କ୍ରିକେଟ ଦୁନିଆର ଏମିତି କ୍ୟାଚ ଆପଣ ଦେଖିନଥିବେ ! କୋହଲି କହିଲେ, ଆଜି ମୁଁ ସ୍ପାଇଡ଼ରମ୍ୟାନକୁ ଲାଇଭ ଦେଖିଲି

33

ଆଇପିଏଲ ଶେଷ ହେବାକୁ ଆଉ ଅଳ୍ପ କେତୋଟି ମ୍ୟାଚ ବାକି ଥିବା ବେଳେ ଏବେ ପ୍ରତ୍ୟେକ ମ୍ୟାଚରେ ଦେଖିବାକୁ ମିଳୁଛି ରୋମାଞ୍ଚ । ପ୍ଲେ ଅଫକୁ ଯିବା ପାଇଁ ଆରମ୍ଭ ହୋଇଛି ଲଢ଼େଇ । ଚେନ୍ନାଇ ଓ ହାଇଦ୍ରାବାଦ ପ୍ଲେ ଅଫ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ପଞ୍ଜାବ ଓ ରାଜସ୍ଥାନକୁ ପ୍ଲେ ଅଫ ଖେଳିବାକୁ ହେଲେ ପ୍ରତ୍ୟେକ ମ୍ୟାଚ ଜିତିବାକୁ ପଡ଼ିବ । ଆଉ ଏହି କ୍ରମରେ ବାଙ୍ଗାଲୋର ଗତକାଲି ହାଇଦ୍ରାବାଦ ମ୍ୟାଚ ଜିତି ପ୍ଲେ ଅଫ ଖେଳିବା ଆଶା ଉଜ୍ଜୀବିତ କରିଛି । ତେବେ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ବିଜୟୀ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଦୁର୍ଦ୍ଦଷ ଏବି ଡ଼ି ଭିଲିୟର୍ସ ।

ପ୍ରତ୍ୟେକ ମ୍ୟାଚରେ ବ୍ୟାଟିଂରେ ଜଲୱା ଦେଖାଉଥିବା ଡିଭିଲିୟର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ଦର୍ଶନୀୟ କ୍ୟାଚ ନେଇ ପୂରା ମ୍ୟାଚର ଲାଇମଲାଇଟକୁ ଚାଲି ଆସିଥିଲେ । ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଡିଭିଲିୟର୍ସଙ୍କ କ୍ୟାଚ ଧରା ଷ୍ଟାଇଲରେ ତାଜୁବ ହୋଇଯାଇଥିଲେ । ଆଇପିଏଲରେ ଅନେକ ଦର୍ଶନୀୟ କ୍ୟାଚ ଦେଖିବାକୁ ମିଳିଛି କିନ୍ତୁ ଡ଼ିଭିଲିୟର୍ସଙ୍କ ଅବିଶ୍ୱସନୀୟ କ୍ୟାଚ କିଛି ସମୟ ପାଇଁ ସମସ୍ତଙ୍କ ହାର୍ଟବିଟକୁ ବଢ଼ାଇ ଦେଇଥିଲା ।

୨୧୯ ରନର ବିଶାଳ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ପ୍ରଥମରୁ ଧୂଆଁଧାର ବ୍ୟାଟିଂ କରିଥିଲା । ଖାସକରି ଆଲେକ୍ସ ହେଲ୍ସ ବାଙ୍ଗାଲୋର ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ । କିନ୍ତୁ ହେଲ୍ସଙ୍କ ଏହି ଦୁର୍ଦ୍ଧଷ ଇନିଂସରେ ବ୍ରେକ ଲଗାଇଥିଲେ ଡିଭିଲିୟର୍ସ । ମ୍ୟାଚର ଅଷ୍ଟମ ଓଭରର ଶେଷ ବଲରେ ମୋଇନ ଅଲ୍ଲୀଙ୍କୁ ଛକା ମାରିବା ପ୍ରୟାସରେ ଏକ ବଡ଼ ସଟ ଖେଳିଥିଲେ ହେଲ୍ସ । ଏହା ଛକା ହେବ ବୋଲି ସମସ୍ତେ ଚାହିଁ ରହିଥିବା ବେଳେ ବାଉଣ୍ଡରୀ ଲାଇନ ଉପରୁ ଅବିଶ୍ୱସନୀୟ ଭାବେ ଗୋଟିଏ ହାତରେ ଊଡ଼ିକି କ୍ୟାଚ ନେଇ ଡିଭିଲିୟର୍ସ ସମସ୍ତଙ୍କୁ ଚକିତ କରିଥିଲେ ।

ଡିଭିଲିୟର୍ସଙ୍କ ଏହି କ୍ୟାଚ କିଛି କ୍ଷଣ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଯାଇଥିଲା । ଏହି କ୍ୟାଚ ଧରିବା ପରେ ଡିଭିଲିୟର୍ସଙ୍କ ନିକଟକୁ ଛୁଟିଥିଲା ପ୍ରଂଶସାର ସୁଅ । ଦର୍ଶକଙ୍କ ଠାରୁ ଆରମ୍ଭ କରି କ୍ୟାପଟେନ କୋହଲିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦର୍ଶନୀୟ କ୍ୟାଚ ପାଇଁ ଡିଭିଲିୟର୍ସଙ୍କୁ ତାରିଫ କରିବାକୁ ଭୁଲିନଥିଲେ । ମ୍ୟାଚ ପରେ କୋହଲି କହଥିଲେ, ଡିଭିଲିୟର୍ସ ଏହି କ୍ୟାଚ ଧରି ସ୍ପାଇଡ଼ରମ୍ୟାନ ଭଳି କାମ କରିଛନ୍ତି । ସାଧାରଣ ଲୋକ ଏଭଳି କରିପାରିବ ନାହିଁ । ଖାଲି ଫିଲ୍ଡିଂ ନୁହେଁ ବ୍ୟାଟିଂରେ ସେ ଯେମିତି ଅଦ୍ଭୁତ ସଟ ଖେଳନ୍ତି ତାହା ଅନ୍ୟ କୌଣସି ବ୍ୟାଟସମ୍ୟାନ କରିପାରିବ ନାହିଁ । ଡିଭିଲିୟର୍ସଙ୍କ କ୍ୟାଚର ଫଟୋ କୋହଲି ଟ୍ୱିଟର ପେଜର ଅପଲୋଡ଼ କରିବା ସହ ଖୁବ ପ୍ରଂଶସା କରିଛନ୍ତି । ଏପରିକି ଡିଭିଲିୟର୍ସଙ୍କୁ ପ୍ରଂଶସା କରିବାକୁ ଯାଇ ବିରାଟ ଲେଖଛନ୍ତି, ଆଜି ସେ ସ୍ପାଇଡ଼ରମ୍ୟାନକୁ ଲାଇଭ ଦେଖିବାର ସୁଯୋଗ ପାଇଲେ । ଏହାପୂର୍ବରୁ ଡିଭିଲିୟର୍ସ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇବା ସହ ୩୯ଟି ବଲରୁ ୬୯ ରନର ଦମଦାର ଇନିଂସ ଖେଳିଥିଲେ ।