ଆସନ୍ତାକାଲି ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ! ବଦଳିପାରେ କିଛି ମନ୍ତ୍ରୀଙ୍କ ବିଭାଗ

29

କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ଗତକାଲି ସନ୍ଧ୍ୟାରେ ବିଜେପି ସଭାପତି ଅମିତ ଶାହଙ୍କ ଘରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ଜଣ ମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ସେମାନେ ହେଲେ ରାଜୀବ ପ୍ରତାପ ରୁଢ଼ୀ, ଉମା ଭାରତୀ, କଲରାଜ ମିଶ୍ର, ସଂଜୀବ ବାଲ୍ୟାନ, ଫଗନ ସିଂହ କୁଲସ୍ତେ, ନିର୍ମଳା ସୀତାରମଣ, ଗିରିରାଜ ସିଂହ ଏବଂ ମହେନ୍ଦ୍ରନାଥ ପାଣ୍ଡେ । ସେମାନଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି । ମହେନ୍ଦ୍ର ପାଣ୍ଡେଙ୍କୁ ଆଜି ଉତ୍ତରପ୍ରଦେଶ ବିଜେପିର ସଭାପତି କରାଯିବା ପରେ ସେ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ଉମା କହିଛନ୍ତି ।

ଗତକାଲି ସନ୍ଧ୍ୟାରେ ଅମିତଙ୍କ ବୈଠକରେ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲିଙ୍କ ସମେତ ବିଜେପିର ଆଠଜଣ ବରିଷ୍ଠ ମନ୍ତ୍ରୀ ଓ କିଛି ନେତା ଉପସ୍ଥିତ ଥିଲେ । ଏହି ବୈଠକ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ପ୍ରସ୍ତୁତି ସଂପର୍କରେ ସୀମିତ ଥିଲା ଓ ଏଥିରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ସ୍ଥାନ ପାଇନଥିଲା ବୋଲି ବୈଠକରେ ଯୋଗ ଦେଇଥିବା ନେତାମାନେ କହିଥିଲେ । ହେଲେ କିଛି ମନ୍ତ୍ରୀଙ୍କ ଇସ୍ତଫା ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଖୋରାକ ଯୋଗାଇଛି । କିଛି ମନ୍ତ୍ରୀଙ୍କର ବିଭାଗ ବଦଳିବାର ମଧ୍ୟ ସମ୍ଭାବନା ରହିଛି। ଏହି ତାଲିକାରେ ଅଛନ୍ତି ଗଜପତି ରାଜୁ, ରାଧା ମୋହନ, ସୁରେଶ ପ୍ରଭୁ ପ୍ରମୁଖ ।

ପ୍ରଧାନମନ୍ତ୍ରୀ ରବିବାର ଦିନ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଚୀନ ଗସ୍ତ କରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ସୂଚନା ଦେଇଥିଲେ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ପାଖାପାଖି ୧୦ଜଣଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି କରାଯିବାର ସମ୍ଭାବନା ଥିବା ବେଳେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇ ସଂଗଠନର ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ମନ୍ତ୍ରିମଣ୍ଡଳରେ ଜେଡିୟୁ ଏବଂ ଆନ୍ନାଡିଏମକେକୁ ସ୍ଥାନ ମିଳିବାର ସମ୍ଭାବନା ରହିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ମୋଦି କ୍ୟାବିନେଟର ବଡ଼ଧରଣର ଓ ଶେଷ ସଂପ୍ରସାରଣ ବୋଲି ଅନୁମାନ କରାଯାଉଛି । ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ରାଜସ୍ଥାନରୁ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ସୁଯୋଗ ମିଳିପାରେ।