କରୋନା ଭିତରେ କେନ୍ଦ୍ରରୁ ଆସିଲା ବଡ ପ୍ୟାକେଜ୍ । ଜାଣନ୍ତୁ କେଉଁ ଯୋଜନା ବାବଦରେ କାହାକୁ ମିଳିବ କେତେ ଲାଭ

13,389

କନକ ବ୍ୟୁରୋ : କରୋନା ଲଢ଼େଇ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଗ୍ରାମୀଣ କଲ୍ୟାଣ ପ୍ୟାକେଜ୍ରେ ମାଗଣାରେ ଯୋଗାଇ ଦିଆଯିବ ଗ୍ୟାସ ସିଲିଣ୍ଡର । ଉଜ୍ୱଳା ଯୋଜନାରେ ବିପିଏଲ୍ ପରିବାରକୁ ପ୍ରତି ମାସରେ ଗୋଟିଏ ଲେଖାଏଁ ଆଗାମୀ ୩ ମାସ ଯାଏଁ ୩ଟି ସିଲିଣ୍ଡର ମାଗଣାରେ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ଏଥିରେ ଉପକୃତ ହେବେ ୮ କୋଟିରୁ ଅଧିକ ପରିବାର ।

ସେହିପରି ଏପ୍ରିଲ ପ୍ରଥମ ସପ୍ତାହରେ ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ପ୍ରଥମ କିସ୍ତିର ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଖାତାକୁ ଯିବ । ଦାଦନ ଶ୍ରମିକ, ଦିନ ମଜୁରିଆ ଓ ଗରିବ ଲୋକଙ୍କୁ ଆଖି ଆଗରେ ରଖି ଏହି ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମନରେଗାରେ ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ଉପକୃତ ହେବେ ୫ କୋଟି ହତାଧିକାରୀ ।

ବୃଦ୍ଧ, ବିଧବା, ଦିବ୍ୟାଙ୍ଗଙ୍କୁ ଦିଆଯିବ ଅନୁକମ୍ପାମୂଳକ ରାଶି । ୨ଟି କିସ୍ତିରେ ୧ ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯିବ । ସେହିପରି ୧୦୦ ଜଣ କର୍ମଚାରୀ ଥିବା ସଂସ୍ଥା ଏବଂ ଯେଉଁଠି ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ହୋଇଥିବ, ଆଗାମୀ ୩ ମାସ ପାଇଁ ସେମାନଙ୍କର ଇପିଏଫ୍ ଭରିବେ ସରକାର । ଭବିଷ୍ୟ ନିଧି ପାଣ୍ଠିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଉଠାଇ ପାରିବେ କର୍ମଚାରୀ । ସେହିପରି ୩.୫ କୋଟି ନିର୍ମାଣ ଶ୍ରମିକଙ୍କ ପାଇଁ ୩୧ ହଜାର କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି ।