ଭାରତର ନିର୍ବାଚନକୁ ନେଇ ପାକ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ ! କହିଲେ, ଭାରତରେ ନିର୍ବାଚନ ସରିବା ପରେ ହିଁ ଭାରତ-ପାକ ସମ୍ପର୍କରେ ଆସିବ ସୁଧାର

ସାଧାରଣ ନିର୍ବାଚନକୁ ଆଉମାତ୍ର ଅଳ୍ପଦିନ  ବାକି ରହିଲା

218
କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉମାତ୍ର ଅଳ୍ପଦିନ  ବାକି ରହିଲା । ନିର୍ବାଚନରେ ବିଜୟ ହେବ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ଷ୍ଟ୍ରାଟେଜି ଆପଣାଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଜନତାଙ୍କ ପାଇଁ କିଏ କଣ କରିଛି ତାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନେତା ବ୍ୟସ୍ତ । ତେବେ ଏପରି ସମୟରେ ଭାରତର ନିର୍ବାଚନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,  ଭାରତରେ ନିର୍ବାଚନ ଶେଷ ହେବା ପରେ ହିଁ ଭାରତ-ପାକ ସଂପର୍କରେ ସୁଧାର ଆସିବ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ ମଧ୍ୟ ଆଶଙ୍କା ପ୍ରକଟ କରିଛନ୍ତି ଯେ ନିର୍ବାଚନ ଆସୁ ଆସୁ ଭାରତ ଆଉ ଏକ ଦୁଃସାହସିକ ପଦକ୍ଷେପ ଉଠାଇପାରେ ।
ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୧୪ରେ ଜାମ୍ମୁର ପୁଲଓ୍ବାମାଠାରେ ସିଆରପିଏଫର ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଭିତ୍ତିକ ଜୈସ-ଇ-ମହମ୍ମଦ ଏଥିପାଇଁ ନିଜକୁ ଦାୟୀ କରିଥିଲା । ଏହାକୁ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ ପାକିସ୍ତାନରେ ଥିବା ଜୈସ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା । ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ପାକିସ୍ତାନର ବାୟୁସେନାର ବିମାନ ଭାରତ ଭିତରେ ପଶିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । କିନ୍ତୁ ଭାରତର ମିଗ ୨୧ ବିମାନ ପାକିସ୍ତାନର ଏକ ଏଫ-୧୬ ବିମାନକୁ ଖସେଇ ଦେଇଥିଲା ।