ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ ଖାନ୍ ! ଇସଲାମାବାଦ ପ୍ରେସିଡେଂଟ୍ ହାଉସରେ ଶପଥ ଭବ୍ୟ ସମାରୋହ ।

45

କନକ ବ୍ୟୁରୋ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍ ଖାନ୍ । ବଡ ବଡ ନେତା ଓ ପୂର୍ବତନ କ୍ରିକେଟରଙ୍କ ସମେତ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜ୍ୟୋତ ସିଂହ ସିଦ୍ଧୁ । ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ଅଧିକୃତ କାଶ୍ମୀର ମୁଖ୍ୟ ମସୁଦ ଖାନଙ୍କ ସହ ପ୍ରଥମ ଧାଡିରେ ବସିଥିଲେ ସିଦ୍ଧୁ । ଏହାପରେ ପାକ୍ ସେନାମୁଖ୍ୟ କମର ବାଜୱାଙ୍କୁ କୁଣ୍ଢାଇ ଧରି ଶୁଭେଚ୍ଛା ଜଣାଇଥିଲେ । ଯାହାକୁ ନେଇ ଭାରତରେ ସୃଷ୍ଟି ହୋଇଛି ବିବାଦ ।

ପାକ୍ ରାଜନୀତିରେ ୨୨ ବର୍ଷର ସଂଘର୍ଷ ପରେ ଦେଶର ସବୁଠୁ ବଡ ଆସନରେ ବସିଛନ୍ତି ପୂର୍ବ କ୍ରିକେଟର ଇମ୍ରାନ ଖାନ । ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପାକିସ୍ତାନ ତେହରିକ୍ ଏ ଇନସାଫ୍ ପାର୍ଟି ମୁଖ୍ୟ । କ୍ରିକେଟ୍ ଛାଡି ରାଜନୀତିକୁ ଆସିଥିବା ଇମ୍ରାନଙ୍କ ପାଇଁ ଅପେକ୍ଷା କରି ରହିଥିଲା ପାକିସ୍ତାନର ରାଷ୍ଟ୍ରପତି ଭବନ, ଏବାନ-ଏ-ସଦନ । ଭବ୍ୟ ସମାରୋହରେ ଉର୍ଦ୍ଧୁରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ମମନୁନ୍ ହୁସେନ୍ ।

ଗୋଟିଏ ପଟେ ଆତଙ୍କବାଦୀ ଦେଶର ଟ୍ୟାଗ୍ ଅନ୍ୟପଟେ ସେନାର ଅଖଣ୍ଡ କ୍ଷମତା, ଏହାରି ଭିତରେ ଇମ୍ରାନ ସମ୍ଭାଳିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ । ଭାରତ, ଆମେରିକା ଓ ଚୀନ୍ ଭଳି ଦେଶ ସହ ସୁସଂପର୍କ ସ୍ଥାପନ, ଦେଶର ବିଗିଡିଯାଇଥିବା ଅର୍ଥନୀତିରେ ସୁଧାର, ଆତଙ୍କବାଦରୁ ମୁକ୍ତି ଏବଂ ଦେଶରେ ଲାଗିରହିଥିବା ପାନୀୟ ଜଳ ସଂକଟର ସମାଧାନ, ଏବେ ନୂଆ ପ୍ରଧାନମନ୍ତ୍ରୀଙ୍କ ଆଗରେ ଚ୍ୟାଲେଂଜ ।

ଇମ୍ରାନଙ୍କ ଶପଥ ସମାରୋହରେ ସାମିଲ ହୋଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ସାଂସଦ ନଭଜୋତ୍ ସିଂ ସିଦ୍ଧୁ । ଶହ ଶହ ନେତା, କ୍ରିକେଟର, ଗଣମାଧ୍ୟମ ଆଗରେ ପାକ୍ ସେନାମୁଖ୍ୟ କମର ଜାଭେଦ୍ ବାଜୱାଙ୍କୁ ସିଦ୍ଧୁ କୁଣ୍ଢାଇ ଧରିଥିଲେ । ଖାଲି ସେତିକି ନୁହେଁ, ଉତ୍ସବର ପ୍ରଥମ ଧାଡିରେ ପାକିସ୍ତାନ ଅଧିକୃତ କାଶ୍ମୀର ମୁଖ୍ୟ ମସୁଦ ଖାନଙ୍କ ସହ ସିଦ୍ଧୁଙ୍କୁ ବସାଯାଇଥିଲା । ଯାହାକୁ ନେଇ ବିବାଦ ଉପୁଜିଛି ।

ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ଦଳ ପିଟିଆଇ ୧୧୬ ଆସନରେ ବିଜୟୀ ହୋଇଥିଲା । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଥିଲା । ତେବେ ସଂଖ୍ୟା କମ୍ ଥିବାରୁ ମେଂଟର ଆବଶ୍ୟକ ଥିଲା । ଶୁକ୍ରବାର ପାକିସ୍ତାନର ନବଗଠିତ ଜାତୀୟ ପରିଷଦରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା ।