ଲାଲକରିଡର ପୂରା କାହାଣୀ ! ମାଓବାଦୀଙ୍କ ସହିଦ ସପ୍ତାହ, ଗାଁ ଲୋକଙ୍କୁ କରୁଛି ଆତଙ୍କିତ ।

39

କନକ ବ୍ୟୁରୋ: ମାଲକାନଗିରି ଓ କୋରାପୁଟ ଜିଲ୍ଳାର ମଝିରେ ରହିଛି ମାଓବାଦୀଙ୍କ କରିଡ଼ର, ଯାହାକି ଛତିଶଗଡ଼ ଠାରୁ କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ପର୍ଯ୍ୟନ୍ତ ଲମ୍ବିଛି । ଘଞ୍ଚ ଜଙ୍ଗଲ ଓ ପ୍ରବାହିତ ନଦୀ ଯୋଗୁଁ ମାଓବାଦୀଙ୍କ ଗମନାଗମନର ପ୍ରମୂଖ ସ୍ଥଳ ପାଲଟିଛି । ଏହାରି ମଧ୍ୟରେ ରହିଛି ବୈପାରିଗୁଡ଼ା ବ୍ଳକର ଦଣ୍ଡା ବାଡ଼ି ପଚାଂୟତ । ମାଓବାଦୀଙ୍କ ଆଡ୍ଡାସ୍ଥଳୀ ବୋଲି ବେଶ ଜଣାସୁଣା । ଆଜି ବି ଏହି ପଞ୍ଚାୟତରେ ମାଓବାଦୀଙ୍କ ଚଳପ୍ରଚଳ ଲାଗିରହୁଛି । ସହିଦ ସପ୍ତାହ ସମୟରେ ଲାଲବାହିନୀଙ୍କ ଭୟରେ ଥରୁଛନ୍ତି ଗ୍ରାମବାସୀ ।

ସହିଦ ସପ୍ତାହ ଯୋଗୁଁ ଗାଁ ରହିଥିଲା ଶୁନଶାନ କିଛି ଅଳ୍ପ ଲୋକଙ୍କ ଚଳ ପ୍ରଚଳ ଦେଖିବାକୁ ମିଳିଥିଲା । ଗାଁଲୋକଙ୍କ ମୁହଁରେ ସବୁଠି ନିରାଶର ଛାୟା ଆଉ ଏହାରି ଭିତରେ ଉଜୁଡ଼ି ଯାଇଥିବା ସଂସାରର କିଛି ସ୍ମୁତି କୁ ସାଉଁଠୁଛନ୍ତି ମୃତ ବ୍ୟବସାୟୀ ବାପି ସାମନ୍ତ ଙ୍କ ବିଧବା ପତ୍ନୀ । ଘଟଣା ଘଟିବା ପରଠାରୁ ଗାଁ ଛାଡ଼ି ଅନ୍ୟତ୍ର ରହୁଥିବା ସବିତା ସାମନ୍ତ ବଖାଣିଛନ୍ତି ମାଓବାଦୀଙ୍କ ସେଦିନର ନାରକୀୟ କାଣ୍ଡ । ୨୦୧୬ ଜାନୁଆରୀ ୭ ତାରିଖରେ ଯୁବ ବ୍ୟବସାୟୀ ବାପି ସାମନ୍ତଙ୍କୁ ହତ୍ୟା କରିବା ସହ ୮ ତାରିଖରେ ୨ ଜଣ ବିଏସଏଫ ଓଡ଼ିଆ ଯବାନ ସୁନିଲ କୁମାର ବେହେରା ଓ ଶିବାଷିସ ପଣ୍ଡା କମ୍ବିଂ ସାରି ଫେରୁଥିବାବେଳେ, ଲ୍ୟାଣ୍ଡ ମାଇନ ଦ୍ୱାରା ସହିଦ ହୋଇଥିଲେ । ପରେ ଆହୁରି ୨ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଏହାସହ ଟାୱାର ସବୁ ପୋଡ଼ି ଦେଇଥିଲେ ।

ଭୟର ବାତାବରଣ ଆଜି ବି ଗାଁରେ ରହିଛି, ମାଓ ବାଦୀ ଙ୍କ ଚଳପ୍ରଚଳ ଯୋଗୁଁ ଆତଙ୍କିତ ଗ୍ରାମାବସୀ । ଏହାରି ମଧ୍ୟରେ ଗାଁର ୫ ଜଣଙ୍କ ନାଁରେ ମାଓବାଦୀମାନେ ନୋଟିସ ମାରିଛନ୍ତି । ଗତ କିଛି ଦିନ ତଳେ ଦଣ୍ଡାବାଡ଼ି ହାଟରେ ପୋଲିସ ଇନଫରମର ସନ୍ଦେହରେ ଆନନ୍ଦ ନାୟକ ନାମକ ବ୍ୟକ୍ତିକୁ ଗୁଳି ମାରିଥିଲେ ମାଓବାଦୀ । ୨୦୧୬ ର ଘଟଣା ପରେ ବଦଳିଛି କେବଳ ଏକ ରାସ୍ତା, ବସିଛି ଏକ ନୁତନ ଟାୱାର, ଏଥି ସହ ୧୩ ବାଟାଲିୟନର ଏକ ବିଏସଏଫ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଗଲା । ସେହିଦିନ ଠାରୁ ଗାଁ ଲୋକଙ୍କ ମନରେ ସାହାସ ଆସିଛି, ଏବଂ ସରକାରୀ ଯୋଜନାକୁ ଆପଣାଇବା ପାଇଁ ଚେଷ୍ଟା କରିଛନ୍ତି । ଯବାନ ମାନେ ମଧ୍ୟ ଗାଁର ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି । ଗାଁର ସମସ୍ୟାକଥା ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି । କିନ୍ତୁ ଆଶା ଅନୁଶାରେ ପହଚିଂପାରୁନାହିଁ ବିକାଶ ବୋଲି କହିଛନ୍ତି ଗ୍ରାମବାସୀ । ସ୍ୱାସ୍ଥ୍ୟ ଠାରୁ ଆରମ୍ବ କରି ପାନୀୟ ଜଳ ସବୁଥିରେ ସମସ୍ୟା ଦେଖାଦେଉଛି । ପିଲାଙ୍କ ପାଠ ପଡ଼ିବା ପାଇଁ କୌଣସି ସୁବିଧା ନାହିଁ । ଅଧପନ୍ତରିଆ ଅବସ୍ଥାରେ ୩ ବର୍ଷ ହେଲାଣି ପିଲାଙ୍କ ସ୍କୁଲ ଘର ପଡ଼ିରହିଛି । ବର୍ତମାନ ଯେଉଁଠି ଖାଉଛନ୍ତି ସେଇଠି ପଡ଼ୁଛନ୍ତି । ଗମନାଗମନ ର ସୁବିଧା ନଥିବାରୁ ଫାଇଦା ଊଠାଉଛନ୍ତି ମାଓବାଦୀ ବୋଲି ସୁଚନା ମିଳିଛି ।