ଭାରତୀୟ ନ୍ୟାୟିକ ଇତିହାସରେ ପ୍ରଥମ ! ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ, ଜାଣନ୍ତୁ କିପରି କାର୍ଯ୍ୟ କରେ ମହାଭିଯୋଗ ପ୍ରସ୍ତାବ

55

କନକ ବ୍ୟୁରୋ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ଆଜି ଏପରି ଏକ ଘଟଣା ଘଟିଛି, ଯାହା ନ୍ୟାୟିକ ବ୍ୟବସ୍ଥା ଉପରେ ସାରାଦେଶରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ହଟାଇବା ଲାଗି ଏକାଠି ହୋଇଛନ୍ତି ବିରୋଧୀ । କଂଗ୍ରେସ ନେତୃତ୍ୱରେ ୭ଟି ବିରୋଧୀ ଦଳ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କୁ ଦେଇଛନ୍ତି ନୋଟିସ୍ । ଏଥିରେ ୬୪ ଜଣ ସାଂସଦଙ୍କ ସ୍ୱାକ୍ଷର ରହିଛି । ସେପଟେ ବିଜେପିର ଅଭିଯୋଗ, ଦେଶର ନ୍ୟାୟିକ ବ୍ୟବସ୍ଥାକୁ ବଦନାମ କରିବାକୁ କଂଗ୍ରେସ ଚାଲ୍ କରୁଛି । ରାଜନୀତିର ଚକ୍ରବ୍ୟୁହ ଭିତରେ ପେଶି ହୋଇଯାଇଛି ଦେଶର ନ୍ୟାୟିକ ବ୍ୟବସ୍ଥା ।

ନ୍ୟାୟ ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ଉପରେ ପ୍ରଶ୍ନ ଉଠାଇ ଦେଶର ୭ଟି ରାଜନୈତିକ ଦଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପଦରୁ ହଟାଇବାକୁ ଏକାଠି ହୋଇଛନ୍ତି । ମହାଅଭିଯୋଗ ପ୍ରସ୍ତାବ ପାଇଁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଦିଆଯାଇଛି ନୋଟିସ୍ । କଂଗ୍ରେସ ନେତୃତ୍ୱରେ ୭ଟି ବିରୋଧୀ ଦଳର ୬୪ ଜଣ ସାଂସଦ ଏହି ନୋଟିସରେ ସ୍ୱାକ୍ଷର କରିଛନ୍ତି । କଂଗ୍ରେସ, ଏନସିପି, ସିପିଆଇ, ସିପିଏମ୍, ଏସପି, ବିଏସପି ଆଦି ୭ଟି ଦଳର ସାଂସଦମାନେ ଆଜି ଏ ନେଇ ଆଲୋଚନା କରିବା ପରେ ଉପରାଷ୍ଟ୍ରପତିଙ୍କୁ ଦେଇଛନ୍ତି ନୋଟିସ୍ । ମହାଅଭିଯୋଗ ପ୍ରସ୍ତାବ ଦେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ ଦୀପକ ମିଶ୍ରଙ୍କୁ ହଟାଇବାକୁ ପାଇଁ ଦାବି କରିଛନ୍ତି ।

ମହାଅଭିଯୋଗ ପ୍ରସ୍ତାବ ଲାଗି ଲୋକସଭାରେ ସର୍ବନିମ୍ନ ୧୦୦ ସାଂସଦ ଓ ରାଜ୍ୟସଭାରେ ୫୦ ଜଣ ସାଂସଦ ଆବଶ୍ୟକ । ରାଜ୍ୟସଭାର ୬୪ ଜଣ ସାଂସଦ ଏହି ପ୍ରସ୍ତାବ ପାଇଁ ନୋଟିସ ଦେଇଥିବାରୁ ମହାଅଭିଯୋଗକୁ ଗ୍ରହଣ କରିପାରନ୍ତି ଉପରାଷ୍ଟ୍ରପତି । ତେବେ ତୃଣମୂଳ କଂଗ୍ରେସ, ଡିଏମକେ, ଟିଡିପି, ବିଜେଡି ଭଳି ପ୍ରମୁଖ ଦଳମାନେ ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଜଷ୍ଟିସ ଲୋୟା ମାମଲାରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ରାଜନୈତିକ ଦଳଗୁଡିକ ମେଳି କରିବା ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ କଂଗ୍ରେସ ନେତୃତ୍ୱରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିଜେପି କହୁଛି ଦେଶର ନ୍ୟାୟିକ ବ୍ୟବସ୍ଥାକୁ ବଦନାମ କରିବାକୁ କଂଗ୍ରେସ ଚାଲ୍ କରୁଛି ।

 ମହାଅଭିଯୋଗ ପ୍ରସ୍ତାବ କ’ଣ?

ସମ୍ବିଧାନର ଧାରା ୧୨୪(୪) ଅନୁଯାୟୀ ସୁପ୍ରିମକୋର୍ଟଙ୍କ ବିଚାରପତି ଓ ପ୍ରଧାନ ବିଚାରପତିଙ୍କୁ ପଦରୁ ହଟାଇବାକୁ ହେଲେ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆବଶ୍ୟକ । ଏହି ମହାଅଭିଯୋଗ ପ୍ରସ୍ତାବକୁ ଉଭୟ ରାଜ୍ୟସଭା ଓ ଲୋକସଭାର ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ । ଏହାପରେ ରାଷ୍ଟ୍ରପତି ହଟାଇ ପାରିବେ ସୁପ୍ରିମକୋର୍ଟଙ୍କ ବିଚାରପତିଙ୍କୁ ।

କିପରି କାର୍ଯ୍ୟ କରେ ମହାଅଭିଯୋଗ ପ୍ରସ୍ତାବ?

ମହାଅଭିଯୋଗ ପ୍ରସ୍ତାବ ଆସିବାକୁ ହେଲେ ଲୋକସଭାରେ ୧୦୦ ଜଣ ସାଂସଦ ଓ ରାଜ୍ୟସଭାରେ ୫୦ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ । ଲୋକସଭାରେ ବାଚସ୍ପତି ଓ ରାଜ୍ୟସଭାରେ ଉପରାଷ୍ଟ୍ରପତି ଏହାକୁ ଗ୍ରହଣ କରିବେ । ପ୍ରସ୍ତାବ ଗ୍ରହଣ ହେଲେ ତିନି ଜଣିଆ କମିଟି ଗଠନ ହେବ । ସେଥିରେ ସୁପ୍ରିମକୋର୍ଟଙ୍କ ଜଣେ ବିଚାରପତି, ହାଇକୋର୍ଟଙ୍କ ଜଣେ ବିଚାରପତି ଏବଂ ଜଣେ ଆଇନ ବିଶାରଦ ସଦସ୍ୟ ରହିବେ । ପ୍ରସ୍ତାବରେ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରିବେ ଏହି କମିଟି । କମିଟିର ହୃଦବୋଧ ହେଲେ ସଂସଦରେ ଏହା ଆଲୋଚନା ହେବ । ଦୁଇଟି ଯାକ ସଦନରେ ଆଲୋଚନା କରାଯାଇ ଭୋଟିଂ ହେବ । ଦୁଇ-ତୃତୀୟାଂଶରୁ ଅଧିକ ସଦସ୍ୟ ପ୍ରସ୍ତାବକୁ ସମର୍ଥନ କଲେ ଏହା ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ ।