ଭାରତର ଆକ୍ରମଣ ପରେ ପାକିସ୍ତାନରେ ହଲଚଲ: ଇମ୍ରାନ ଡାକିଲେ ଜରୁରୀକାଳୀନ ବୈଠକ, ସେପଟେ ଭାରତ-ପାକ୍ ସୀମା ଓ ଅନ୍ତର୍ଜାତୀୟ ସୀମାରେ ବଢିଲା ସୁରକ୍ଷା
ଇମ୍ରାନ ଖାନଙ୍କ ବିରୋଧରେ ପାକିସ୍ତାନ ସଂସଦରେ ନାରାବାଜି
କନକ ବ୍ୟୁରୋ: ସୀମା ଆର ପଟେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ପରେ ବିଦେଶ ମନ୍ତ୍ରୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ବୈଠକ କରି ସୁରକ୍ଷା ସମୀକ୍ଷା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପାକ୍ ସେନାର ବରିଷ୍ଠ ପଦାଧିକାରୀ ବି ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ସଂସଦରେ ଭାରତର ଆକ୍ରମଣ ପ୍ରସଙ୍ଗ କଥା ଉଠିଛି । ଏହାସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରାଯାଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ, ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତ-ପାକିସ୍ତାନ ସୀମା ସହ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାସହ ଦେଶରେ ଥିବା ସମସ୍ତ ସେନା ଶିବିର ସହ ବିମାନ ବନ୍ଦର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୈଶ ଏ ମହମ୍ମଦର ଆତଙ୍କୀ ଠିକଣାରେ ବାୟୁସେନାର ବଡ ଆକ୍ରମଣ ପରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।