‘ବିଜେପୁର’ପାଇଁ ବିଜେପିର ପ୍ରସ୍ତୁତି । ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଶେଷ । ଦୁଇଦିନ ଭିତରେ ପ୍ରାର୍ଥୀ ଘୋଷଣା କରିବ ଦଳ

21

କନକ ବ୍ୟୁରୋ : ବିଜେପୁରକୁ ନେଇ ବିଜେପି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି ଦିନେ ୨ ଦିନ ଭିତରେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ । ଜିଲ୍ଲାରୁ ଆସିଥିବା ସମସ୍ତ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇ ଦିଆଯାଇଛି । ପ୍ରଚାରରେ କେଉଁ କେନ୍ଦ୍ରୀୟ ନେତା ଯୋଗ ଦେବେ ତାହା ମଧ୍ୟ ସ୍ଥିର କରାଯିବ । ବିଜେପୁରରେ କଂଗ୍ରେସର ଗଡ ଭାଙ୍ଗି ଯାଇଛି । ଲୋକେ ନବୀନ ସରକାରଙ୍କ ଅପାରଗତା ଜାଣି ସାରିଲେଣି । ବିଜେପୁରରେ ବିଜେପି ୨୦୧୯ ପାଇଁ ବିଜୟର ବିଗୁଲ ବଜାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି କହିଛି ।

ଆଜି ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପିନେତା କେ,ଭି. ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସମତେ ବରିଷ୍ଟ ନେତୃବୃନ୍ଦ ସାମିଲ ହୋଇଥିଲେ ।

ସେପଟେ ବିଜେପୁର ଉପନିର୍ବାଚନ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକଟ କରିଛି ବିଜେପି। ଶାସକ ବିଜେଡିର ହାତବାରିସି ସାଜିଥିବା ପୁଲିସ୍ ଓ ପ୍ରଶାସନର ତତ୍ତ୍ୱାବଧାନରେ ଅବାଧ ନିର୍ବାଚନ ଅସମ୍ଭବ ବୋଲି ଦଳ ଅଭିଯୋଗ କରିଛି। ଏଥି ପାଇଁ ବିଜେପୁର ନିର୍ବାଚନମଣ୍ଡଳୀର ୮୦ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସ୍ମାରପତ୍ରରେ ଉଲ୍ଲେଖ କରାଯାଇଛି, ଶାସକ ବିଜେଡିର ଗୁଣ୍ଡାମାନଙ୍କ ଆକ୍ରମଣରେ ଶିକାର ହୋଇ ମାମଲା ରୁଜୁ କରିବା କରିବା ସତ୍ତ୍ୱେ ଅଭିଯୋଗକାରୀ ନିରାଶ ହେଉଛନ୍ତି।

ଅନ୍ୟ ପକ୍ଷରେ ବିଜେଡି ଚାପରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଯଥାରେ ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି। ତେଣୁ ଏଭଳି ପରିସ୍ଥିତିରେ ନିରପେକ୍ଷ ନିର୍ବାଚନ ଅସମ୍ଭବ। ବିଜେଡିର ଗୁଣ୍ଡାରାଜ କାରଣରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭୦ଟି ବୁଥକୁ ‘ଅତି ସମ୍ବେଦନପ୍ରବଣ ବୁଥ୍’ ଭାବେ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଜେପି ରାଜ୍ୟପାଳଙ୍କୁ ଅନୁରୋଧ କରିଛି।