ବୁଧବାରଠାରୁ ପାକିସ୍ତାନରେ ସରିଲାଣି ଭୋଟ୍, ହେଲେ ସରୁନି ଗଣତି । ଭାବି ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଲୋକଙ୍କ ସେବାରେ ଲାଗିବ ପ୍ରଧନମନ୍ତ୍ରୀ ଆବାସ ଓ ଅନ୍ୟ ସରକାରୀ ଅଟ୍ଟାଳିକା

29

କନକ ବ୍ୟୁରୋ : ପାକିସ୍ତାନ ଜାତୀୟ ପରିଷଦ ଲାଗି ଭୋଟ ସରିବାର ୪୮ ଘଂଟା ପରେ ମଧ୍ୟ ପ୍ରକାଶ ପାଇନାହିଁ ଚୂଡାନ୍ତ ଫଳାଫଳ । ପାକିସ୍ତାନର ପ୍ରମୁଖ ଗଣମାଧ୍ୟମଗୁଡିିକର ରିପୋର୍ଟ ଅନୁସାରେ ୨୭୨ ଆସନ ବିଶିଷ୍ଟ ପାକିସ୍ତାନ ଜାତୀୟ ପରିଷଦରେ ୧୧୮ଟି ଆସନ ଜିତିଛି ଇମ୍ରାନ ଖାନଙ୍କ ପିଟିଆଇ । ମ୍ୟାଜିକ ନମ୍ବର ୧୩୭ ହୋଇଥିବାରୁ କେବଳ ସ୍ୱାଧୀନ ସାଂସଦଙ୍କ ସମର୍ଥନରେ ସରକାର ଗଢିପାରିବ ଇମ୍ରାନଙ୍କ ପାର୍ଟି । ଆଉ ଏହାରି ଭିତରେ ଦେଶବାସୀଙ୍କୁ ସମ୍ବୋଧନ କରି ନୂଆ ପାକିସ୍ତାନର ସ୍ୱପ୍ନ ଦେଖାଇଛନ୍ତି ପୂର୍ବତନ କ୍ରିକେଟର । ଯେଉଁଠି କୁହାଯାଇଛି ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଲୋକଙ୍କ ପାଇଁ କାମ କରିବେ । ପ୍ରଥମ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଆବାସ ସମେତ ଅନ୍ୟ ବିଳାସପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡିକୁ ଲୋକଙ୍କ ବ୍ୟବହାରରେ ଲଗାଯିବ ।

ବୁଧବାରଠାରୁ ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନ ଲାଗି ନିର୍ବାଚନ ସରିଥିଲେ ମଧ୍ୟ ଶୁକ୍ରବାର ସଂଧ୍ୟାସୁଦ୍ଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇପାରି ନାହିଁ । ଚଳିତ ନିର୍ବାଚନରେ ନୂଆକରି ଲାଗୁ କରାଯାଇଥିବା ଇଲେକଟ୍ରୋନିକ ରିପୋର୍ଟିଂ ସିଷ୍ଟମ ଫେଲ ମାରିବା ପରେ ହାତ ଗଣତି ଯୋଗୁଁ ଫଳାଫଳ ପ୍ରକାଶରେ ବିଳମ୍ବ ହୋଇଥିବା ପାକିସ୍ତାନ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି । ଇସଲାମାବାଦର ଏକ ପ୍ରମୁଖ ଗଣମାଧ୍ୟମ- ଡନ ନ୍ୟୁଜର ରିପୋର୍ଟ ଅନୁସାରେ ଶୁକ୍ରବାର ସୁଦ୍ଧା ଇମ୍ରାନ ଖାନଙ୍କ ତେହରିକ-ଏ-ଇନସାଫ ପାର୍ଟି ସର୍ବାଧିକ ୧୧୮ଟି ଆସନ ଜିତି ସରକାର ଗଢିବାକୁ ଯାଉଛି ।

