ନିରବ ମୋଦି କାହାଣୀରେ ନୁଆ ମୋଡ଼ ! ଉପସ୍ଥିତି ସ୍ପଷ୍ଟ କରିବାକୁ ଆମେରିକାର ମନା

18

କନକ ବ୍ୟୁରୋ: ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ଆମେରିକୀୟ ଅଦାଲତରୁ ବଡ଼ ରିହାତି ମିଳିଛି । ନିରବଙ୍କ କମ୍ପାନୀ ଫାୟାରଷ୍ଟାରର ଦେବାଳିଆ ଘୋଷଣା ପ୍ରକ୍ରିୟା ଜାରି ରହିଥିବାରୁ ଋଣଦାତା ୱସୁଲି କରିପାରିବେ ନାହିଁ ଅନ୍ତରୀଣ ଆଦେଶ ପ୍ରଦାନ କରି ଛନ୍ତି । ଅନ୍ୟପଟେ ନିରବ ମୋଦି ଆମେରିକାରେ ରହୁଛନ୍ତି କି ନାହିଁ ତାହା ଆମେରିକା ସ୍ପଷ୍ଟ କରିପାରିବ ନାହିଁ ବୋଲି ଜଣାଇଦେଇଛି । ନିରବ ମୋଦି ଘୋଟାଲା ସମ୍ପର୍କିର୍ତ ମିଡ଼ିଆ ରିପୋର୍ଟ ଉପରେ ଆମେରିକା ଅବଗତ ଥିବା ସତ୍ୱେ ତାଙ୍କ ଉପସ୍ଥିତି ବିଷୟରେ ସ୍ପଷ୍ଟ କରିବାକୁ ମନା କରିଦେଇଛି । ଯାହା ଘଟଣାକୁ ଆହୁରି ରୋଚକ କରିଛି ।

ପୂର୍ବରୁ ମେହୁଲ ଚୋକସିଙ୍କ ୧୨୦୦ କୋଟି ଟଙ୍କାର ୪୧ଟି ସମ୍ପତିକୁ ଜବତ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ସେହିପରି ନିରବ ମୋଦିଙ୍କ ୨୧ଟି ସମ୍ପତିକୁ ମଧ୍ୟ ଇଡ଼ି ଜବତ କରିଥିଲା ଯାହାର ମୂଲ୍ୟ ପାଖାପାଖି ୫୨୩ କୋଟି ଟଙ୍କା ହେବ । ଅନ୍ୟପଟେ ତଦନ୍ତ ବେଳେ ନିରବ ମୋଦି ସିବିଆଇକୁ ସହଯୋଗ କରିପାରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ ଯାହା କେନ୍ଦ୍ର ସରକାରଙ୍କ ପାଇଁ ବି ଅଡୁଆ ସୃଷ୍ଟି କରିଥିଲା ।

ବେଲଜିୟମରେ ଜନ୍ମିତ ନୀରବ ୧୯ ବର୍ଷ ବୟସରେ ଆମେରିକା ହ୍ୱାର୍ଟନରେ ପଢ଼ା ଅଧାରୁଛାଡ଼ି ଭାରତ ଚାଲିଆସନ୍ତି ଓ ଦାଦାଙ୍କ ନିର୍ଦ୍ଦେଶରେ ପାଦରଖନ୍ତି ବ୍ୟବସାୟରେ । ୧୯୯୯ରେ ଫାୟାରଷ୍ଟାର୍ କମ୍ପାନୀ ପ୍ରତିଷ୍ଠା କରି ଆରମ୍ଭ କରନ୍ତି ସ୍ୱତନ୍ତ୍ର ବ୍ୟବସାୟ । ତେବେ ୨୦୧୦ ମସିହାରେ ନୀରବ ମୋଦି ବ୍ରାଣ୍ଡ ସହ ଦିଲ୍ଲୀ, ମୁମ୍ବାଇ ଓ ଲଣ୍ଡନ ପରି ୧୬ଟି ସହରରେ ନିଜର ହୀରା ଦୋକାନ ଖୋଲନ୍ତି । ଜଣାଶୁଣା ଫିଲ୍ମ କଳାକାରଙ୍କ ଜରିଆରେ ନୀରବ ମୋଦି ବ୍ରାଣ୍ଡ ଦେଶବିଦେଶରେ ପରିଚିିତ ପାଲଟିଯାଏ । ପଂଜାବ୍ ନ୍ୟାସନାଲ ବ୍ୟାଙ୍କର ସବୁଠୁ ବଡ଼ ଦୁର୍ନୀତିରେ ନୀରବ ମୋଦି ଏବେ ମୁଖ୍ୟ ଅଭିଯୁକ୍ତ । ଋଣ ପରିଶୋଧ ପାଇଁ ଅକ୍ଷମତା ପ୍ରକାଶ କରିବା ଏବେ ନିରବଙ୍କୁ ରଖିଛି ଚର୍ଚ୍ଚାରେ ।