ମୋଦିଙ୍କୁ ମିଳିବନି ଡକରା, ଇମ୍ରାନଙ୍କ ଶପଥ ଉତ୍ସବକୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଡାକିବ ନାହିଁ ପିଟିଆଇ । ଭାରତର ୩ ପୂର୍ବତନ କ୍ରିକେଟରଙ୍କୁ ମିିଳିଲା ନିମନ୍ତ୍ରଣ

32

କନକ ବ୍ୟୁରୋ : ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଶପଥ ସମାରୋହ ଚର୍ଚ୍ଚାରେ ରହିିଛି । ପାକ ମିଡିଆରେ ରିପୋର୍ଟ ଅନୁସାରେ କ୍ରିକେଟର ସିଦ୍ଧୁ, ଗାଭାସ୍କର ଓ କପିଲ ଦେବଙ୍କ ସହ ଅଭିନେତାଙ୍କୁ ନିମନ୍ତ୍ରଣ ମିଳିଛି । ମୋଦିଙ୍କୁ ଇସଲାମାବାଦରୁ ଡାକରା ଆସିବ ନା ନାହିଁ ତାହା ବି ଚର୍ଚ୍ଚାରେ ରହିଛି । ତେବେ ପାକ ସେନାର ସହାୟତାରେ ଶାସନ ଗାଦିରେ ବସିବାକୁ ଥିବା ଇମ୍ରାନ ଯେ ଏକା ବିଦେଶ ନୀତିର ନିଷ୍ପତି ନେଇପାରିବେନି ଏପରି ସଙ୍କେତ ମିଳୁଛି ।

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ସମାରୋହରେ ଯୋଗ ଦେଇପାରନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, କପିଲ ଦେବ ଓ ନବଜୋତ ସିଂ ସିଦ୍ଧୁଙ୍କ ସହ ବଲିଉଡ ଆକ୍ଟର ଆମୀର ଖାନ । ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପାକିସ୍ତାନ ରେହରିକ-ଏ-ଇନସାଫ ପାର୍ଟି ଆମନ୍ତ୍ରଣ କରିପାରେ ବୋଲି ଆଲୋଚନା ଚାଲିଛି । ହେଲେ ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମ ଡନ ନ୍ୟୁଜର ରିପୋର୍ଟ ଏଭଳି ସମ୍ଭାବନା ଉପରେ ସନ୍ଦେହ ସୃଷ୍ଟି କରିଛି । କାରଣ ଡନ୍ ନ୍ୟୁଜର ରିପୋର୍ଟ ଅନୁସାରେ- ଆଗାମୀ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ସମାରୋହକୁ କୌଣସି ବାହାର ଦେଶର ନେତାଙ୍କୁ ଆମନ୍ତ୍ରଣ ନକରିବା ପାଇଁ ଚିନ୍ତା କରୁଛି ପିଟିଆଇ । କାରଣ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ୍ ବ୍ୟୟବହୁଳ ଶପଥ ସମାରୋହ ଅପେକ୍ଷା ସାଦାସିଧା ଓ ନିରାଡମ୍ବର ଶପଥ ସମାରୋହ ଆୟୋଜନ କରିବାକୁ ଚାହୁଁଛନ୍ତି ।

ପିଟିଆଇର ମୁଖପାତ୍ର ଫୱାଦ ଚୌଧୁରୀ କହିଛନ୍ତି – “ପାକିସ୍ତାନ ରାଷ୍ଟ୍ରପତି ଭବନ ‘ଆଇୱାନ-ଏ-ସଦର’ରେ ଇମ୍ରାନ ଖାନ ଏକ ନିରାଡମ୍ବର ଶପଥ ସମାରୋହ କରିବାକୁ ଚାହୁଁଛନ୍ତି । କୌଣସି ବିଦେଶୀ ଅତଥୀଙ୍କୁ ଆମନ୍ତ୍ରଣ ନକରିବାକୁ ନିଷ୍ପତ୍ତି ହୋଇଛି । ଏହା ସଂପୂର୍ଣ୍ଣ ଭାବେ ଏକ ଜାତୀୟ ଉତ୍ସବ ହେବ । କେବଳ ଇମ୍ରାନଙ୍କ କିଛି ନିକଟତମ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯିବ ।”ପିଟିଆଇ ମୁଖପାତ୍ରଙ୍କ ସୂଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ସାର୍କ ଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କୁ ଆମନ୍ତ୍ରଣ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି । ତେବେ ଅନ୍ୟଏକ ଖବର କାଗଜ ‘ଦି ଏସ୍କପ୍ରେସ ଟ୍ରିବ୍ୟୁନ’ ଅନୁସାରେ ଅନ୍ୟଦେଶରେ ରହୁଥିବା ବନ୍ଧୁମାନଙ୍କୁ ଶପଥ ସମାରୋହକୁ ଆମନ୍ତ୍ରଣ କରିପାରନ୍ତି ଇମ୍ରାନ ଖାନ୍ । ଅର୍ଥାତ ଇମ୍ରାନଙ୍କ କ୍ରିକେଟର ବନ୍ଧୁ ଭାବେ ଭାରତର ଗାଭାସ୍କର, କପିଲଦେବ ଓ ସିଦ୍ଧୁଙ୍କ ସହ ଅଭିନେତା ଆମୀର ଖାନଙ୍କୁ ଆମନ୍ତ୍ରଣ କରାଯାଇଛି । କାରଣ ସିଦ୍ଧୁ ମଧ୍ୟ ତାଙ୍କୁ ଆମନ୍ତ୍ରଣ କରାଯିବା ନେଇ ସ୍ପଷ୍ଟ କରିବା ସହ ଏଥିପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଇମ୍ରାନ ଖାନଙ୍କ ନେତୃତ୍ୱରେ ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କ ଆହୁରି ମଜଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଗତ ବୁଧବାର ଦିନ ପିଟିଆଇ ମୁଖପାତ୍ର ଫୱାଦ ଚୌଧୁରୀ କହିଥିଲେ ଯେ, ବିଦେଶୀ ଅତିଥିମାନଙ୍କୁ ଆମନ୍ତ୍ରଣ ପାଇଁ ବୈଦେଶିକ ବିଭାଗର ଅନୁମତି ଲୋଡାଯାଇଛି ଏବଂ ଆମେ ଅନୁମତିକୁ ଅପେକ୍ଷା କରିଛୁ । ହେଲେ ଏବେ ଇମ୍ରାନ ନିରାଡମ୍ବର ଉତ୍ସବ ଚାହୁଁଥିବା କହି ଅତିଥି ତାଲିକାକୁ କେବଳ ନିକଟତମ ବନ୍ଧୁଙ୍କ ମଧ୍ୟରେ ସୀମିତ ରଖାଯାଇଛି । ଯାହା ଏକ ବଡଧରଣର ଦ୍ୱନ୍ଦ୍ୱ ତିଆରି କରିଛି । ସେନା ସହାୟତାରେ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ଇମ୍ରାନ ଖାନଙ୍କ ପାଇଁ ଏକାକୀ ନିଷ୍ପତି ନେବା ଯେ, ସହଜ ହେବନାହିଁ ତାର ସଂକେତ ମିଳିଥିବା କୁହାଯାଉଛି ।