ଆଇନର ଉପରେ କେହି ନୁହେଁ…? ବିନା ହେଲମେଟରେ ବାହାରିଲାନି ବିଜେଡି ରାଲି, ସ୍ୱାଗତ ରାଲିରେ ହେଲମେଟ ପିନ୍ଧିଲେ, ସଚେତନତାର ବାର୍ତ୍ତା ଦେଲେ ଦଳୀୟ କର୍ମୀ ।

211

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଟ୍ରାଫିକ ଯାଞ୍ଚ କଡାକଡି ହୋଇଛି । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ତେଣୁ ବିନା ହେଲମେଟ, ବିନା କାଗଜପତ୍ରରେ ରାସ୍ତାକୁ ଗାଡି ଗଡାଇବାକୁ ଭୟ କରୁଛନ୍ତି ଚାଳକ । ଆଉ ଏଥିରୁ ଦଳୀୟ ରାଲି ବା ବାଦ୍ ପଡନ୍ତା କିପରି? ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ ବିଜେଡି କର୍ମୀ କରିଥିବା ବାଇକ ରାଲିରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ କଟକ ରାଜରାସ୍ତାରେ ଆଗକୁ ମାଡି ଚାଲିଥିଲା ବିରାଟ ବାଇକ ରାଲି । ଆଉ ଶହ ଶହ ବାଇକରେ ବସି ନବୀନ ଜିନ୍ଦାବାଦ ନାରା ପକାଉଥିଲେ ବିଜେଡି କର୍ମୀ । ତେବେ ରାଲିରେ ସାମିଲ ହୋଇଥିବା ସମସ୍ତ ବାଇକ ଚାଳକଙ୍କ ମୁଣ୍ଡରେ ଥିଲା ହେଲମେଟ । ବିଜେଡି କର୍ମୀଙ୍କ ଏହି ବାଇକ ରାଲିରେ ସମସ୍ତଙ୍କ ମୁଣ୍ଡରେ ହେଲମେଟ ପିନ୍ଧା ଦୃଶ୍ୟ ଏହା ସୂଚାଉଥିଲା ଯେ, ଟ୍ରାଫିକ ନିୟମର ଉଦ୍ଧ୍ୱର୍ରେ କେହି ନୁହେଁ । କାରଣ ହେଲମେଟ ନ ପିନ୍ଧିଲେ ହଜାରେ ଗଣିବାକୁ ପଡିବ ଏକଥାକୁ ବୋଧହୁଏ ବେଶ ଭଲ ଭାବେ ବୁଝି ସାରିଛନ୍ତି ବିଜେଡି କର୍ମୀ । ତେଣୁ ହଜାରେ ଟଙ୍କା ଫାଇନ ଦେବା ବଦଳରେ ସଚେତନ ଗାଡି ଚାଳକ ଭାବେ ସମସ୍ତଙ୍କ ମୁଣ୍ଡରେ ହେଲମେଟ ଦେଖିବାକୁ ମିଳିଥିଲା । ବିନା ହେଲମେଟରେ ଆଗକୁ ଗଡିନଥିଲା ବାଇକ ରାଲି । ଏପରିକି କୌଣସି ଗାଡିରେ ଦୁଇ ଜଣରୁ ଅଧିକ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା ।

ସାଧାରଣତଃ ରାଜନୈତିକ ଦଳର ରାଲିରେ ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାର ଅନେକ ନଜିର ରହିଛି । ଏହାପୂର୍ବରୁ ମଧ୍ୟ ବିଜେଡିର ପ୍ରତିଷ୍ଠା ଦିବସରେ ରାଜରାସ୍ତାରେ ବିନା ହେଲମେଟରେ ଆସି ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ ଶହ ଶହ ଦଳୀୟ କର୍ମୀ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଥିଲେ । ପରେ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରସାରଣ ପରେ ନିୟମ ଭାଙ୍ଗିଥିବା କିଛି ଦଳୀୟ କର୍ମୀ ସ୍ୱଇଚ୍ଛାରେ ଆସି ଜରିମାନା ଦେଇଥିବା ବେଳେ କିଛି ବାଇକ ଚାଳକଙ୍କ ଘରକୁ ଚାଲାଣ ପଠାଇଥିଲା କମିସନରେଟ ପୋଲିସ । ଆଉ ଏହି ବାଇକ ରାଲି କରି ଫାଇନ୍ ଦେବା ପରେ ବୋଧହୁଏ ବୁଦ୍ଧି ଶିଖିଛନ୍ତି ବିଜେଡି କର୍ମୀ । ଯାହାର ଝଲକ ଆଜିର ବାଇକ ରାଲିରେ ଦେଖିବାକୁ ମିଳିଥିଲା ।