ଚର୍ଚ୍ଚାରେ ଆଇଆଇଟି ବମ୍ବେ । କ୍ଲାସରୁମ ପରେ ହଷ୍ଟେଲରେ ପଶିଲା ଗାଈ, ଖାଇଗଲା ଛାତ୍ରଙ୍କ ବହି ।

186

କନକ ବ୍ୟୁରୋ : ପୁଣିଥରେ ଗାଈକୁ ଚର୍ଚ୍ଚାରେ ଆଇଆଇଟି ବମ୍ବେ । କ୍ଲାସରୁମ ପରେ ହଷ୍ଟେଲରେ ଗାଈ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ଯେ ଗାଈଟି ହଷ୍ଟେଲରେ ପଶିଛି ତାହା ନୁହେଁ ବରଂ କିଛି ଛାତ୍ରଙ୍କ ବହିର କିଛି ପୃଷ୍ଠା ମଧ୍ୟ ଖାଇଛି । ବମ୍ବେ ଆଇଆଇଟିର ହଷ୍ଟେଲ ନମ୍ବର-୩ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଜଣେ ୟୁଜର୍ସ ଗାଈର ଫଟୋ ନେବା ସହ ଲେଖିଛନ୍ତି, ଏହି ଅଞ୍ଚଳରେ ପୂର୍ବରୁ କୁକୁରଙ୍କ ସଂଖ୍ୟା ଅଧିକ ଥିଲା । ଆଉ ଏବେ ଗାଈଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ତେଣୁ ଏହା ଉପରେ ଆଇଆଇଟି କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ । ଏହାପୂର୍ବରୁ ଜୁଲାଇ ମାସରେ ମଧ୍ୟ ଆଇଆଇଟି ବମ୍ବେରେ କ୍ଲାସ ଚାଲିଥିବା ବେଳେ ଏକ ଗାଈ କ୍ଲାସ ରୁମ ମଧ୍ୟକୁ ପଶି ଆସିଥିଲା । ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେତେବେଳେ ଲୋକେ ମଜାଳିଆ ଢଙ୍ଗରେ ପଚାରିଥିଲେ କଣ ଗାଇ ବି ଜେଇଇ ପରୀକ୍ଷା ପାସ୍ କରିଛି?

ତେବେ ଆଇଆଇଟି ବମ୍ବେର କର୍ତ୍ତୃପକ୍ଷ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଫଟୋ ବମ୍ବେ ଆଇଆଇଟି ହଷ୍ଟେଲର ବୋଲି ସେମିତି କୌଣସି ପ୍ରମାଣ ନାହିଁ । ତେବେ କ୍ୟାମ୍ପସରେ ବୁଲା କୁକୁର ଓ ଗାଈଗୋରୁଙ୍କ ସଂଖ୍ୟା ବଢିଥିବାର ସ୍ୱୀକାର କରିଛନ୍ତି ଆଇଆଇଟି ବମ୍ବେ କର୍ତ୍ତୃପକ୍ଷ ।