ପାକିସ୍ତାନରେ ସେନା ଚଳାଉଛି ସରକାର ! ସେନା କବଜାରେ ପାକ୍ ବୈଦେଶିକ ଓ ପ୍ରତିରକ୍ଷା ବିଭାଗ ! ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିବାରେ ମଧ୍ୟ ରହିଛି ଭୂମିକା ।

372

କନକ ବ୍ୟୁରୋ : ଇମ୍ରାନ ଖାନ ସରକାରଙ୍କ ସମୟରେ ବୈଦେଶିକ ଓ ପ୍ରତିରକ୍ଷା ନୀତିକୁ ନିଜ ଅଧିନରେ ରଖିଛି ପାକିସ୍ତାନ ସେନା । ଆମେରିକାର କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏହି ପ୍ରସଙ୍ଗ ଉଲ୍ଲେଖ ରହିଛି ।

ପାକ୍ ସେନା ଅଧିନରେ ପାକିସ୍ତାନ ସରକାର । ଆମେରିକା କଂଗ୍ରେସ ଦେଲା ରିପୋର୍ଟ । ପାକିସ୍ତାନ ସେନା ଅଧିନରେ ରହିଛନ୍ତି ଇମ୍ରାନ ସରକାର । ଇମ୍ରାନ ଖାନ ନୂଆ ସରକାର ଗଠନ କରିବା ପରଠାରୁ ହିଁ କିଛି ଏପରି ଅଭିଯୋଗ ହୋଇଆସୁଛି । ତେବେ ଆମେରିକା କଂଗ୍ରେସର ଏକ ରିପୋର୍ଟକୁ ଦେଖିଲେ ଏହି ଅଭିଯୋଗ ସଠିକ୍ ସାବ୍ୟସ୍ତ ହେଉଛି । ଏହି ରିପୋର୍ଟ ଅନୁଯାୟୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ ଦାୟିତ୍ୱ ସମ୍ଭାଳିବା ପରଠାରୁ ପାକ୍ ସେନା ଦେଶର ବୈଦେଶିକ ଓ ପ୍ରତିରକ୍ଷା ନୀତିକୁ ନିଜ ଅଧିନରେ ରଖିଛି ।

ଆମେରିକା କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ପଦରେ ରହିବା ପୂର୍ବରୁ ଇମ୍ରାନଙ୍କ ନିକଟରେ ଶାସନତନ୍ତ୍ର ସହ ଜଡିତ କୌଣସି ଅଭିଜ୍ଞତା ନଥିଲା । ସେପଟେ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକ୍ ସେନା ରାଜନୀତିରେ ବି ହସ୍ତକ୍ଷେପ କରୁଥିଲା ।

ସରିଫଙ୍କୁ ହଟାଇବା ପାଇଁ ହୋଇଥିଲା ଷଡଯନ୍ତ୍ର । ରାଜନୀତିରେ ସେନାର ହସ୍ତକ୍ଷେପ । ବିଷେଶଜ୍ଞଙ୍କ ଅନୁଯାୟୀ, ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକ୍ ସେନା ଘରୋଇ ରାଜନୀତିରେ ମୁଣ୍ଡ ପୁରାଉଥିଲା । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ନୂଆ ପାକିସ୍ତାନ ସମ୍ପର୍କିତ ଇମ୍ରାନଙ୍କ ଚିନ୍ତାଧାରା ଯୁବପୀଢି, ସହରବାସୀ ଓ ମଧ୍ୟମ ଶ୍ରେଣୀକୁ ଆକର୍ଷିତ କରିଛି । ଦୁର୍ନୀତି ବିରୋଧୀ ଏବଂ ଉତ୍ତମ ଶିକ୍ଷା ଓ ସ୍ୱାସ୍ଥ୍ୟ ଯୋଗଇବା ପାଇଁ ଇମ୍ରାନଙ୍କ ଚିନ୍ତାଧାରା ରହିଥିଲେ ମଧ୍ୟ ଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏହିସବୁ ଯୋଜନା ସମ୍ଭବପର ହୋଇପାରୁନାହିଁ ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ ଲଗାତର ଭାବେ ପାକିସ୍ତାନ ସରକାରଙ୍କ ଉପରେ ପାକ୍ ସେନାର ଦବଦବା ରହିଛି । କେବେଳ ଏତିକି ନୁହେଁ ଦେଶର ବୈଦେଶିକ ଓ ପ୍ରତିରକ୍ଷା ନୀତିକୁ ନିଜ ଅଧିନରେ ରଖିଛି ପାକିସ୍ତାନ ସେନା ।

ସିଆରଏସ ଅନୁଯାୟୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିବା ସହ ତାଙ୍କ ଦଳକୁ ଦୁର୍ବଳ କରିବା ପାଇଁ ରାଜନୀତିରେ ସେନାର ହସ୍ତକ୍ଷେପ ରହିଥିଲା । ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫକୁ ଅଧିକ ସମର୍ଥନ ଯୋଗାଇବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲା ପାକ୍ ସେନା । ଆମେରିକା କଂଗ୍ରେସର ଏକ ସ୍ୱତନ୍ତ୍ର ଶାଖା ହେଉଛି କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ । ଯିଏ ଆମେରିକାର ସଂସଦଙ୍କ ପାଇଁ ରିପୋର୍ଟ ପ୍ରସ୍ତୁତ କରେ ।