ଭାରତର ରାତି ଅଧିଆ ଆଟାକ ଦେଖି ପାକିସ୍ତାନ ଛାନିଆ! ପରବର୍ତ୍ତୀ ପରିଣାମ ପାଇଁ ସେନା ଓ ପାକିସ୍ତାନବାସୀଙ୍କୁ ଆହ୍ୱାନ ଦେଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

307

କନକ ବ୍ୟୁରୋ : ପାକିସ୍ତାନରେ ଭାରତର ଆକ୍ରମଣକୁ ବାଏଁ ବାଏଁ ଉଡାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତୀୟ ବାୟୁସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରି ପାକିସ୍ତାନ ସୀମା ଭିତରେ ପ୍ରବେଶ କରିଥିବାରୁ, ଏହାକୁ ଭାରତର ପାକିସ୍ତାନ ଉପରେ ଆକ୍ରମଣ ବୋଲି ଚିତ୍ରଣ କରିଛି ଇସ୍ଲାମାବାଦ । ତେବେ ଏହାର ଉଚିତ୍ ଜବାବ ଠିକଣା ସମୟରେ ଓ ଠିକଣା ଜାଗାରେ ଦିଆଯିବ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଜରୁରୀ ବୈଠକ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ପାକ୍ ଜାତୀୟ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଇମ୍ରାନ ଖାନ୍ । ଏଥିରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ବାଜୱା ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ପରେ-  ‘ସେନା ଓ ଦେଶବାସୀଙ୍କୁ ପରବର୍ତୀ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ଅପିଲ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍’

ଏନଏସସି ବୈଠକ ପରେ ଏକ ବିବୃତି ଜାରି କରି ଭାରତର ଦାବିକୁ ଖଣ୍ଡନ କରାଯାଇଛି । ପାକିସ୍ତାନ ବାଲାକୋଟରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରି ଅନେକ ଆତଙ୍କୀଙ୍କୁ ହତ୍ୟା କରାଯାଇଥିବା ଦାବିକୁ ବାଏଁବାଏଁ ଉଡାଇ ଦେଇଛି ପାକିସ୍ତାନ । ଭାରତୀୟ ବାୟୁସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରି ପାକିସ୍ତାନ ସୀମା ଭିତରେ ପ୍ରବେଶ କରିଥିବାରୁ- ‘ଏହାକୁ ଭାରତର ପାକିସ୍ତାନ ଉପରେ ଆକ୍ରମଣ ବୋଲି ଚିତ୍ରଣ କରିଛି ପାକିସ୍ତାନ । ତେବେ ଏହାର ଉଚିତ୍ ଜବାବ ଠିକଣା ସମୟରେ ଓ ଠିକଣା ଜାଗାରେ ଦିଆଯିବ ବୋଲି କୁହାଯାଇଛି’

ପାକିସ୍ତାନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଭାରତୀୟ ବାୟୁସେନା ବାଲାଘାଟରେ କରିଥିବା ଆକ୍ରମଣ ସ୍ଥଳକୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାମାନଙ୍କୁ ଡାକିବ ପାକିସ୍ତାନ । ଘଟଣାସ୍ଥଳରୁ ଭାରତୀୟ ଆକ୍ରମଣର ପ୍ରମାଣ ବିଶ୍ୱ ସମୁଦାୟକୁ ଦେବାଲାଗି ଏନଏସସି ବୈଠକରେ ନିଷ୍ପତି ହୋଇଛି ।

ପୁଲୱାମା ହମଲା ପରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ଭଳି କୌଣସି ଆକ୍ରମଣ ଆଶଙ୍କା କରି ପିଓକେରୁ ଶତାଧିକ ଫିଦାଇନ ଆତଙ୍କବାଦୀଙ୍କୁ ବାଲାକୋଟ ସ୍ଥାନାନ୍ତର କରାଯାଇଥିଲା । ପାହାଡିଆ ଅଂଚଳରେ ଥିବା ପଂଚତାରକା ହୋଟେଲ ଭଳି କ୍ୟାମ୍ପରେ ଏକାମନଙ୍କୁ ରଖାଯାଇଥିଲା । ଆଉ ଗୁଇନ୍ଦା ସୂଚନାକୁ ଆଧାର କରି ଏମାନଙ୍କୁ ଟାର୍ଗେଟ କରିଥିଲେ ଭାରତୀୟ ବାୟୁସେନାର ଯବାନ । ଏହି ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଖେଳିଯାଇଥିଲା ଚାଂଚଲ୍ୟ । ଆକ୍ରମଣକୁ ସ୍ୱୀକାର କରିଥିଲେ ବି ଆତଙ୍କୀ ଠିକାଣା ଉପରେ ଆକ୍ରମଣକୁ ଅସ୍ୱୀକାର କରିଛି ପାକିସ୍ତାନ ।

ପାକିସ୍ତାନରୁ ପ୍ରକାଶ ପାଉଥିବା ଏକ ପ୍ରମୁଖ ଗଣମାଧ୍ୟମ ଡନ ନ୍ୟୁଜ ବାଲାକୋଟ୍ ପୋଲିସ ମୁଖ୍ୟଙ୍କ ବୟାନକୁ ନେଇ ଲେଖିଛି ଯେ, ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିବା ସ୍ଥାନ କେବଳ ଏକ ଘଂଚ ଜଙ୍ଗଲ ଥିଲା, ଏବଂ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ସେହିପରି ଦି ଏକ୍ସପ୍ରେସ ଟ୍ରିବ୍ୟୁନ୍ ଲେଖିଛି ଯେ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି- ଭାରତୀୟ ବାୟୁସେନା ଏଲଓସି ଉଲ୍ଲଂଘନ କରି ପାକିସ୍ତାନ ଉପରେ ଆକ୍ରମଣ କରିଛି । ଏହାର ଜବାବ ଦେବାପାଇଁ ପାକିସ୍ତାନର ଅଧିକାର ରହିଛି । ସେହିପରି ଆଉଏକ ପାକିସ୍ତାନୀ ଗଣମାଧ୍ୟମ ଦି ଡେଲି ଟାଇମ୍ସ ଅନୁସାରେ ଭାରତର ଆକ୍ରମଣ ପରେ ପାକିସ୍ତାନ ବାୟୁସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବାଜୱା ।

ଭାରତକୁ ଯେକୌଣସି ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ବାୟୁସେନା ସମର୍ଥ ବୋଲି ଜାରି ଏକ ବିବୃତିରେ କୁହାଯାଇଛି । ଜିଓ ଟିଭି ମଧ୍ୟ ଭାରତକୁ ଉଚିତ ସମୟରେ ଓ ଉଚିତ ଯାଗାରେ ଜବାବ ଦିଆଯିବ ବୋଲି ଉଲ୍ଲେଖ କରିଛି ।

ବଡକଥା ହେଉଛି ପାକିସ୍ତାନ ମାଟିରେ ଭାରତର ଆକ୍ରମଣ ପରେ ମଧ୍ୟ ପାକିସ୍ତାନର ସବୁଠାରୁ ବଡ ସମର୍ଥକ ଚୀନ ଏଥର ଖୋଲାଖୋଲି ସମର୍ଥନ କରିନାହିଁ । ବରଂ ଦୁଇ ଦେଶ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଛି । ଏପରିକି ଆଗକୁ ଥିବା ରୁଷିଆ, ଭାରତ, ଚୀନ କଥାବାର୍ତା ପ୍ରଭାବିତ ନହେଉ ବୋଲି ବେଜିଂ ସ୍ପଷ୍ଟ କରିଦେଇଛି ।