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଗୁଡିକରେ ହେଉଥିବା ଚର୍ଚ୍ଚା ଅନୁସାରେ ସରକାର ଗଢିବା ପାଇଁ ଇମ୍ରାନ ଖାନଙ୍କ ତେହରିକ-ଏ-ଇନସାଫ ପାର୍ଟିକୁ କାହାରି ସମର୍ଥନ ଦରକାର ପଡିବ ନାହିଁ । କାହିଁକି ନା ୨୭୨ ସଦସ୍ୟ ବିଶିଷ୍ଟ ଜତୀୟ ପରିଷଦରେ ମ୍ୟାଜିକ ନମ୍ବର ୨୩୭ । ପିଟିଆଇକୁ କେବଳ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଳିଲେ ଏହା ସରକାର ଗଢିପାରିବ । ଆଉ ଅଗଷ୍ଟ ୧୪ରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳିବା ପୂର୍ବରୁ ନୂଆ ସରକାରଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ନିର୍ବାଚନୀ ଅନିୟମିତତା ଓ ସେନାର ସମର୍ଥନ ନେଇ ବିରୋଧୀ ରାଜନୈତିକ ଦଳଗୁଡିକର ତମାମ ଅଭିଯୋଗ ଭିତରେ ବିପୁଳ ଜନମତ ପାଇ ସତାରେ ବସିବାକୁ ଯାଉଥିବା ପୂର୍ବତନ କ୍ରିକେଟର ଇମ୍ରାନ ଖାନ ନିଆରା ଢଙ୍ଗରେ ନୂଆ ପାକିସ୍ତାନର ସ୍ୱପ୍ନ ଦେଖାଇଛନ୍ତି । ସରକାରରେ ବସୁଥିବା ପୂର୍ବ ରାଜନେତାମାନେ ଲୋକଙ୍କ ଟିକସ ଟଙ୍କାରେ ନିଜେ ଅୟସ ଆରାମ କରୁଥିଲେ, ଯେଉଁଥିପାଇଁ ଏଭଳି ରାଜମହଲକୁ ଲୋକଙ୍କ ସେବାରେ ନିୟୋଜିତ କରିବାକୁ ଘୋଷଣା କରିଛନ୍ତି ଇମ୍ରାନ । ଅର୍ଥାତ ବର୍ଷବର୍ଷ ଧରି କ୍ଷମତାସୀନ ଦଳ ଗରିବଙ୍କୁ ଉପେକ୍ଷା କରୁଥିଲେ ଓ ତାଙ୍କ ସରକାର ସେହି ବର୍ଗକୁ ଗୁରୁତ୍ୱ ଦେବ ବୋଲି ସ୍ପଷ୍ଟ କରିଦେଇଛନ୍ତି ଇମ୍ରାନ ଖାନ ।

ଏସବୁ ଭିତରେ ଗୁରୁତ୍ୱ ରଖୁଛି ନୂଆ ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି । କାରଣ ପାକିସ୍ତାନ ସେନାର ଛାୟାରେ ନିର୍ବାଚନ ଜିତିଥିବା ଏକ ସରକାର ସ୍ୱାଧୀନ ଭାବେ ପଡୋଷୀ ଓ ମିତ୍ର ରାଷ୍ଟ୍ରଙ୍କ ପ୍ରତି ନିଜ ଆଭିମୁଖ୍ୟ ରଖି ପାରିବେ ତ? ଭାବି ପ୍ରଧାନମନ୍ତ୍ରୀ ପାକିସ୍ତାନ ବାସୀଙ୍କ ଆଗରେ ରଖିଥିବା ସଂକଳ୍ପରେ ଭାରତର ଜାମ୍ମୁ-କାଶ୍ମୀର ପରି ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆମେରିକା ଓ ଚୀନ ଉପରେ ନିଜର ମତାମତ ରଖି ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିବା ଜଣାପଡୁଛି । ତଥାପି ଆତଙ୍କୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନରେ ରାଜନୈତିକ ପଟ୍ଟ ପରିବର୍ତନ ଉପରେ ପୁରା ବିଶ୍ୱ ନଜର ରଖିଛି ।