କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତିରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ନେଇ ଚର୍ଚ୍ଚା: ଶୁଭେଚ୍ଛା ଜଣାଇଣା ସହ କହିଲେ, ଲୋକଙ୍କ ଆଶା ପୂରଣ କରିବେ ମୋଦି ସରକାର

45

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାରଙ୍କ ୪ବର୍ଷ ପୂର୍ତିରେ ଚାରିଆଡୁ ଶୁଭେଚ୍ଛାର ଶୁଅ ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା । ଗତକାଲି ନୀତିଶ କୁମାର କରିଥିବା ଟ୍ୱିଟରେ ମୋଦି ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ଟିପ୍ପଣୀ ମଧ୍ୟ କରିଛନ୍ତି । ନୀତିଶ ଲେଖିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ଲୋକଙ୍କ ଆଶା ଅନୁଯାୟୀ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଗତବର୍ଷ ବିହାରରେ ଆସିଥିବା ବନ୍ୟା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାକୁ ନେଇ ଖୁସି ନାହାନ୍ତି ନୀତିଶ କୁମାର । ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟପାଇଁ କେନ୍ଦ୍ର ସରକାର ବିହାରକୁ ୧୭ଶହ ୧୧ କୋଟି ଟଙ୍କା ସହାୟତା ଦେଇଛନ୍ତି । ହେଲେ ଏହାକୁ ନେଇ ସନ୍ତୁଷ୍ଟ ନୁହନ୍ତି ବିହାରରେ ବିଜେପି ସହ ମେଂଟ ସରକାରରେ ଥିବା ନୀତିଶ କୁମାର ।

ସେପଟେ ଗତକାଲି ବିଭିନ୍ନ ବ୍ୟାଙ୍କ ସହ ଆଲୋଚନା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ସରକାରଙ୍କ ଉପଲବ୍ଧି ହୋଇଛି ଯେ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନମିଳିଲେ ରାଜ୍ୟକୁ ଘରୋଇ ନିବେଶ ବଢିବା ସମ୍ଭାବନା କମ୍ । ତେଣୁ ଏହାକୁ ନେଇ ମଧ୍ୟ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିରେ ଟିଡିପି ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏରୁ ଓହରିଯିବା ପରି ନୀତିଶ କୁମାର ମଧ୍ୟ ଏଭଳି ନିଷ୍ପତି ନେଇପାରନ୍ତି । ପୂର୍ବରୁ ମୋଦି ବିରୋଧୀ ଭାବେ ଜଣାଶୁଣା ନୀତିଶ କୁମାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଦଳୁଥିବା ରାଜନୈତିକ ସମୀକରଣକୁ ଦେଖି କେଉଁ ଆଡକୁ କଡ ଲେଉଟାଇବେ ତାହା କହିବା ମୁସ୍କିଲ । କାରଣ ବିହାରରେ କ୍ଷମତାରେ ରହିବାକୁ ସେ ବାଧ୍ୟବାଧକତାରେ ଆରଜେଡିର ହାତ ଧରିଥିଲେ । ଆଉ ପୁଣି ବିଜେପିର ହାତ ଧରି ସରକାର ଚଳାଉଛନ୍ତି ।

ଅନ୍ୟପଟେ, ମୋଦିଙ୍କ ୪ବର୍ଷ ପୁର୍ତି ଅବସରରେ ରାହୁଲ ମୋଦିଙ୍କୁୁ ଦେଇଛନ୍ତି ରିପୋର୍ଟ କାର୍ଡ । କୃଷି, ନିଯୁ୍କ୍ତି ସୃଷ୍ଟି, ବିଦେଶ ନୀତିରେ ମୋଦିଙ୍କୁ ଏଫ ଗ୍ରେଡ଼ ଦେଇଛନ୍ତି ରାହୁଲ । ଅର୍ଥାତ ଫେଲ ବୋଲି ଲେଖିଛନ୍ତି । ସ୍ଲୋଗାନ ବାଜି ଆତ୍ମପ୍ରଚାରରେ ଏ ପ୍ଲସ ଗ୍ରେଡ଼ ଦେଇଛନ୍ତି । ଯୋଗରେ ବି ମାଇନସ ଗ୍ରେଡ଼ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଗତକାଲି କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତିରେ କଟକରେ ନିଜର ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ଏହି ଦିନକୁ ସାରା ଦେଶରେ ବିଶ୍ୱାସଘାତ ଦିବସ ଭାବେ ପାଳନ କରିଥିଲା କଂଗ୍ରେସ । ଆଉ ଦେଶରେ ଦେଖାଦେଇଥିବା ଚାଷୀ ସମସ୍ୟା, ତୈଳ ଦର ବୃଦ୍ଧି ଓ ପଡୋଶୀ ରାଷ୍ଟ୍ର ମାନଙ୍କ ସହ ବଢ଼ୁଥିବା ତିକ୍ତତାକୁ ନେଇ ଖୁବ୍ କଡା ଢ଼ଙ୍ଗରେ ସମାଲୋଚନା କରିଛି କଂଗ୍ରେସ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ମୋଦି ବିରୋଧୀ ଗୋଷ୍ଠୀଙ୍କୁ ଏକାଠି କରି ରାଜନୈତିକ ଲଢ଼େଇକୁ ଜୋରଦାର କରିଛି କଂଗ୍ରେସ । ଯାହାର ନେତୃତ୍ୱ ନେଉଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।