ବିଜେପି ଫୋକସରେ ଓଡିଶା: ୨୪ରେ ଆସୁଛନ୍ତି ମୋଦୀ, ଫେବୃୟାରୀ ୨ରେ ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନରେ ଯୋଗ ଦେବାକୁ ଓଡିଶା ଆସିବେ ଶାହା

ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ଦୁଇ ଦିନ ଧରି ଆୟୋଜିତ ହେବ

333

କନକ ବ୍ୟୁରୋ: ବିଜେପି ଫୋକସରେ ଓଡିଶା । ପଶ୍ଚିମ ଭାରତରେ ବିଜେପିର ଦବଦବା କମିବାରେ ଲାଗିିଥିବାବେଳେ ପୂର୍ବଭାରତ ଉପରେ ଫୋକସ କରୁଛି ବିଜେପି । ଏହି କ୍ରମରେ ଓଡିଶାକୁ ଗୁରୁତ୍ୱ ଦେଉଛି ଭାରତୀୟ ଜନତା ପାର୍ଟି । ଏଥିପାଇଁ ଓଡିଶାକୁ ଜାତୀୟ ସ୍ତରର ନେତା ବାରମ୍ବାର ଆସିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ କରୁଛି ଦଳ ।

ଆସନ୍ତା ଜାନୁୟାରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବାକୁ ଥିବାବେଳେ ଫେବ୍ରୁଆରୀ ୨ରେ ଅଧ୍ୟକ୍ଷ ଅମିତ ଶାହା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପି ଜନଜାତି ମୋର୍ଚ୍ଚାର ମହାଅଧିବେଶନ ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ଦୁଇ ଦିନ ଧରି ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିତ ଶାହା ।

ସେପଟେ ଡିସେମ୍ବର ଶେଷ ସପ୍ତାହରେ ହେବ ଓଡିଶାରେ ରାଜନୀତିର ଦୁଇ ଦୁଇଟି ବିଗ ସୋ’ । ଶକ୍ତି ପ୍ରଦର୍ଶନ କରିବେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ । ଗୋଟିଏ ପଟେ ୧୮ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ, ଅନ୍ୟପଟେ ଶାସନକୁ ଫେରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଭାରତୀୟ ଜନତା ପାର୍ଟି । ଆସନ୍ତା ଡିସେମ୍ବର ୨୬ରେ ବିଜୁ ଜନତା ଦଳ ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ଡିସେମ୍ବର ୨୬ରେ ବିଜେଡି ପୂର୍ଣ୍ଣ କରିବାକୁ ଯାଉଛି ୨୧ ବର୍ଷ । ନିର୍ବାଚନ ବର୍ଷ ହୋଇଥିବାରୁ ପ୍ରତିଷ୍ଠା ଦିବସକୁ ମହାଆଡମ୍ବରରେ ପାଳନ କରିବା ପାଇଁ ଯୋଜନା କରୁଛି ଦଳ । ତୃଣମୂଳ ସ୍ତରରେ ଦଳ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡିଂ ଓ ସରକାରୀ ଯୋଜନାର ସଫଳତାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛି ବିଜେଡିି । ତେଣୁ ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ବ୍ଲକ ସ୍ତରରେ ଦଳ ପାଳନ କରିବ ପ୍ରତିଷ୍ଠା ଦିବସ ।

ବିଜୁ ଜନତା ଦଳକୁ ଟକ୍କର ଦେବା ପାଇଁ ଯୋଜନା କରିଛି ବିଜେପି । ୧୨୦ ପ୍ଲସ ମିଶନକୁ ସାକାର ପାଇଁ ନୂଆ ରଣନୀତିରେ ମଇଦାନକୁ ଓହ୍ଲାଉଛି ଭାରତୀୟ ଜନତା ପାର୍ଟି । ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଡିସେମ୍ବର ୨୪ରେ ଓଡିଶାରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ବିଜେପି । ଏହି ଯୁଦ୍ଧରେ ସାମିଲ ହେବେ ବିଜେପିର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଶେଷ ହୋଇଥିବା ୩ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଥିବା ବେଳେ କର୍ମୀଙ୍କ ମନୋବଳ ବଢ଼ାଇବେ ମୋଦୀ । ତେବେ ଦୁଇ ଦଳର ଏହି ଶକ୍ତି ପ୍ରଦର୍ଶନରେ କେଉଁ ଦଳକୁ କେତେ ଫାଇଦା ମିଳୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।