‘ଚାକିରି ପାଇଁ ପକୁଡି ଥିଓରୀ’ ! ରାଜ୍ୟସଭାରେ ଅମିତ ଶାହ କହିଲେ ବେରୋଜଗାର ରହିବା ଅପେକ୍ଷା ପକୁଡି ବିକିବା ଭଲ

39

କନକ ବ୍ୟୁରୋ : ପଲିଟିକ୍ସରେ ପକୁଡି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ପକୁଡି ବିକ୍ରି କରିବା ମଧ୍ୟ ଏକ ନିଯୁକ୍ତି । ମୋଦିଙ୍କ ଏହି ବୟାନକୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟସଭାରେ ନିଜ ଡେବ୍ୟୁ ଅଭିଭାଷଣରେ ଶାହ କହିଛନ୍ତି ବେରୋଜଗାର ରହିବା ଅପେକ୍ଷା ପକୁଡି ବିକିବା ଭଲ । ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଟ୍ୱିଟକୁ ସମାଲୋଚନା କରିଛନ୍ତି । କାରଣ ଚିଦାମ୍ବରମ ଲେଖିଥିଲେ ଯଦି ପକୁଡି ବିକ୍ରି କରିବା ନିଯୁକ୍ତି, ତାହାହେଲେ ଭିକ ମାଗିବା ମଧ୍ୟ ଏକ ନିଯୁକ୍ତି । ନିର୍ବାଚନ ପୂର୍ବରୁ କୋଟିଏ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ଆଉ ପକୁଡି ବିକ୍ରି କରି ସ୍ୱାବଲମ୍ବୀ ହେବା ସେହି ପ୍ରତିଶ୍ରୁତର ପୂରଣ ବୋଲି ଦାବି କରୁଛି ବିଜେପି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ ।

ପକୁଡି ବିକିବା ମଧ୍ୟ ରୋଜଗାର । ଏ ଦେଶର ଯୁବକ ବେରୋଜଗାର ହୋଇ ବସିବା ଅପେକ୍ଷା ପକୁଡି ବିକ୍ରି କରି ରୋଜଗାରକ୍ଷମ ହେବା ଅଧିକ ଶ୍ରେୟସ୍କର । ରାଜ୍ୟସଭାରେ ନିଜର ପ୍ରଥମ ଅଭିଭାଷଣରେ କିଛି ଏଭଳି ବକ୍ତବ୍ୟ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ଏକ ଟ୍ୱିଟର ପୋଷ୍ଟକୁ ଆଧାର କରି ଗୃହରେ ଏଭଳି ବିବୃତି ରଖିଛନ୍ତି ଅମିତ ଶାହ ।

ପୁରା ପ୍ରସଙ୍ଗ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଟିଭି ସାକ୍ଷାତକାରରୁ । ଯେଉଁଠି ମୋଦି କହିଥିଲେ ଜଣେ ଯଦି ପକୁଡି ବିକ୍ରି କରି ସଂଧ୍ୟାରେ ୨୦୦ ଟଙ୍କା ଧରି ଘରକୁ ଫେରୁଛି ତେବେ ତାକୁ ନିଯୁକ୍ତି ବୋଲି କହିବା ନାହିଁ କି ? ଏହି ବକ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ କରିଥିଲା କଂଗ୍ରେସ । ଏପରିକି ଯଦି ପକୁଡି ବିକ୍ରି କରିବା ନିଯୁକ୍ତି ତାହାହେଲେ ଭିକ ମାଗିବା ମଧ୍ୟ ନିଯୁକ୍ତି ବୋଲି ଟ୍ୱିଟ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଦେଶର ଯୁବ ବର୍ଗଙ୍କ ପାଇଁ ବିଜେପି ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରିବର୍ତେ ବିକଳ୍ପ ରୋଜଗାରକୁ ନିଯୁକ୍ତି କହି ବାହାବାହ ନେଉଥିବା ଅଭିଯୋଗ ଆଣିଥିଲେ । ପକୁଡି ବିକ୍ରିକୁ ନିଯୁକ୍ତି ବୋଲି ମୋଦିଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ । ଦେଶର ଲକ୍ଷଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ବେଙ୍ଗାଲୁରୁରେ ଆଇଟି ଛାତ୍ରଛାତ୍ରୀ ରାସ୍ତାରେ ପକୁଡି ଛାଣିଛନ୍ତି ।