ଉପନିର୍ବାଚନରେ ବାଜି ଲାଗିଛି ନେତାଙ୍କ ସମ୍ମାନ । କ୍ଷମତାରେ ଥିବା ଆଉ କ୍ଷମତା ପାଇଁ ଲକ୍ଷ ରଖିଥିବା ନେତାଙ୍କର ସବୁଠାରୁ ବଡ ଲଢେଇ ।

33

ଗୋଟିଏ ଉପ-ନିର୍ବାଚନ । ହେଲେ ଅନେକ ନେତାଙ୍କ ପାଇଁ ଏହା ଭବିଷ୍ୟତ ନିର୍ଦ୍ଧାରଣ କରିବ । ପ୍ରଥମେ ନଜର ପକାଇବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ପଂଚାୟତ ନିର୍ବାଚନ ପରେ କୁହାଗଲା, ନବୀନ ସରକାର ବିରୋଧରେ ସାରା ରାଜ୍ୟରେ ଜନମତ ସୃଷ୍ଟି ହେଲାଣି । ଲୋକମାନେ ବିଜୁ ଜନତା ଦଳ ଠାରୁ ମୁହଁ ଫେରାଇ ନେଲେଣି । ୨୦୧୯ରେ ରାଜ୍ୟ ରାଜନୀତିର ନବକଳେବର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ଦେଖାଇଥିଲେ । ହେଲେ ଏହାରି ଭିତରେ କିନ୍ତୁ ନବୀନ ଦଳୀୟ ମତାନ୍ତର ଦୁର କରିବା ସହ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି । ଛାମୁଆ ସଂଗଠନର ନେତୃତ୍ୱ ବଦଳିଛନ୍ତି । ନୁଆ ନେତାଙ୍କୁ ନୁଆ ଦାୟିତ୍ୱ ମିଳିଛି । ତୃଣମୁଳ ସ୍ତରର କର୍ମୀଙ୍କ ସହ ନବୀନ ଆଲୋଚନା କରି ସଂଗଠନର ଦୁର୍ବଳତାକୁ ଜାଣିବାକୁ ଚେଷ୍ଟା କରିଛନ୍ତି । ଆଉ କୁହାଯାଉଛି, ଏହାରି ଭିତରେ ନବୀନ ମିଶନ ୨୦୧୯ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।


ତେବେ ବଡ କଥା ହେଉଛି, ପଂଚାୟତ ନିର୍ବାଚନରେ ନବୀନ ଦଳୀୟ ପ୍ରଚାରର ମଙ୍ଗ ଧରିନଥିଲେ । ଏପରିକି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ସେ ତୃଣମୁଳ ସ୍ତରରେ ଦଳର ସ୍ଥିତିକୁ ଆକଳନ କରିବାକୁ ଚାହିଁଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ନେତା କେତେ ଲୋକପ୍ରିୟ ତାର ନେଇଥିଲେ ଟେଷ୍ଟ । ସବୁବେଳେ କୁହାଯାଏ, ନବୀନଙ୍କ ଭାବମୁର୍ତ୍ତି ହିଁ ନେତାଙ୍କ ଜିତିବାର ଟ୍ରମ୍ପକାର୍ଡ । ତେଣୁ ପଂଚାୟତ ଭୋଟରେ ବିପର୍ଯ୍ୟୟ ପରେ ନବୀନ ଏହାକୁ ଏକ କାରଣ ଭାବେ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ କରିଥିଲେ । ଆଉ ଏହାରି ଭିତରେ ଆସିଛି ବିଜେପୁର ପରୀକ୍ଷା । ଦଳ ଯଦିଓ ରୀତା ସାହୁଙ୍କୁ ଦଳରେ ମିଶାଇ ଏକ ବଡ ଧରଣର ଚାଲ୍ ଖେଳିଛି, ତେବେ ମୁଳ କର୍ମୀଙ୍କ ଭିତରେ ବଢୁଥିବା ଅସନ୍ତୋଷକୁ ନବୀନ କିଭଳି ପ୍ରଶମିତ କରିବେ ତାହା ହେବ ବଡ ଚାଲେଂଜ । ସେପଟେ ନିର୍ବାଚନ ପରିଚାଳନା ଗତ ତ୍ରୁଟି ଯାହା ପଂଚାୟତ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା, ତାକୁ କିଭଳି ଦୁର କରୁଛନ୍ତି ନବୀନ, ତାଉପରେ ନଜର ରହିବ ।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନବକଳେବର ଶଦ୍ଦର ଅସଲ ପରୀକ୍ଷାର ବେଳ ହେବ ବିଜେପୁର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମିଶନ ୧୨୦ର ବିଗୁଲ ଫୁଙ୍କିଛନ୍ତି । ବିଜେପିର ରାଜ୍ୟସ୍ତରୀୟ ନେତା କ୍ଷମତାକୁ ଆସିବାକୁ ସ୍ୱପ୍ନ ଦେଖିଲେଣି । ସ୍ଥାଣୁ ଆଉ ଅପାରଗ ସରକାର ବିରୋଧରେ ପ୍ରତିଦିନ ଦେଉଛନ୍ତି ଯୁଦ୍ଧଂଦେହୀର ଡାକରା । ଏସବୁର ଲିଟମସ ଟେଷ୍ଟ ହେବ ବିଜେପୁରରେ । ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଆଉ ଅନ୍ୟପଟେ ଦଳ ପାଇଁ ଏକ ଉପଯୁକ୍ତ ବାତାବରଣ ତିଆରି ହେଉଛି କି ନାହିଁ, ବିଜେପୁର ବାସୀ ଏହା ଉପରେ ନିଜ ମତ ଦେବେ । କାରଣ ଲଢେଇ ଏଠି ସ୍ଥାନୀୟ ପ୍ରସଙ୍ଗରୁ ବେଶ ଆଗକୁ ଚାଲିଗଲାଣି । ଗୋଟିଏ ପଟେ ୧୭ ବର୍ଷ ଧରି ଶାସନରେ ଥିବା ନବୀନ ପଟ୍ଟନାୟକ ସରକାର ବନାମ ସରକାରକୁ ଆସିବାକୁ ଲକ୍ଷ ରଖିଥିବା ଧର୍ମେନ୍ଦ୍ର ପ୍ରଧାନ । ଲଢେଇ ଦୁଇ ବଡ ନେତୃତ୍ୱ ଆଉ ସେମାନଙ୍କ ଲୋକପ୍ରିୟତା ଆଉ ରାଜନୈତିକ ଗୋଟିଚାଳନା ମଧ୍ୟରେ । ଯଦି ବିଜେପି, ବିଜେପୁରରେ ବାଜିମାତ କରିବ ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ମିଶନ ୨୦୧୯ର ରାସ୍ତା ସହଜ ହୋଇପାରେ । ଆଉ ଯଦି ଦଳ ବିଜେପୁର ବାଜି ହାରିଯାଏ, ତେବେ ମିଶନ ୧୨୦ର ପ୍ରଥମ ପ୍ରୟୋଗଶାଳାରେ ବିଜେପି ଗ୍ରହଣୀୟ ହେଲାନି ବୋଲି ବାର୍ତ୍ତା ଯିବ । ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅଶ୍ୱସ୍ତିକର ବାତାବରଣ ତିଆରି କରିପାରେ ।


ପଂଚାୟତ ନିର୍ବାଚନ ପରେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବିଜେପୁର ସହଜ ହେବ କି? ଏହି ପ୍ରଶ୍ନର ଉତ୍ତର ଖୋଜିବାର ମଧ୍ୟ ଆବଶ୍ୟକତା ରହିଛି । କାରଣ, ବରଗଡ ଜିଲ୍ଲାରେ ୨୦୧୭ ପଂଚାୟତ ନିର୍ବାଚନ ପରେ ବିଜେପି ନିଜ ଦବଦବା ଦେଖାଇଥିଲା । ବିଜେପୁରରେ ବିଜୁ ଜନତା ଦଳ ଠାରୁ ପାଖାପାଖି ଦୁଇ ଗୁଣ ଅଧିକ ଭୋଟ ପାଇଥିଲା ବିଜେପି । ଏପରିକି ବରଗଡ ଜିଲ୍ଲା ପରିଷଦ ମଧ୍ୟ ଗଠନ କରିଥିଲା ଭାରତୀୟ ଜନତା ପାର୍ଟି । ଶାସକ ବିଜେଡି ମାତ୍ର ୯ଟି ଜୋନରେ ବାଜିମାତ କରିଥିବା ବେଳେ ବାକି ସବୁ ଅର୍ଥାତ୍ ୨୫ଟି ଜୋନରେ ଫୁଟିଥିଲା ପଦ୍ମ । ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ୨୦୧୨ରେ ଏଠି ବିଜୁ ଜନତା ଦଳ ଜିଲ୍ଲା ପରିଷଦ ଗଠନ କରିଥିଲା ହେଲେ ୨୦୧୭ରେ ଏହାକୁ ବିଜେପି ଛଡାଇ ଆଣିଥିଲା । ଏହି ଅଙ୍ଗ ଯଦି ବଜାୟ ରୁହେ, ତେବେ ବିଜେପୁର ବିଜେପି ପାଇଁ ଏକ ସୁବିଧାଜନକ ସ୍ଥିତି ତିଆରି କରିପାରେ । ହେଲେ ଅତୀତର ଫର୍ଦ୍ଦ କହୁଛି, ପଂଚାୟତ ନିର୍ବାଚନର ଫଳ କେବେ ବିଧାନସଭା ନିର୍ବାଚନ କ୍ଷେତ୍ରରେ ପ୍ରତିଫଳିତ ହୁଏନାହିଁ । ତେଣୁ ବିଜେପି ଏହି ଦିଗକୁ ମଧ୍ୟ ଅନୁଶୀଳନ କରିବାର ଆବଶ୍ୟକତା ରହୁଛି । ଖାସକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପô୍ଧାନଙ୍କ ଲୋକପ୍ରିୟତା ଆଉ ଅମିତ ଶାହା ପଢାଇଥିବା ରାଜନୀତିର ପାଠକୁ ପ୍ରୟୋଗ କରି ବିଜେପି ବିଜେପୁରକୁ ଦଖଲ କରିପାରୁଛି କି ନାହିଁ, ତାଉପରେ ନିର୍ଭର କରିବ ଅନେକ ନେତା ଆଉ ରାଜନୈତିକ ଦଳର ଭାଗ୍ୟ ।
ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଇଁ ବାତାବରଣ ଯଦିଓ ଅନୁକୁଳ ନାହିଁ, ତଥାପି ଦଳ ଏଠି ଭୋଟ ଗଣିତକୁ ଏପଟ ସେପଟ କରିଦେଇପାରେ । ଜିତିବା, ହାରିବା ଅପେକ୍ଷା ନିଜ ଦଳର ନେତା ଆଉ କର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପ୍ରସାଦ ହରିଚନ୍ଦନଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ । ଯଦି ପଂଚାୟତ ନିର୍ବାଚନ ଭଳି କଂଗ୍ରେସ ତିନି ନମ୍ବର ସ୍ଥାନକୁ ଖସିଆସେ, ତେବେ ୨୦୧୯ରେ ଦଳ ଆହୁରି ବିପର୍ଯ୍ୟୟର ସାମ୍ନା କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । କାହିଁକି ନା ତିନି ତିନି ଥର ଏହି ଆସନକୁ ନିଜ ଦଖଲରେ ରଖିବା ସତ୍ତେ୍ୱ କଂଗ୍ରେସ ପ୍ରଦର୍ଶନ ଖରାପ ରହିଲେ, ଦଳର ମନୋବଳ ଆଉ କର୍ମୀଙ୍କ ଉତ୍ସାହ ଯଥେଷ୍ଟ ପରିମାଣରେ କମିଯିବ । ଯାହା ୨୦୧୯ ପୂର୍ବରୁ ଦଳ ପାଇଁ ଘାତକ ହେବ ।

ସେହିଭଳି ଦଳ ଭିତରେ ଚାଲିଥିବା ମନୋମାଳିନ୍ୟକୁ ଦୁର କରିବାକୁ ଏହା ଏକ ଅବସର । ରାଜ୍ୟର ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ମଧ୍ୟରେ ଚାଲିଥିବା ଛକାପଂଝା କାରଣରୁ କର୍ମୀ, ଆଉ ଦଳ ଉପରେ ଭରସା କରିପାରୁନାହାନ୍ତି । ତେବେ ଗୁଜୁରାଟରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଯେଉଁଭଳି ନେତା ଏକାଠି ହେଲେ, ତାହା ଏକ ଭଲ ସଂକେତ ଥିଲା । ଯଦି ଏହି ଏକତା ବିଜେପୁର ଉପ-ନିର୍ବାଚନ ବେଳକୁ ଦଳ ଦେଖାଇପାରେ ତେବେ ତୃଣମୁଳ ସ୍ତରରେ ଥିବା କର୍ମୀଙ୍କ ମନରେ ବେଶ ଜୋଶ ଭରିବ । ବିଜେପୁ ଉପ-ନିର୍ବାଚନ ପୂର୍ବରୁ ଯେଉଁଭଳି ନେତା ଦଳ ଛାଡିଲେ ଏବଂ ବିଜେଡି କ୍ୟାମ୍ପକୁ ଅଧିକାଂଶ ନେତା ଡେଇଁଲେ ତାହା ଦଳ ପାଇଁ ଚିନ୍ତାଜନକ ବିଷୟ ହୋଇଛି । ତଥାପି ଦଳ କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ମଧ୍ୟ ବିଜେପୁର ଭୋଟ ସମୀକରଣ ନିର୍ଭର କରିବ । ପୂର୍ବତନ ବିଧାୟକ ରୀପୁନାଥ ସେଠ ଏବଂ ଯୁବ ନେତା ପ୍ରଣୟ ସାହୁଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ଉପରେ ପୁରା ଫଳାଫଳ ନିର୍ଭର କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପୁର ନିର୍ବାଚନ ମଣ୍ଡଳୀରେ ଜାତି ସମୀକରଣର ଭୁମିକା ବେଶ ଅନୁଭୁତ ହେବ । ସୁବଳ ସାହୁ ଯେଉଁ ସଂପ୍ରଦାୟକୁ ଉପସ୍ଥାପନ କରୁଥିଲେ ଆଉ କଂଗ୍ରେସର ଭୋଟବ୍ୟାଙ୍କକୁ ବଢାଉଥିଲେ, ସେହି ଅଧାରରେ ଯଦି କଂଗ୍ରେସ ଗୋଟିଚାଳନା କରେ ତେବେ ସମୀକରଣ ଓଲଟି ଯାଇପାରେ । ଯାହା ଉପରେ ଉଭୟ ବିଜେଡି ଓ ବିଜେପିର ମଧ୍ୟ ନଜର ରହିଛି ।