ଗୋପାଳପୁରରେ ତାଣ୍ଡବ ରଚିଲା ତିତଲି ! ପ୍ରବଳ ବର୍ଷାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ରାସ୍ତାରେ ପଡିଲା ଗଛ, ୧୫୦ କିଲୋମିଟର ବେଗରେ ବହୁଛି ପବନ ।

67

କନକ ବ୍ୟୁରୋ : ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ତିତଲି । ବର୍ତ୍ତମାନ ସମୟରେ ଏହା ଦକ୍ଷିଣ-ପୂର୍ବ ଦିଗ ଦେଇ ଗତି କରୁଥିବା ଜଣାପଡିଛି । ତେବେ ତିତଲି ପହଞ୍ଚିବା ପୂର୍ବରୁ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପାଖାପାଖି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୧୫୦ କିଲୋମିଟର ରହିଛି । ବିଶେଷ କରି ଗୋପଳପୁରରେ ତାଣ୍ଡବ ରଚୁଛି ବାତ୍ୟା ତିତଲି ।

ଗୋପାଳପୁର ନିକଟରେ ତୀବ୍ର ହେଲା ତିତଲି । ଗୋପାଳପୁର ଠାରୁ ଆଉ ମାତ୍ର କିଛି ଦୂରତାରେ ଥିବା ବାତ୍ୟା ତିତଲି ପହଞ୍ଚିବା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା ଓ ପବନ । ଅନେକ ସ୍ଥାନରେ ଦେଖିବାକୁ ମିଳିଛି ତିତଲିର ପ୍ରଭାବ । କେଉଁଠି ରାସ୍ତାରେ ଗଛପଡି ରାସ୍ତା ଅବରୋଧ ହୋଇଯାଇଛି ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବାର ଜଣାପଡିଛି । ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନେକ ଲୋକଙ୍କ ଘର ଆଜବେଷ୍ଟ ଉଡିଯାଇଛି । ଓଡ୍ରାଫ ଟିମ୍ ସଦସ୍ୟ ମାନେ ରାସ୍ତାରୁ ଗଛ ଉଠାଇବା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

ଧିରେ ଧିରେ ଭୟଙ୍କର ରୂପ ନେଇ ମାଡିଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍ ତିତଲି । ଉପକୂଳର ପ୍ରାୟ ନିକଟବର୍ତ୍ତୀ ହୋଇଯାଇଥିବା ବେଳେ ଗୋପଳପୁର ନିକଟବର୍ତ୍ତୀ ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବ ବୋଲି ଜଣାପଡିଛି ।