ତିତଲି ପ୍ରଭାବରେ ରାଜ୍ୟରେ ଆରମ୍ଭ ହେଲା ବର୍ଷା । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ଜାରି ହେଲା ରେଡ୍ ୱାର୍ଣ୍ଣିଂ ।

50

କନକ ବ୍ୟୁରୋ : ଭୟଙ୍କର ରୂପ ନେଇ ମାଡି ମାଡି ଆସୁଛି ତିତଲି । ସକାଳ ୫ଟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭେରି ସିଭିୟର ସାଇକ୍ଲୋନ୍ ଷ୍ଟ୍ରମ ଭାବେ ଉପକୂଳ ଆଡକୁ ମାଡି ମାଡି ଆସୁଛି ବାତ୍ୟା ତିତଲି । ତେବେ ବର୍ତ୍ତମାନ ଠାରୁ ଦେଖିବାକୁ ମିଳିଲାଣି ଏହାର ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପବନ ସହ ବର୍ଷା । ଗୋପାଳପୁର ଠାରେ ୧୧୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ କୋଣାର୍କ ଠାରେ ମଧ୍ୟ ୫୫ ରୁ ୬୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । କୋଣାର୍କ ସହ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଲାଣି ବାତ୍ୟା ତିତଲିର ପ୍ରଭାବ । ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏନେଇ ଗୋପାଳପୁର, ପୁରୀ. ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ତଟବର୍ତି ଅଂଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ଡାକ ବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସତର୍କ କରିଛନ୍ତି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟି ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ସରକାର । ଗଂଜାମ ଅଧିକ ପ୍ରଭାବିତ ହେବାକୁ ଥିବାରୁ ୫ଟି ବ୍ଲକରେ ଜାରି କରାଯାଇଛି ହାଇଆଲର୍ଟ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲାରେ ଜାରି କରାଯାଇଛି ରେଡ୍ୱାର୍ଣିଂ । ରେଡ୍ ୱାର୍ଣିଂ ଜିଲ୍ଲା ଗୁଡିକୁ ଏନ୍ଡିଆରଏଫ ଏବଂ ଓଡ୍ରାଫ୍ ଟିମ୍କୁ ପଠାଇ ଦିଆଯାଇଛି । ସେପଟେ ତିତ୍ଲି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ସେନାବାହିନୀ ଓ ଆକାଶବାହିନୀକୁ ସଜାଗ କରାଯାଇଛି । ଦରକାର ପଡିଲେ କୌଣସି ମୂହୁର୍ତରେ ସେମାନଙ୍କର ସହାୟତା ନିଆଯାଇପାରେ ।