ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଛି ପାକିସ୍ତାନ । ୩ ଦିନ ଭିତରେ ୭ ଥର କଲାଣି ଉଲଘଂନ

ନୂଆବର୍ଷ ଆରମ୍ଭରୁ ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲଂଘନ ଚଳାଇଛି

105

କନକ ବ୍ୟୁରୋ : ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ନୂଆବର୍ଷ ଆରମ୍ଭରୁ ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲଂଘନ ଚଳାଇଛି। ଗତ ୩ ଦିନ ମଧ୍ୟରେ ଏହା ପାକିସ୍ତାନର ୭ମ ଅସ୍ତ୍ରବିରତି ଉଲ୍ଲଂଘନ। ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତୀୟ ସେନା ବିରୋଧ କରୁଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କୌଣସି ନିଘା ଦେଉନାହିଁ । ଆଜି ସକାଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତର ଛାମୁଆ ପୋଷ୍ଟ ସହିତ ବେସାମରିକ ଅଞ୍ଚଳରେ ଯୋରଦାର ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି। ପାକିସ୍ତାନ ସେନାର ଏହି ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା।

 

ସୂଚନାଯୋଗ୍ୟ ଯେ ଗତ ନୂଆବର୍ଷ ଦିନ ପାକିସ୍ତାନ ସେନା ପୁଞ୍ଚ ର କର୍ମରା ଅଞ୍ଚଳରେ ଥିବା ଭାରତୀୟ ଆଡଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲା। ପୁଣି ୨ ତାରିଖ ଦିନ ଦ୍ୱିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଯଦିଓ ପାକିିସ୍ତାନର ଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ହୋଇ ନ ଥିଲେ ତଥାପି ଭାରତୀୟ ସେନା ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା।

 

ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଏତତବ୍ୟତିତ ଡିସେମ୍ବର ୨୧ ତାରିଖରେ ପାକିସ୍ତାନ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପାକିସ୍ତାନର ବର୍ଡ଼ର ଆକ୍ସନ ଟିମ ( ବିଏଟି)ର କଭର ଫାୟାରିଂର ସହାୟତା ନେଇ କେତେକ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ପ୍ରାଣତ୍ୟାଗ କରିଛନ୍ତି । ଏହି ଘଟଣା ପରଠାରୁ ଏଲଓସି ଅଶାନ୍ତ ହୋଇ ପଡ଼ିଥିବା ବେଳେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି।