ବାପା ମରିଗଲେ ପିଲାଙ୍କୁ ମିଳିବ ଚାକିରି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ମିଳିବ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

2,518

କନକ ବ୍ୟୁରୋ: ବାପା ମରିଗଲେ ପିଲାଙ୍କୁ ଚାକିରି । ୫୦% ଯାଏଁ ଅନୁକମ୍ପାମୂଳକ ନିଯୁକ୍ତି । ଚତୁର୍ଥ ଶ୍ରେଣୀ ପଦବୀରେ ମିଳିବ ପିଲାଙ୍କୁ ନିଯୁକ୍ତି । ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ପୂର୍ବରୁ ଥିବା ୧୦% ଅନୁକମ୍ପାମୂଳକ ନିଯୁକ୍ତି ବଦଳରେ ଏଣିକି ଏହାକୁ ୫୦% ଯାଏଁ ବୃଦ୍ଧି କରାଯାଇଛି ।

-ବହୁ ଆବେଦନକାରୀ ବଂଚିତ ରହିଯାଉଥିବାରୁ ଏଭଳି ଏକ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍
-ମୃତ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ କେବଳ ୪ର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ମିଳିବ
-୧୯୯୦ ନିୟମାବଳୀରେ ଏହା ଉଭୟ ୩ୟ ଓ ୪ର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବ୍ୟବସ୍ଥା ଥିବା ବେଳେ ୨୦୨୦ ନିୟମାବଳୀରେ କେବଳ ୪ର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବ୍ୟବସ୍ଥା ହୋଇଛି
-ମୃତ କର୍ମଚାରୀଙ୍କ ପରିବାରଙ୍କୁ ସୁଯୋଗ ଦେବା ନିମନ୍ତେ ଏହାକୁ ୧୦%ରୁ ୫୦% କରାଯାଇଛି

କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ୫ମ ଅର୍ଥ ଆୟୋଗ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ସିଭିଲ ସର୍ଭିସ ରୁଲ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ସେହିପରି ଦୁଇଟି ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ବି ମିଳିଛି କ୍ୟାବିନେଟ୍ ମଂଜୁରୀ । ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଳକରେ ସବୁ ଗାଁକୁ ପାଣି ଯୋଗାଣକୁ ମଞ୍ଜୁରୀ ମିଳିଛି । ଏହାସହ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମୋଦନ ଦିଆଯାଇଛି ।

ଏସବୁ ଭିତରେ ରାଜ୍ୟର ଯେକୌଣସି ସ୍ଥାନରେ ସଫ୍ଟୱେର ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ୩ ଏକର ଯାଏଁ ସରକାରୀ ଜମି, ପ୍ରିମିୟମ ଓ ବିନା ଇନସିଡେଣ୍ଟାଲ୍ ଚାର୍ଜରେ ଲିଜ୍ ସୂତ୍ରରେ ଯୋଗାଇ ଦେବା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ ।