ଇମ୍ରାନଙ୍କ କାଶ୍ମୀର ପ୍ରେମ ! କହିଲେ ମୁଁ ନୋବେଲ ପାଇଁ ଯୋଗ୍ୟ ନୁହେଁ, ଯିଏ ସମସ୍ୟା ସମାଧାନ କରିବ ତାଙ୍କୁ ମିଳୁ ପୁରସ୍କାର

226

କନକ ବ୍ୟୁରୋ : ଅଭିନନ୍ଦନଙ୍କୁ ଫେରାଇବା ନେଇ ଗୋଟିଏ ପରେ ଗୋଟିଏ ଚାଲ କରୁଛି ପାକିସ୍ତାନ । ଶତ୍ରୁଦେଶ କେତେବେଳେ ଶାନ୍ତି ପ୍ରସ୍ତାବ ଦେଉଛି ତ, ଆଉ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଅଭିନନ୍ଦଙ୍କୁ ଫେରାଇବା ପରେ ଇମ୍ରାନ୍ ଖାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ପାକିସ୍ତାନ ଦାବି କରିଥିଲା । ତେବେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏବେ ଇମ୍ରାନ୍ ଖାନ୍ ନୋବେଲ ପୁରସ୍କାରକୁ ନେଇ ପ୍ରତିକ୍ରିୟା ରଖିବା ସହ କାଶ୍ମୀର ପ୍ରେମ ଦେଖାଇଛନ୍ତି ।

ଆଜି ଟ୍ୱିଟ୍ କରି ଇମ୍ରାନ୍ ଖାନ୍ କହିଛନ୍ତି ମୋତେ ନୋବେଲ ଶାନ୍ତି ପୁରସ୍କାର ଦରକାର ନାହିଁ । ମୁଁ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହେଁ । ଯିଏ କାଶ୍ମୀର ତଥା କାଶ୍ମୀର ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବ ତାଙ୍କୁ ଦିଆଯାଉ ନୋବେଲ ଶାନ୍ତି ପୁରସ୍କାର । କାଶ୍ମୀର ସମସ୍ୟାର ସମାଧାନ ହେଲେ ସେହି ଅଂଚଳରେ ଶାନ୍ତି ଓ ବିକାଶ ଫେରିବ ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଉ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ପାକିସ୍ତାନ ମାଟିରେ ପଶି ଏୟାରଷ୍ଟ୍ରାଇକ କରିଥିଲା ଭାରତ । ଏହି ଏୟାରଷ୍ଟ୍ରାଇକରେ ଭାରତୀୟ ବାୟୁସେନା ଜେଶର ଆତଙ୍କୀ ଶିବିରକୁ ଟାର୍ଗେଟ କରିଥିଲା । ଏହି ଏୟାରଷ୍ଟ୍ରାଇକ ପରେ ଭାରତୀୟ ବାୟୁସୀମାକୁ ପଶିଆସିଥିଲା ପାକ୍ ଆସିଥିଲା । ଆଉ ତାହାର ମୁକାବିଲ କରୁ କରୁ ଭାରତୀୟ ବାୟୁସେନାର ଏକ ବିମାନ ପାକିସ୍ତାନ ସୀମାରେ ଖସିପଡ଼ିଥିଲା । ଭାରତୀୟ ୱିଙ୍ଗ୍ କମାଣ୍ଡର ପାକ୍ ସେନା ହାତରେ ପଡ଼ିଯାଇଥିଲେ । ଆଉ ତା’ପରେ ଅନ୍ତର୍ଜାତୀୟ ଚାପ ପରେ ପାକିସ୍ତାନ ୱିଙ୍ଗ୍ କମାଣ୍ଡରଙ୍କୁ ଫେରାଇଥିଲା ।