃକ୍ତ ୨୦ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଠାଇଥିବା ସୁପାରିସ ଉପରେ ରୋକ ଲଗାଇବା ପାଇଁ ଆପ୍ ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଆଶ୍ରୟ ନିଆଯାଇଥିଲା । ମାତ୍ର ସେପରି ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି । ସେହିପରି ସିଇସି ପ୍ରକୃତରେ ରାଷ୍ଟ୍ରପତିଙ୍କୁ କ’ଣ ସୁପାରିସ କରିଛନ୍ତି, ତାହାର ସବିଶେଷ ତଥ୍ୟ କୋର୍ଟକୁ ଜଣାଇବାକୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରେଖା ପାଲ୍ଲୀ ନିର୍ବାଚନ କମିସନଙ୍କୁ କହିଛନ୍ତି ।