ବଙ୍ଗ ମୁହାଁ ‘ବୁଲବୁଲ୍’: ଓଡ଼ିଶା ଅତିକ୍ରମ କଲାବେଳେ ବାତ୍ୟା ଆଣିଲା ବିପତ୍ତି । ବୋଟ୍ ବୁଡ଼ିଲା, ଘର ଭାଙ୍ଗିଲା, ଉପୁଡ଼ି ପଡ଼ିଲା ଗଛ

1,456

କନକ ବ୍ୟୁରୋ: ଭୀଷଣ ସାମୁଦ୍ରିକ ଝଡ ଓଡିଶାରେ ସ୍ଥଳଭାଗ ଛୁଇଁବନି ଏକଥା ସମସ୍ତେ ଜାଣନ୍ତି, ତଥାପି ଝାଳନାଳ ଓଡିଶା । କାରଣ ନିକଟରେ ବାତ୍ୟା ଫନିକୁ ସାମ୍ନା କରିଥିବା ଓଡିଶାର କ୍ଷତ ଏଯାଏଁ ଶୁଖିନାହିଁ । ସେଥିପାଇଁ ତ ସଜାଗ ପୁରା ପ୍ରଶାସନ । ଝଡ ସିନା ଓଡିଶାରେ ସ୍ଥଳ ଭାଗ ଛୁଇଁନି ହେଲେ ଓଡିଶା ଦେଇ ଅତିକ୍ରମ କରିବା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାର ଛାପ ଛାଡିଦେଇଛି । ଧାମରାରେ ଫସିଥିବା ମାଛ ଧରାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି ଠାରୁ ବର୍ଷା-ପବନ ଲାଗି ରହିଛି । ଆଜି ସକାଳୁ ପବନର ବେଗ ବଢିଥିଲା । ସାମୁଦ୍ରିକ ଝଡ ଓଡିଶା ଅତିକ୍ରମ କରିବା ସମୟରେ ବଦଳିଯାଇଥିଲା ବାଲେଶ୍ୱର ଓ ଭଦ୍ରକର ଚିତ୍ର ।

ବାତ୍ୟା ବୁଲବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ରାଜ୍ୟର ପ୍ରଭାବିତ ଜିଲ୍ଲା ବାଲେଶ୍ୱରର ସ୍ଥିତି ବାବଦରେ ଆପଣଙ୍କୁ ଜଣାଇବା ପାଇଁ ସଜାଗ ଥିଲେ ଆମ ପ୍ରତିନିଧି । ଚାନ୍ଦିପୁର ବେଳଭୂମୀରୁ ଅଶାନ୍ତ ସମୁଦ୍ର ଉପରେ ନଜର ରଖିଥିଲେ ଆମ ପ୍ରତିନିଧି ଭବାନୀ ପ୍ରସାଦ ଦାସ । ଅନ୍ୟ ଦିନମାନଙ୍କରେ ଚାନ୍ଦିପୁର ବେଳାଭୂମୀକୁ ସମୁଦ୍ର ୨୪ ଘଂଟାରେ ୨ ଥର ଆସୁଥିବା ବେଳେ ଝଡ ଓଡିଶା ଉପକୂଳର ନିକଟତର ହେବା ସମୟରେ ଚାନ୍ଦିପୁରରେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା ।

କେବଳ ସମୁଦ୍ର ଅଶାନ୍ତ ଥିଲା ତା ନୁହେଁ, ବର୍ଷା ଓ ପବନ ବେଗ ବି ବଢିଥିଲା । ବୁଲ୍ବୁଲ୍ ବାଲେଶ୍ୱରର ନିକଟତର ହେବା ସମୟରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିଲା । ଯାହା ବାଲେଶ୍ୱର ସହର ସମେତ, ଗ୍ରାମାଂଚଳରେ ଲୋକଙ୍କ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ତଳି ଅଂଚଳର ଲୋକଙ୍କ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ବୁଲବୁଲ୍ ଯୋଗୁଁ ଭଦ୍ରକରେ ବି ପ୍ରବଳ ବର୍ଷି ହୋଇଛି । ବୁଲ୍ବୁଲ୍ ଭଦ୍ରକ ନିକଟ ସମୁଦ୍ର ଅତିକ୍ରମ କରିବା ସମୟରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡି ପଡିଛି । ଫଳରେ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଧାମରାର କାଳୀନାଳରେ ଫସି ଯାଇଥିଲା ୨ଟି ବୋଟ୍ । ସମୁଦ୍ର ଜୁଆରିଆ ରହିବାରୁ ବୋଟ୍ ଦୁଇଟି ଧାମରା ବନ୍ଦରକୁ ଆସି ପାରିନଥିଲା । ତେଣୁ ଧାମରାର କାଳିନଳୀର ଅଥଳ ଜଳରାଶିରେ ଗୋଟିଏ ବୋଟ୍ ବୁଡି ଯାଇଥିଲା, ହେଲେ ବୋଟ୍ରେ ଥିବା ୮ଜଣ ମତ୍ସ୍ୟଜୀବୀ କଳବଳ କୌସଳେ କାଳିନାଳୀ ନିକଟ ଜଙ୍ଗଲକୁ ଚାଲି ଯାଇଥିଲେ । ପରେ ପ୍ରଶାସନର ନିର୍ଦେଶ କ୍ରମେ ମେରାଇନ ପୁଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଜଙ୍ଗଲରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।