ନିର୍ବାଚନରେ ବିଜୟ ପରେ ଭାରତ ଉପରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଇମ୍ରାନ ଖାନ୍ ! ସାରା ବିଶ୍ୱର ନଜର ସୁଧୁରିବ କି ପାକିସ୍ତାନ ?

41

କନକ ବ୍ୟୁରୋ : ପାକିସ୍ତାନ ନିର୍ବାଚନରେ ବିଜୟ ପରେ ଭାରତ ଉପରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଇମ୍ରାନ ଖାନ୍ । ବଡ ଦଳ ଭାବେ ଉଭା ହୋଇଥିବାରୁ ତାଙ୍କ ନେତୃତ୍ୱରେ ଇସଲାମାବାଦରେ ନୂଆ ସରକାର ଗଢ଼ିବେ ଇମ୍ରାନ । ତେବେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦେଶର ଭାବି ପ୍ରଧାନମନ୍ତ୍ରୀ ଭାବେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଭାରତ ସହ ଶାନ୍ତି ଆଲୋଚନା ପାଇଁ ସେ ଆଗ୍ରହୀ ଅଛନ୍ତି । କଶ୍ମୀର ମାମଲାରେ ଭାରତ ଗୋଟିଏ ପାଦ ଆଗକୁ ବଢ଼ିଲେ ସେ ଦୁଇ ପାଦ ଆଗକୁ ବଢ଼ିବେ ।

source : news.sky.com

ତେବେ ଏଥିପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ପଡିବ ବୋଲି ସେ ମତ ରଖିଥିଲେ । ଏହା ସହିତ ତେବେ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିଲେ ଇମ୍ରାନ୍ । କହିଥିିଲେ ତାଙ୍କୁ ବଲିଉଡ ଫିଲ୍ମର ଭିଲେନ ସଜାଇ ଦେଇଛନ୍ତି ଭାରତୀୟ ଗଣମାଧ୍ୟମ । ସେନା ଓ ଆଇଏସଆଇର ସମର୍ଥନରେ ନିର୍ବାଚନ ଜିତିଥିବା ନେଇ ଅଭିଯୋଗ ଭିତରେ ଇମ୍ରାନଙ୍କ ଭାରତ ପ୍ରତି ଆଭିମୁଖ୍ୟ ବେଶ ଗୁରୁତ୍ୱ ରଖୁଛି । ତେଣୁ ପ୍ରଶ୍ନ ଉଠୁଛି ନୂଆ ସରକାରରେ ପାକିସ୍ତାନ ସୁଧୁରିବ କି?

ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନବାସୀ । ମୋଟ ୨୭୨ ଆସନରୁ ସର୍ବାଧିକ ୧୨୨ଟିରେ ଜିତି ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଇମ୍ରାନ ଖାନ । ସେପଟେ ପାକିସ୍ତାନର ନୂଆ ସୁଲତାନ ହେବାକୁ ଯାଉଥିବାବେଳେ ଇମ୍ରାନ ଖାନଙ୍କ ନିକଟକୁ ଛୁଟିଛି ଶୁଭେଛାର ସୁଅ । ଏହା ଭିତରେ ଇମ୍ରାନଙ୍କ ପ୍ରଥମ ପତ୍ନୀ ଜେମିମା ଟ୍ୱିଟ ଜରିଆରେ ଜଣାଇଥିବା ଶୁଭେଚ୍ଛା ଏବେ ଭାଇରାଲ ହୋଇଛି । ଇମ୍ରାନଙ୍କୁ ତାଙ୍କ ପୁଅଙ୍କ ବାପା ବୋଲି ସମ୍ବୋଧନ କରି ଟ୍ୱିଟ କରିଛନ୍ତି ଜେମିମା ଗୋଲ୍ଡସ୍ମିଥ । ୨୨ବର୍ଷର ବଳିଦାନ, ଅପମାନ ଓ ବାଧାବିଘ୍ନ ପରେ ତାଙ୍କ ପୁଅଙ୍କ ବାପା ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ବୋଲି ସେ ଲେଖିଛନ୍ତି । ତାଙ୍କର ଏହି ବୟାନ ଚର୍ଚ୍ଚାରେ ରହିଛି ।